Latest Odisha News

BREAKING NEWS

‘ସେବା କରିବାକୁ ଅଟକାଇ ପାରିବେନି’, କେଉଁ ଉଦ୍ଦେଶ୍ୟରେ ଓ କାହାକୁ କହିଲେ ରୋହିତ ପୂଜାରୀ?

ରେଢାଖୋଲ: ରେଢାଖୋଲବାସୀ ସେବା କରିବା ପାଇଁ ଏଭଳି କୌଣସି ଶକ୍ତି ମୋତେ ଅଟକାଇ ପାରିବ ନାହିଁ। ରବିବାର ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢାଖୋଲର ବିଧାୟକ ରୋହିତ ପୂଜାରୀ ଏକ କଲେଜ ଉତ୍ସବରେ ଯୋଗ ଦେଇ ଏଭଳି କହିଛନ୍ତି।

ଗତ 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେଇଥିଲେ। ବିଭାଗର ନିମ୍ନମାନର କାର୍ଯ୍ୟ ଯୋଗୁଁ ତାଙ୍କୁ ବହିଷ୍କାର କରାଯାଇଥିଲା। ଏହାପରେ ଆଗକୁ ରୋହିତଙ୍କୁ ଟିକେଟ ମିଳିବ କି ନାହିଁ ଚର୍ଚ୍ଚା ରହିଛି। ଏହାରି ଭିତରେ କିନ୍ତୁ ରୋହିତ ପୂଜାରୀ କହିଛନ୍ତି ତାଙ୍କୁ ରେଢାଖୋଲବାସୀଙ୍କ ସେବା କରିବାକୁ କେହି ଅଟକାଇ ପାରିବେ ନାହିଁ।

ମନ୍ତ୍ରୀପଦ ହରାଇବା ପରେ ପ୍ରଥମ ଥର ପାଇଁ ରେଢାଖୋଲର କଦଳୀଗଡ଼ଠାରେ ଅର୍ଜୁନ ଡିଗ୍ରୀ କଲେଜର ଭୂମିପୂଜନ ଉତ୍ସବରେ ବିଧାୟକ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରବିବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି।

ମୋ ଅଧ୍ୟାୟ ଶେଷ ହୋଇନାହିଁ। ବରଂ ଏହିଠାରୁ ହିଁ ଆରମ୍ଭ ହୋଇଛି ବୋଲି କୁହାଯାଇପାରେ। ରେଢାଖୋଲ ସହ ରହିବି ଏବଂ ଶେଷ ନିଶ୍ୱାସ ଯାଏ ରେଢାଖୋଲବାସୀଙ୍କ ପାଇଁ କାମ କରିବି। ସେବା କରିବା ପାଇଁ ଏଭଳି କୌଣସି ଶକ୍ତି ମୋତେ ଅଟକାଇ ପାରିବ ନାହିଁ। ମୁଁ ଖୁସି ଯେ ମୋ ସ୍ୱଳ୍ପ ସମୟ ମଧ୍ୟରେ ରେଢାଖୋଲ ପାଇଁ ମୁଁ ଯାହା କରିବାକୁ ଚାହୁଁଥିଲି ତାହା କରିଛି ବୋଲି ରୋହିତ ପୂଜାରୀ କହିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ପଦରେ ଥିବା ବେଳେ ସେ କହିଥିଲେ, 60ରୁ ଅଧିକ ବୟସର ନେତା ରାଜନୀତି କରିବା ଠିକ୍ ନୁହେଁ। ଏପରି କହି ସେ ତାଙ୍କ ପ୍ରତିଦ୍ବନ୍ଦୀ ତଥା ରେଢାଖୋଲ ଆସନ ଉପରେ ନଜର ରଖିଥିବା ଅନ୍ୟତମ ବରିଷ୍ଠ ନେତାଙ୍କୁ ଟାର୍ଗେଟ କରିଥିଲେ ବୋଲି କୁହାାଉଛି। କିନ୍ତୁ ଯେଉଁ ବୟସକୁ ନେଇ ରୋହିତ ବୟାନ ଦେଇଥିଲେ ତାହା ଦଳର ସୁପ୍ରିମୋଙ୍କ ଆଡକୁ ମଧ୍ୟ ଇସାରା କରିଥିଲେ ବୋଲି ଦଳ ଭିତରେ ଚର୍ଚ୍ଚା ହେବା ପରେ ତାଙ୍କ ମନ୍ତ୍ରୀ ପଦ ଯାଇଛି ବୋଲି ରାଜନୈତିକ ସମୀକ୍ଷକ ମାନେ କୁହନ୍ତି। ଆଉ ଏବେ କଲେଜର ଭୂମୀପୂଜନ ଉତ୍ସବରେ ଯେଉଁ ବୟାନ ଦେଇଛନ୍ତି ତାହା କାହାକୁ ନିଶାନା କରି କହିଛନ୍ତି ଚର୍ଚ୍ଚାର ବିଷୟ।

Leave A Reply

Your email address will not be published.