ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ ଆୟୁକ୍ତଙ୍କୁ ଆକ୍ରମଣର ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଏଏସ ସଙ୍ଘ। ଅତିରିକ୍ତ ଆୟୁକ୍ତଙ୍କୁ ଆକ୍ରମଣ ପ୍ରତିବାଦ ଓ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ଓଏଏସ ସମୂହ ଛୁଟିରେ ପ୍ରଶାସନିକ ସ୍ତରରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ କିଛି ଜିଲ୍ଲାରେ ସରକାରୀ କାର୍ଯ୍ୟରେ ବାଧାପ୍ରାପ୍ତ ଦେଖିବାକୁ ମିଳିଛି।
ଫାଙ୍କା ପଡିଛି ବିଏମସିର ପୂରା ଅଫିସ୍। ଅଫିସ୍ରେ ନାହାନ୍ତି ଅଫିସର । ସବୁ ଅଫିସ୍ ଏବେ ଖାଁ ଖାଁ । ଏପଟେ ଅଫିସ୍ ବାହାରେ ବିଭିନ୍ନ କାମ ପାଇଁ ଲାଗିଛି ଗହଳି । ଫଳରେ ସମସ୍ୟା ନେଇ ଆସୁଥିବା ଲୋକ ନିରାଶ ହେଉଛନ୍ତି। ଲାଗିଛି ଦୁଇ ଦିନ ହେବ ଏପରି ଅଚଳାବସ୍ଥା ହୋଇପଡିଛି ବିଏମସି କାର୍ଯ୍ୟାଳୟ। ବିଏମ୍ସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସବୁ ସ୍ତରରେ ନିନ୍ଦା କରାଯାଉଛି । ରାଜ୍ୟର ପ୍ରାୟ ୧୫ କର୍ମଚାରୀ ସଂଘ ପକ୍ଷରୁ ଅତିରିକ୍ତ କମିସନରଙ୍କୁ ମାଡ ମରାଯିବା ଘଟଣାକୁ ନିନ୍ଦା କରାଯାଇଛି । ଏପଟେ ମୁଖ୍ୟ କାର୍ପଟଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଓଏଏସ୍ ସଂଘ ।
ଅନ୍ୟପଟେ କନ୍ଧମାଳ ଜିଲ୍ଲା ଓ ନୟାଗଡ଼ ଜିଲ୍ଲା ରଣପୁରର ବିଭିନ୍ନ କାର୍ଯ୍ୟାଳୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତହସିଲଦାର, ଅତିରିକ୍ତ ତହସିଲଦାର, ସବ୍ ରେଜିଷ୍ଟ୍ରାରଙ୍କ ଭଳି ଅନ୍ୟାନୟ ଅଫିସ ସମୂହ ଛୁଟିରେ ଥିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା ଜଣାପଡିଛି। ଆଡ଼ମିଶନ ସମୟ ଯୋଗୁଁ ଛାତ୍ରଛାତ୍ରୀମାନେ ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର ଆଦି ପାଇ ପାରୁନାହାଁନ୍ତି।
ଉତ୍ତରାଧିକାରୀ ପ୍ରମାଣ ପତ୍ର ମଧ୍ୟ ମିଳୁନାହିଁ। ସବ୍ ରେଜିଷ୍ଟ୍ରାର ଛୁଟିରେ ତେଣୁ ଜମି ବାଡ଼ି ବିକ୍ରୟ ବନ୍ଦ ତେଣୁ ସରକାର ଅନେକ ରାଜସ୍ୱ ହରାଉଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନହେଲେ ଜନ ଆନ୍ଦୋଳନର ଆଶଙ୍କା ପ୍ରକଟ ହେଉଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ଅଧସ୍ତନ କେତେକ କର୍ମଚାରୀ ମଧ୍ୟ କାମରେ ମନ ଦେଉ ନ ଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆଉ କେତେକ କାର୍ଯ୍ୟାଳୟରେ କର୍ମଚାରୀମାନେ ଯିଏ ଯାହାର କାମ କରିବାର ଦେଖାଯାଇଛି।
Comments are closed.