Latest Odisha News

BREAKING NEWS

କୌଣସି ରାଜ୍ୟକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶାକୁ ନୁହେଁ କି ଆଉ କୌଣସି ରାଜ୍ୟକୁ ନୁହେଁ । କାହାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା । ମୁହେଁ ମୁହେଁ ମନା କରିଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ବନ୍ଦ କରି ଦିଆଯାଇଛି । ଶେଷଥର ପାଇଁ ବିଭାଜନ ପରେ ତେଲେଙ୍ଗାନାକୁ ଏହି ମାନ୍ୟତା ମିଳିଥିଲା । ସ୍ୱତନ୍ତ୍ର ରାଜ୍ୟ ସଂଖ୍ୟା ବୃଦ୍ଧି ନ କରିବା ପାଇଁ ଅର୍ଥ ଆୟୋଗ ସ୍ପଷ୍ଟ ଭାବେ କହିଛନ୍ତି ବୋଲି ଓଡ଼ିଶା ଗସ୍ତରେ ଆସି ଏଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଅର୍ଥମନ୍ତ୍ରୀ ଏପରି ସ୍ପଷ୍ଟୋକ୍ତି ପରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଆଶା ଏବେ ମଉଳି ଯାଇଛି ।

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ପରବର୍ତ୍ତୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ପଞ୍ଚଦଶ ଅର୍ଥ କମିଶନ ସୁପାରିଶ ଅନୁଯାୟୀ  କୌଣସି ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେବା ଆବାଶ୍ୟକ ନାହିଁ । ଆନ୍ଧ୍ର ପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ଏଭଳି ନିଷ୍ପତି ନିଆଯାଇଥିଲା ।

ନିର୍ମଳାଙ୍କ ଏପରି ବୟାନ ପରେ ବିଜେଡି ପକ୍ଷରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଝଟକା ଲାଗିଛି । ଓଡ଼ିଶାର ଅଧିକାଂଶ ଲୋକ ଅନୁସୂଚିତ ଜାତି ଓ ଜନଜାତିର । ଏହାବ୍ୟତୀତ ବନ୍ୟା, ବାତ୍ୟା, ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ସବୁବେଳେ ସାମ୍ନା କରି ଆସୁଛି ଯାହା ରାଜ୍ୟର ଅର୍ଥନୀତିକୁ ଭାଙ୍ଗି ଦେଉଛି । ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲା ।

ଏହି ଅବସରରେ ଅର୍ଥମନ୍ତ୍ରୀ ବଜେଟ ପ୍ରସଙ୍ଗରେ ସୂଚନା ଦେଇ କହିଥିଲେ, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ। ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ଲାଗି ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି ।

ସେହିପରି ପିଏମ ବିଶ୍ୱକର୍ମା ସ୍କିମ ବିଷୟରେ ସୂଚନା ଦେଇ କହିଥିଲେ, ଏହାଦ୍ୱାରା ଓଡ଼ିଶାର କାରିଗର ବିଶେଷକରି ପଟ୍ଟଚିତ୍ର କରିଗର, ପଥର ଶିଳ୍ପୀ କାରିଗର, ବୁଣାକାର ସମସ୍ତେ ଲାଭବାନ ହେବେ । ଏହି ଅବସରରେ ଅର୍ଥମନ୍ତ୍ରୀ ଓଡ଼ିଶାର ଶାଢୀକୁ ପ୍ରଶଂସା କରିଥିଲେ । ତାଙ୍କୁ ସମ୍ବଲପୁର, ବମକେଇ, କଟକ ଶାଢୀ ତାଙ୍କୁ ଖୁବ ଭଲ ଲାଗେ । ଏବେ ବି ସେ ଏସବୁ ଶାଢୀ କିଣନ୍ତି ବୋଲି କହିଥିଲେ ।

 

Leave A Reply

Your email address will not be published.