Latest Odisha News

BREAKING NEWS

ମସଜିଦ, ଚର୍ଚ୍ଚ ଭଳି ମନ୍ଦିରରୁ ସରକାରଙ୍କ ହସ୍ତକ୍ଷେପ ହଟାଇବାକୁ ସୁପ୍ରିମକୋର୍ଟରେ ଦାବି

ନୂଆଦିଲ୍ଲୀ: ସଂଖ୍ୟା ଲଘୁ ଧର୍ମାବଲମ୍ବୀଙ୍କ ପୂଜାସ୍ଥଳ ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି ସେହିପରି ହିନ୍ଦୂ ମନ୍ଦିର ବି ସରକାରଙ୍କ ନିୟନ୍ତ୍ରଣରୁ ବାହାରିବା ଦରକାର। ମନ୍ଦିର ମାନେ ସ୍ୱାଧୀନ ଭାବେ ପରିଚାଳିତ ହେବା ଦରକାର। ଯେଉଁ ଆଇନ୍ ଜରିଆରେ ମନ୍ଦିର ଗୁଡିକ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି ତାହା ଇଂରେଶ ଅମଳର ଆଇନ୍। ଏବେ ଏହି ଆଇନ୍ ହଟାଇବା ଦରକାର ଏବଂ ସମସ୍ତ ଧର୍ମ ପାଇଁ ଗୋଟିଏ ନିୟମ ରହିବା ଦରକାର ବୋଲି ଏକ ଆବେଦନ ହୋଇଛି। ଏହି ପ୍ରସଙ୍ଗରେ ସୁବ୍ରମଣ୍ୟମ ସ୍ୱାମୀ, ଅଶ୍ୱିନୀ ଉପାଧ୍ୟାୟ କେନ୍ଦ୍ର ସରକାରଙ୍କ ନିୟମକୁ ଚ୍ୟାଲେଞ୍ଜ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବିଭିନ୍ନ ସମୟରେ।

ଏବେ ହିନ୍ଦୁ, ବୈଦ୍ଧ, ଜୈନ ଅନୁଷ୍ଠାନ ଉପରେ ସରକାରଙ୍କ ନିୟନ୍ତ୍ରଣ ବିରୋଧରେ ଦାଖଲ ହୋଇଥିବା ଆବେଦନର ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି। ଏ ପ୍ରସଙ୍ଗରେ ଆବଶ୍ୟକ ତଥ୍ୟ ପ୍ରମାଣ ପତ୍ର ଦାଖଲ କରିବାକୁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ବେଞ୍ଚ ଆସନ୍ତା ସେପ୍ଟେମ୍ବର ୧୯ ରେ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନ ଉପରେ ଶୁଣାଣି କରିବେ।

ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କ ମସଜିଦ ଓ ଚର୍ଚ୍ଚ ଯେପରି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ବିନା ପରିଚାଳିତ ହେଉଛି ସମାନ ନିୟମ ଅନ୍ୟ ଧର୍ମରେ ହେବା ଦରକାର ବୋଲି ଆବେଦନରେ ଦାବି ହୋଇଛି। ଆବେଦନକାରୀଙ୍କ ଓକିଲ ଅରବିନ୍ଦ ଦତ୍ତ କୋର୍ଟଙ୍କୁ କହିଛନ୍ତି ଯେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, ତେଲେଙ୍ଗାନାରେ ଏହି ଆଇନକୁ ଚ୍ୟାଲେଞ୍ଜ କରାଯାଇଛି।

ଏହାକୁ କାହିଁକି ଚ୍ୟାଲେଞ୍ଜ କରାଯାଇଛି ବୋଲି ସୁପ୍ରିମକୋର୍ଟ ପଚାରିଛନ୍ତି, ଜବାବରେ ଆବେଦନକାରୀ କହିଛନ୍ତି, ଏହା ଦୀର୍ଘ ଦିନ ଧରି ଚାଲିଆସୁଛି। ସରକାର ୫୮ ଟି ମୁଖ୍ୟ ମନ୍ଦିରକୁ ନିଜ ଅଧୀନରେ ନେଇଛନ୍ତି । ଏହା ସାମ୍ବିଧାନିକ ଅଧିକାରର ସିଧାସଳଖ ଉଲ୍ଲଂଘନ। ଏହା ହେଉଛି ବ୍ରିଟିଶ ସମୟର ନିୟମ ଏବଂ ବର୍ତ୍ତମାନ ସରକାର କାହିଁକି ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନକୁ ନିଜ ଅଧୀନକୁ ନେବାକୁ ଚାହୁଁ ନାହାଁନ୍ତି।

ଆଇନଜୀବୀ ଗୋପାଳ ସଙ୍କନାରାୟଣନ୍ କହିଛନ୍ତି ଯେ ପରିଚାଳନା ପାଇଁ ଟଙ୍କା ନ ଥିବାରୁ କର୍ଣ୍ଣାଟକର ୧୫ ହଜାର ମନ୍ଦିର ବନ୍ଦ ରହିଥିଲା। କେଉଁ ଆଧାରରେ ୧୫ ହଜାର ମନ୍ଦିର ବନ୍ଦ ହୋଇଛି ବୋଲି ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ମନ୍ଦିରକୁ ଆସୁଥିବା ଟଙ୍କା ସାଧାରଣ ଲୋକଙ୍କର। ତାହା ସାଧାରଣ ଲୋକଙ୍କ ନିକଟକୁ ଫେରିଯାଏ । ତିରୁପତିଙ୍କ ଉଦାହରଣ ନେଇପାରିବେ, ଏହି ଦାନ ପଇସାରେ ବିଦ୍ୟାଳୟ ଏବଂ କଲେଜଗୁଡ଼ିକ ଖୋଲା ଯାଇଥିଲା।

ଅଶ୍ୱିନୀ କୁମାର ଉପାଧ୍ୟାୟ ଏବଂ ଅନ୍ୟମାନଙ୍କ ଦ୍ବାରା ହୋଇଥିବା ଆବେଦନରେ କୁହାଯାଇଛି ଯେ ହିନ୍ଦୁ, ଶିଖ, ଜୈନ ଏବଂ ବୌଦ୍ଧ ଧର୍ମ ଅନୁଷ୍ଠାନର ରକ୍ଷଣା ବେକ୍ଷଣ ତଥା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କର ଅଧିକାର ଅଛି । କିନ୍ତୁ ମୁସଲମାନ, ପାରସୀ ଏବଂ ଖ୍ରୀଷ୍ଟିଆନମାନେ ନିଜ ଅନୁଷ୍ଠାନକୁ ନିୟନ୍ତ୍ରଣ କରୁଛନ୍ତି।

ଏହି ଆବେଦନରେ କୁହାଯାଇଛି ଯେ ମଠ ମନ୍ଦିରକୁ ନିୟନ୍ତ୍ରଣ କରିବା ପାଇଁ ୩୫ ଟି ନିୟମ ଅଛି କିନ୍ତୁ ମସଜିଦ, ମଜାର, ଦର୍ଗା ଏବଂ ଚର୍ଚ୍ଚ ପାଇଁ ଗୋଟିଏ ବି ନିୟମ ନାହିଁ। ସରକାରଙ୍କ ଅଧୀନରେ ୪ ଲକ୍ଷ ମଠ ଏବଂ ମନ୍ଦିର ଅଛି କିନ୍ତୁ ଗୋଟିଏ ମସଜିଦ, ମଜାର, ଚର୍ଚ୍ଚ, ଦର୍ଗା ମଧ୍ୟ ନାହିଁ।

Comments are closed.