Latest Odisha News

BREAKING NEWS

Cow Hug Day ନୁହେଁ, ଶ୍ରଦ୍ଧାରେ ଗୋମାତାଙ୍କୁ ଆଲିଙ୍ଗନ କର; କାହିଁକି ନିଷ୍ପତ୍ତି ବଦଳାଇଲେ ସରକାର ?

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୪ ତାରିଖରେ ଗୋ ଆଲିଙ୍ଗନ ଦିବସ (Cow Hug Day) ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲା କେନ୍ଦ୍ର ସରକାରଙ୍କ ପଶୁ କଲ୍ୟାଣ ବୋର୍ଡ। ଏହାକୁ ନେଇ ନାନା ବ୍ୟଙ୍ଗ ବିଦ୍ରୁପ ଓ ସମାଲୋଚନା ହେବା ପରେ ନିଷ୍ପତ୍ତି ବଦଳାଇଛି ବୋର୍ଡ। ପୂର୍ବରୁ ଜାରି କରାଯାଇଥିବା ଘୋଷଣାନାମାକୁ ପ୍ରତ୍ୟାହାର କରି ନିଆଗଲା ବୋଲି ବୋର୍ଡ କହିଛି।

ଏନେଇ ଜାରି ହୋଇଥିବା ଆଉ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଫେବ୍ରୁଆରୀ ୧୪ ତାରିଖରେ ଗୋ ଆଲିଙ୍ଗନ ଦିବସ ପାଳନ ହେବନି। ତେବେ ଲୋକେ ଚାହିଁଲେ ଶ୍ରଦ୍ଧାରେ ଗୋମାତାଙ୍କୁ ଆଲିଙ୍ଗନ କରିପାରିବେ ବୋଲି ବୋର୍ଡ କହିଛି।

ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି “ଭାରତ ସରକାରଙ୍କର ମତ୍ସ୍ୟ ପଶୁପାଳନ ଓ ଡାଏରୀ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ, ଭାରତୀୟ ପଶୁ କଲ୍ୟାଣ ବୋର୍ଡ ୨୦୨୩ ଫେବ୍ରୁଆରୀ ୧୪କୁ Cow Hug Day ଭାବେ ପାଳନ କରିବାକୁ ଅନୁରୋଧ କରିଥିଲା। ହେଲେ ଏବେ ବୋର୍ଡ ଏହି ଘୋଷଣାନାମାକୁ ପ୍ରତ୍ୟାହାର କରୁଛି।”

ସୂଚନା ଥାଉକି ଭାଲେଣ୍ଟାଇନ ଡେ ବଦଳରେ  Cow Hug Day ପାଳନ କରିବାକୁ ଫେବ୍ରୁଆରୀ ୮ ତାରିଖରେ ଅନୁରୋଧ କରିଥିଲା ଭାରତୀୟ ପଶୁ କଲ୍ୟାଣ ବୋର୍ଡ(AWBI )। ଭାରତ ସରକାରଙ୍କର ମତ୍ସ୍ୟ ଓ ଗୋ ସମ୍ପଦ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ ପ୍ରାଣୀ କଲ୍ୟାଣ ବୋର୍ଡ ଏହି ନିର୍ଦ୍ଦେଶନାମା ଜାରି କରିଥିଲା।

ଏହି ନିର୍ଦ୍ଦେଶନାମାରେ କୁହାଯାଇଥିଲା “ଆମେ ସମସ୍ତେ ଜାଣନ୍ତି ଯେ ଜୀବନ ଧାରଣ ପାଇଁ ଗାଈ ଭାରତୀୟ ସଂସ୍କୃତି ଓ ଗ୍ରାମୀଣ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ। ଗାଇଁ ଜୈବ ବିବିଧତା ସମୃଦ୍ଧିର ପ୍ରତିନିଧିତ୍ୱ କରିଥାଏ। ମାଆ ଭଳି ପୋଷଣା କ୍ଷମତା ଥିବାରୁ ଗାଈକୁ କାମଧେନୁ ଓ ଗୋମାତା ବୋଲି କୁହାଯଏ। ମାନବ ସମାଜକୁ ସେ ସବୁକିଛି ଦେଇଥାଏ।”

ତେବେ ପାଶ୍ଚାତ୍ୟ ସଭ୍ୟତାରେ ପଡ଼ି ଆମେ କେମିତି ଆମ ବୈଦିକ ସଂସ୍କୃତିକୁ ବିଲୁପ୍ତ କରିଛେ ସେ ନେଇ ନିର୍ଦ୍ଦେଶନାମାରେ କୁହାଯାଇଥିଲା – “ସମୟ ଅନୁସାରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଗତି ଯୋଗୁ ବୈଦିକ ପରମ୍ପରା ସବୁ ଲୋପ ପାଇଗଲାଣି। ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ ଆମର ଭୌତିକ ସଂସ୍କୃତି ଓ ପରମ୍ପରାକୁ ଭୁଲାଇ ଦେଉଛି। ଗାଈରୁ ମିଳୁଥିବା ସର୍ବାଧିକ ଲାଭକୁ ଦେଖି ଭାବପ୍ରବଣତାର ସହ ଗାଈକୁ କୋଳେଇ ନିଅନ୍ତୁ। ଏଥିରେ ଶାନ୍ତିପ୍ରାପ୍ତ ହେବ। ଆମ ଜୀବନରେ ଗୌମାତାର ମହତ୍ୱକୁ ଦେଖି ସମସ୍ତ ଗାଈ ପ୍ରେମୀ ଫେବ୍ରୁଆରୀ ୧୪ କାଓ ହଗ୍ ଡେ ଭାବରେ ପାଳନ କରି ଜୀବନକୁ ଖୁସୀ ଓ ସକ୍ରିୟ ଶକ୍ତିରେ ଭରି ଦିଅନ୍ତୁ।”

ପଶୁ କଲ୍ୟାଣ ବୋର୍ଡର ଏଭଳି ଘୋଷଣା ପରେ ଏହାକୁ ବିରୋଧ କରିଥିଲେ ବିରୋଧୀ ଦଳର ନେତା। କଂଗ୍ରେସ ଏହାକୁ ହୀମନ୍ୟତା କହିଥିବା ବେଳେ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏପରି କରାଯାଇଛି ବୋଲି କହିଥିଲା। ସେହିପରି ଟିଏମ୍‌ସି ଏହାକୁ ଛଦ୍ମ ଦେଶପ୍ରେମ କହିଥିବା ବେଳେ ଉଦ୍ଧବ ବାଲାସେହେବ ଠାକ୍‌ରେଙ୍କ ଶିବସେନା ଆଦାନୀଙ୍କୁ ମୋଦୀଙ୍କ ପବିତ୍ର ଗାଈ ବୋଲି କହି ତାତ୍ସଲ୍ୟ କରିଥିଲା।

Comments are closed.