Latest Odisha News

ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା, ପୂର୍ବ ନିଷ୍ପତ୍ତି ବଦଳାଇଲା ଜିଲ୍ଲା ପ୍ରଶାସନ

ପୁରୀ: ଆଉ ଦିନ କେଇଟା ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ଯୋଗୁ ଏବର୍ଷ ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଛାତ ଉପରେ ବି ୧୪୪ ଧାରା ହେବ । ଘରର ପରିବାର ଲୋକ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ । ପୂର୍ବ ନିଷ୍ପତ୍ତିକୁ ଜିଲ୍ଲା ପ୍ରଶାସନ ବଦଳାଇଛି । ପୂର୍ବରୁ ପରିବାର ସଦସ୍ୟ କେବଳ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

ସେହିପରି ବଡ଼ଦାଣ୍ଡ ରେ ଥିବା ସମସ୍ତ ହୋଟେଲ, ଲଜିଂକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରାଯିବ । କୌଣସି ବୁକିଂ ହୋଇ ପାରିବ ନାହିଁ ।  ସୁରକ୍ଷା ବ୍ୟବସ୍ଥାକୁ କଡାକଡି ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ସହରର ପ୍ରବେଶ ପଥ ସିଲ ରହିବ । ରଥଯାତ୍ରା ଅୟୋଜନ ନେଇ ପ୍ରଶାସନ କରିଥିବା ବ୍ୟବସ୍ଥାକୁ ପାଳନ କରିବା ପାଇଁ ପୁରୀ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲାପାଳ ଓ ଏସପି ।

ରଥଯାତ୍ରା ପାଇଁ ସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି ବସୁଛି ଛତିଶା ନିଯୋଗ ବୈଠକ ।ଆଜି ଛତିଶ ନିଯୋଗ ବୈଠକରେ ରଥଯାତ୍ରା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷାରେ ଭର୍ଚୁଆଲରେ ଏହି ବୈଠକ ବସିବ । ବୈଠକରେ ସମସ୍ତ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ରହିବେ । ଏଠାରେ ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ନୀତି ନିର୍ଘଣ୍ଟ ଉପରେ ମୋହର ବାଜିପାରେ । ଜାରି ହୋଇପାରେ ରଥଯାତ୍ରା ନେଇ ଏସଓପି । କୋଭିଡ୍ ନେଗେଟିଭ୍ ଥିବା ସେବାୟତ, ପ୍ରଶାସନିକ ଅଧିକ, ପୋଲିସ ରଥଯାତ୍ରାରେ ସାମିଲ ହେବେ । ଏଥିପାଇଁ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ କୋଭିଡ୍ ଟେଷ୍ଟ ।

Comments are closed.