ଭୁବନେଶ୍ବର: ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ। କମିଶନରେଟ୍ ପୋଲିସ୍ (CP) ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଗଣେଶ ପୂଜାକୁ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି। ଏଥର ଗଣେଶ ପୂଜାରେ ଡିଜେ ବାଜିବନି। ଭସାଣୀ ବେଳେ ବାଣ ଫୁଟିବନି। ରାତି ୧୦ଟା ଭିତରେ ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବ। ଭୁବନେଶ୍ୱରରେ ମୁତୟନ ରହିବେ ୩୦ପ୍ଲାଟୁନ ଫୋର୍ସ । ଜଟଣୀ ପାଇଁ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜଟଣୀ ସମେତ ଭୁବନେଶ୍ୱରରେ ମୋଟ ୪୨୦ଟି ମେଢ଼ ପୂଜା ପାଇବେ ।
ପୋଲିସ୍ କମିଶନର (CP)ଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ନିୟମ ଅନୁଯାୟୀ, ଡିଜେ (DJ) ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। କେବଳ ପାରମ୍ପାରିକ ସଙ୍ଗୀତ ଏବଂ କମ୍ ଶବ୍ଦଯୁକ୍ତ ମାଇକ୍ରୋଫୋନ୍ ବ୍ୟବହାର ପାଇଁ ଅନୁମତି ମିଳିବ। ଶୋଭାଯାତ୍ରା ସମୟରେ ବାଣ ଫୁଟାଇବା ଉପରେ କଠୋର କଟକଣା ରହିଛି। ମେଲୋଡି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କେବଳ ରାତି ୧୦ଟା ପର୍ଯ୍ୟନ୍ତ ଅନୁମତିପ୍ରାପ୍ତ ହେବ। ପ୍ରତିମା ବିସର୍ଜନ ପାଇଁ ୨୦୨୬ ମସିହା ସେପ୍ଟେମ୍ବର ୧୬, ୧୮ ଏବଂ ୨୦ ତାରିଖ – ଏହି ତିନୋଟି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇଛି। ଶୋଭାଯାତ୍ରା ସମୟରେ ସକାଳ ୯ଟାରୁ ୧୧ଟା ଏବଂ ସନ୍ଧ୍ୟା ୫ଟା ୩୦ରୁ ରାତି ୮ଟା ପର୍ଯ୍ୟନ୍ତ ଥିବା ଅତ୍ୟଧିକ ଯାତାୟତ ସମୟ (ପିକ୍ ଟ୍ରାଫିକ୍ ଆୱାର୍ସ) ତଥା ଜାତୀୟ ରାଜପଥକୁ ଏଡ଼ାଇବାକୁ ପଡ଼ିବ।
ଏଥିସହ ପୋଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ପୂଜାମଣ୍ଡପରେ ଲୋକଙ୍କ ଶୃଙ୍ଖଳିତ ଦର୍ଶନ ସହ ଟ୍ରାଫିକ ପରିଚାଳନା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଇଛି। ମଣ୍ଡପ ପକ୍ଷରୁ ବ୍ୟାପକ ଭଲ୍ୟୁଣ୍ଟର ସହ ସିସିଟିଭି ଜରିଆରେ ନଜର ରଖି ପରିଚାଳନା ପାଇଁ ଗୁରୁତ୍ବ ଦିଆଯାଇଛି। ସାଧାବେଶରେ ପୋଲିସ ମୁତୟନ ସହ ମହିଳା ପୋଲିସ ମୁତୟନ ନେଇ ଗୁରୁତ୍ବ ଦିଆଯାଇଛି।
ଅପରାଧୀଙ୍କ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଟିମ୍ ସହ ପିସିଆର ଆଲର୍ଟ କରଯାଇଛି। ମହିଳା ସୁରକ୍ଷାକୁ ଦୃଷ୍ଟିରେ ରଖି HER ଟିମକୁ ସକ୍ରିୟ ଭାବେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ୭ଟି ସ୍ଥାନରେ ମେଢ଼ ବିସର୍ଜନ ପାଇଁ ସ୍ଥାନ ନିରୁପଣ କରାଯାଇଛି ।
କେବଳ ନିର୍ଦ୍ଧାରିତ ଅସ୍ଥାୟୀ ପୋଖରୀଗୁଡ଼ିକରେ ପ୍ରତିମା ବିସର୍ଜନ କରାଯିବ। ଏଥିମଧ୍ୟରେ ବିଏମସି (BMC) ଅଧୀନ ଦୟା ନଦୀ କୂଳସ୍ଥ ଲିଙ୍ଗିପୁର; କୁଆଖାଇ ନଦୀ କୂଳସ୍ଥ ପଳାସୁଣୀ, ହଂସପାଳ ଓ ବସୁଆଘାଇ; ଜଟଣୀସ୍ଥିତ KIST କେନାଲ୍; ଚାନ୍ଦକାସ୍ଥିତ ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ନିକଟସ୍ଥ ଏକ ଅସ୍ଥାୟୀ ଗାତ; ଏବଂ ବାଲିଅନ୍ତା ଥାନା ଅଧୀନ କୁଶଭଦ୍ରା ନଦୀ କୂଳସ୍ଥ ଏକ ଅସ୍ଥାୟୀ ପୋଖରୀ ଅନ୍ତର୍ଭୁକ୍ତ। ଜଟଣୀ ଥାନା ଅଞ୍ଚଳ ପାଇଁ ୨୬ ସେପ୍ଟେମ୍ବର ୨୦୨୬ ତାରିଖରେ ଏକ ସ୍ୱତନ୍ତ୍ର ବିସର୍ଜନ ଶୋଭାଯାତ୍ରା ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି।

