ଭୁବନେଶ୍ୱର: ଏଣିକି ଆଶାୟୀ ସରକାରୀ ଚାକିରିଆଙ୍କୁ ପରୀକ୍ଷା ପାଇଁ ଦେବାକୁ ପଡିବନି ଏନ୍ଓସି। ସରକାରୀ ଚାକିରି କରିଥିବା କର୍ମଚାରୀ ବା ଅଧିକାରୀ ଯେଉଁମାନେ ୟୁପିଏସ୍ସି, ଓପିଏସ୍ସି, ଏସ୍ଏସ୍ବି, ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି ଆଦି କରୁଥିବା ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉ ଏନ୍ଓସି(ନୋ ଅବ୍ଜେକ୍ଶନ ସାର୍ଟିଫିକେଟ) ଦରକାର ପଡିବ ନାହିଁ।
ଆଗରୁ ସରକାରୀ କର୍ମଚାରୀ ଏହିସବୁ ପରୀକ୍ଷା ଦେବାକୁ ହେଲେ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଠାରୁ ଏନ୍ଓସି ଆଣିବାକୁ ବାଧ୍ୟ ହେଉଥିଲେ। ହେଲେ ସରକାର ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି, ବିନା ଏନ୍ଓସିରେ ଏବେ ସେମାନେ ପରୀକ୍ଷା ଦେଇପାରିବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ଚିଠି ଜାରି କରାଯାଇଛି।
ସେଥିରେ ଉଲ୍ଲେଖ ରହିଛି, ଯେଉଁମାନେ ସରକାରୀ ଚାକିରିରେ ଥାଇ ନିଜ ଭବିଷ୍ୟତକୁ ଆଗକୁ ନେବା ଲାଗି କିଛି ସରକାରୀ ପରୀକ୍ଷା ଦେବାକୁ ଏନ୍ଓସି ପାଇଁ ଦୀର୍ଘସମୟ ଅପେକ୍ଷାକରି ସମୟ ନଷ୍ଟ କରୁଥିଲେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଯଦି ଆଶାୟୀ କର୍ମଚାରୀ ଏଣିକି କିଛି ପରୀକ୍ଷା ଦେବାକୁ ଚାହାନ୍ତି ତେବେ ସେମାନେ ପରୀକ୍ଷା ପାଇଁ ତାଙ୍କ ସରକାରୀ କାର୍ଯ୍ୟ ଏବଂ ଦାୟିତ୍ୱରେ ଅବହେଳା ନ କରିବା ଦରକାର।
ପରୀକ୍ଷା ଦେବା ସମୟରେ ସେମାନେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଛୁଟି ମଞ୍ଜୁରୀ ଏବଂ ମୁଖ୍ୟାଳୟ ଛାଡ଼ିବା ଅନୁମତି ନେଇ ଯିବା ଦରକାର। ଯେଉଁ ପରୀକ୍ଷା ଦେବେ ତା’ର ଆଡ୍ମିଟ୍ କାର୍ଡ କିମ୍ବା ସେ ସମ୍ବନ୍ଧିତ କାଗଜପତ୍ର ଦେଖାଇବେ। ଯଦି ସେମାନେ ଯେଉଁ ପରୀକ୍ଷା ଦେଉଛନ୍ତି ସେଥିରେ ଉତ୍ତୀର୍ଣ୍ଣ ହେଉଛନ୍ତି ତେବେ ସେମାନେ ସରକାରୀ ପଦ୍ଧତିରେ ସେହି ବିଭାଗରୁ ରିଲିଭ ହେବେ, ସେମାନଙ୍କ ଅଧାପନ୍ତରିଆ କାର୍ଯ୍ୟକୁ ସାରିବେ।
Comments are closed.