ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନକୁ ନେଇ ଆଜି ଦିନ ତମାମ ରାଜ୍ୟ ରାଜନୀତି ହଇଚଇ ହୋଇଥିଲା। ଏହାରି ମଧ୍ୟରେ ଶାସକ ବିଜେଡ଼ିର ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଶାସକ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଆଶା କରାଯାଉଥିଲା ବୈଠକରେ ମେଣ୍ଟକୁ ନେଇ ଆଲୋଚନା ହୋଇପାରେ। ମାତ୍ର ବୈଠକରେ ମେଣ୍ଟକୁ ନେଇ କୌଣସି ଆଲୋଚନା ହୋଇ ନାହି ବୋଲି ଉପସ୍ଥିତ ନେତାମାନେ ପ୍ରକାଶ କରିଥିଲେ।
ଏଠାରେ କହି ରଖୁ କି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବୈଠକ ହୋଇଥିଲା। ଦଳର ପର୍ଯ୍ୟବେକ୍ଷକମାନଙ୍କ ସମେତ ୨୮ ଜଣ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଅପରାହ୍ନ ୫ଟାରୁ ୭ଟା ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ତେବେ ବୈଠକ ପରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଥିଲେ କି ଆମର କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲା ସାଂଗଠନିକ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କ ସହ ମାନ୍ୟବର ଦଳର ସଭାପତି ଜିଲ୍ଲାୱାରୀ, ନିର୍ବାଚନମଣ୍ଡଳୀୱାରୀ ସାଂଗଠନିକ କାର୍ଯ୍ୟକ୍ରମ, ନିର୍ବାଚନ ରଣକୌଶଳ ଆଦି ବିଷୟରେ ରିପୋର୍ଟ ନେଇଛନ୍ତି । ଏହା ଉପରେ ତାଙ୍କର ସୁଚିନ୍ତିତ ମତାମତ ଓ ପରାମର୍ଶ ବି ଦେଇଛନ୍ତି । ଏ ବିଷୟରେ ଆଜି ସବିଶେଷ ଭାବରେ ଆମର ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ତାଙ୍କର ଉପସ୍ଥାପନା ଦେଇଛନ୍ତି ବୋଲି ସେ କହିଥିଲେ।
Comments are closed.