ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଏବଂ ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ପୋଲିସ ମହାନିର୍ଦ୍ଦେଶକ ଏକ ବଡ଼ ବୟାନ ଦେଇଛନ୍ତି। ଓଡ଼ିଶାରେ ଅପରାଧୀ ଓ ମାଫିଆଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି। ଯଦି କୌଣସି ଅପରାଧୀ ପୋଲିସ ଉପରକୁ ଆକ୍ରମଣ କରିବାକୁ କିମ୍ବା ଆଇନକୁ ହାତକୁ ନେବାକୁ ଚେଷ୍ଟା କରେ, ତେବେ ପୋଲିସ ତାର କଡ଼ା ଜବାବ ଦେବ ଏବଂ ଏନକାଉଣ୍ଟର ଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପଛାଇବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।
ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଡିଜିପି କହିଛନ୍ତି ଯେ, ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ଅପରାଧୀଙ୍କ ମନରେ ପୋଲିସ ଏବଂ ଆଇନର ଭୟ ରହିବା ଅତ୍ୟନ୍ତ ଆବଶ୍ୟକ। ଯଦି କୌଣସି ଦୁର୍ଦ୍ଦାନ୍ତ ଅପରାଧୀ ପୋଲିସର ଗିରଫଦାରୀରୁ ବଞ୍ଚିବା ପାଇଁ ଗୁଳି ଚଳାଏ, ତେବେ ପୋଲିସ ନିଜର ଆତ୍ମରକ୍ଷା ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ପାଲଟା ଗୁଳି ଚଳାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ଓଡ଼ିଶା ପୋଲିସ ଅପରାଧୀଙ୍କ ଆଗରେ ମଥାନତ କରିବ ନାହିଁ। ଆମର ନୀତି ସ୍ପଷ୍ଟ – ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି ।
ରାଜ୍ୟରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିବା ଗ୍ୟାଙ୍ଗଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ସଙ୍ଗଠିତ ଅପରାଧ କରୁଥିବା ମାଫିଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ମଧ୍ୟ ପୋଲିସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ଏନକାଉଣ୍ଟର ଏବଂ ଅପରାଧୀ ଦମନ ପ୍ରକ୍ରିୟା ଏହି ଅଭିଯାନର ଏକ ଅଂଶ ବୋଲି ସୂଚନା ମିଳିଛି।
ପୋଲିସ ମୁଖ୍ୟଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ସ୍ପେଶାଲ ସ୍କ୍ୱାଡ୍ ଏବଂ ଜିଲ୍ଲା ପୋଲିସ ଟିମ୍ଗୁଡ଼ିକୁ ଆହୁରି ସକ୍ରିୟ କରାଯାଇଛି। ସାଧାରଣ ଲୋକେ ଯେପରି ଭୟମୁକ୍ତ ପରିବେଶରେ ରହିପାରିବେ, ତାହା ପୋଲିସର ପ୍ରାଥମିକ ଦାୟିତ୍ୱ ବୋଲି ଡିଜିପି ଦୋହରାଇଛନ୍ତି।