ଭୁବନେଶ୍ୱର: ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପାସ୍ ଜରୁରୀ । ଯୁକ୍ତ ଦୁଇ ପ୍ରଥମ ବର୍ଷ ହେବ ପରୀକ୍ଷା । ଏଥିରେ କୃତକାର୍ଯ୍ୟ ହେଲେ ଦ୍ୱିତୀୟ ବର୍ଷକୁ ଯିବେ ଛାତ୍ରଛାତ୍ରୀ । ନଚେତ ପୁଣିଥରେ ଦେବାକୁ ପଡିବ ପରୀକ୍ଷା । ଏନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ପ୍ରଥମ ବର୍ଷରେ ଫେଲ୍ ହୋଇଥିବା ଛାତ୍ରଛାତ୍ରର ମେ ମାସ ଶେଷ ସପ୍ତାହରେ ପୁଣି ଥରେ ସୁଯୋଗ ଦିଆଯିବ । ଯଦି ଏଥିରେ ପରୀକ୍ଷାର୍ଥୀମାନେ ଫେଲ୍ ହୁଅନ୍ତି ତେବେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷରେ ହିଁ ରହିବାକୁ ପଡିବ । ଚଳିତ ଶିକ୍ଷା ବର୍ଷରୁ ଏହି ନୂଆ ନିୟମ ଲାଗୁ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।
ଯୁକ୍ତ ୨ ପିଲାଙ୍କ ପାଇଁ କଠୋର ହୋଇଛନ୍ତି ରାଜ୍ୟ ସରକାର । ଯୁକ୍ତ୨ ପିଲାଙ୍କୁ ଦ୍ୱିତୀୟ ବର୍ଷରେ ପଢ଼ିବା ପାଇଁ ପାସ୍ କରିବାକୁ ପଡିବ ପ୍ରଥମ ବର୍ଷ । ଦ୍ୱିତୀୟ ବର୍ଷକୁ ଯିବା ଲାଗି ଛାତ୍ରଛାତ୍ରୀଙ୍କୁ ୩୩ ପ୍ରତିଶତ ମାର୍କ ରଖିବାକୁ ପଡିବ । ଦ୍ୱିତୀୟ ବର୍ଷ ଢ଼ାଂଚାରେ ପ୍ରଥମର ପରୀକ୍ଷା ହେବ । ତେବେ ପରୀକ୍ଷାରେ ପାସ୍ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ୨ଟି ସୁଯୋଗ ଦିଆଯିବ ।
ଫେବ୍ରୁଆରୀ ୧୫ରୁ ୨୯ ତାରିଖ ଯାଏଁ ପ୍ରଥମ ସୁଯୋଗ ଦିଆଯିବ । ଏଥିରେ ୩୩ ପ୍ରତିଶତରୁ କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କର ଏକ୍ସଟ୍ରା କ୍ଲାସ କରାଯିବ । ଏବଂ ଦ୍ୱିତୀୟ ସୁଯୋଗ ଭାବେ ମେ ମାସ ଶେଷ ସପ୍ତାହରେ ପରୀକ୍ଷା କରାଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
Comments are closed.