Latest Odisha News

BREAKING NEWS

ଅଫିସ କର୍ମଚାରୀଙ୍କୁ ସ୍କୁଲ ପିଲାଙ୍କ ଭଳି ଦଣ୍ଡ, ଭିଡିଓ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ : ଅଫିସରେ ବି ସ୍କୁଲ ପିଲାଙ୍କ ଭଳି ମିଳିଲା ଦଣ୍ଡ । ଏମିତି ସେମିତି ଦଣ୍ଡ ନୁହେଁ, ୨୦ ମିନିଟ୍ ଛିଡ଼ା କରାଇ ଦେଲେ କମ୍ପାନିର ବସ୍। ବାରମ୍ୱାର ଲୋକଙ୍କୁ ଛିଡ଼ା କରାଇ ହଇରାଣ କରିବା ପ୍ରତି ବଦଳରେ ଏମିତି ଦଣ୍ଡ ଦେଇଛନ୍ତି କମ୍ପାନିର ସିଇଓ। ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ ସମସ୍ତେ ଛିଡ଼ା ହୋଇ କାମ କରୁଛନ୍ତି । ଏପରି ଘଟଣା ଘଟିଛି ନୋଏଡ଼ାସ୍ଥିତ ନ୍ୟୁ ଓଖ୍‌ଲା ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟିଙ୍କ କାର୍ଯ୍ୟାଳୟ ।

କମ୍ପାନିର ସିଇଓ ଡକ୍ଟର ଲୋକେଶ ଏମ୍.ଙ୍କ ନିର୍ଦ୍ଦେଶରେ ଦଣ୍ଡ ସ୍ବରୂପ ଏହି କର୍ମଚାରୀମାନଙ୍କୁ ଛିଡ଼ା ହେବାକୁ ପଡ଼ିଛି । ଅଫିସର ସମସ୍ତ କର୍ମଚାରୀଙ୍କୁ ଏମିତି ୨୦ ମିନିଟ୍ ଛିଡ଼ା କରାଇ ଦେଲେ ସିଇଓ ଡକ୍ଟର ଲୋକେଶ ଏମ୍ । ୨୦୦୫ ବ୍ୟାଚ୍ IAS ଅଫିସର ଗତବର୍ଷ ନ୍ୟୁ ଓଖ୍‌ଲା ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟିର ସିଇଓ ଭାବେ ଯୋଗ ଦେଇଥିଲେ । ବିଭିନ୍ନ କାମ ପାଇଁ ଦୈନିକ ଏହି ଅଫିସକୁ ବହୁ ଲୋକ ଆସିଥାନ୍ତି । ସିଇଓ ଡକ୍ଟର ଲୋକେଶ ଏମ୍.ଙ୍କ କହିବା କଥା, ଲୋକଙ୍କୁ ଅଧିକ ସମୟ କାଉଣ୍ଟର ସାମ୍ନାରେ ଛିଡ଼ା ହେବାକୁ ଦିଆ ନଯାଉ । ତୁରନ୍ତ ସେମାନଙ୍କ କାମ ସାରିବାକୁ କର୍ମଚାରୀଙ୍କୁ ସେ ବାରମ୍ବାର କହିଥାନ୍ତି ।

ମଙ୍ଗଳବାର ଡକ୍ଟର ଲୋକେଶ ଅଫିସ ଆସିବା ବେଳେ ଜଣେ ବୃଦ୍ଧା କାଉଣ୍ଟର ଆଗରେ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ବୃଦ୍ଧାଙ୍କ କାମ ସାରିବା କିମ୍ବା ଯଦି କାମ ହୋଇ ନପାରିବ, ତାଙ୍କୁ ସେହି କଥା କହିଦେବାକୁ ସଂପୃକ୍ତ କାଉଣ୍ଟରରେ ବସିଥିବା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୨୦ ମିନିଟ ପରେ ଦେଖିଲା ବେଳକୁ ସଂପୃକ୍ତ ବୃଦ୍ଧା ଜଣକ କାଉଣ୍ଟର ଆଗରେ ସେମିତି ଛିଡ଼ା ହୋଇଛନ୍ତି । ଏଥିରେ ବିରକ୍ତ ହୋଇ ଅଫିସର ସମସ୍ତ କର୍ମଚାରୀଙ୍କୁ ୨୦ ମିନିଟ୍ ଛିଡ଼ା କରାଇ ଦେଲେ ସିଇଓ ଡକ୍ଟର ଲୋକେଶ ଏମ୍ । ଭିଜୁଆଲ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଡକ୍ଟର ଲୋକେଶ ଏମଙ୍କୁ ସବୁ ମହଲରେ ସାବାସ୍ କରାଯାଉଛି ।

Comments are closed.