ନୂଆଦିଲ୍ଲୀ: ଦିଲ୍ଲୀ ନୋଏଡାରେ ସରକାର ଏବଂ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଣେ ୨୭ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହେତ୍ତା ପ୍ରାଣ ହରାଇଥିବା ସୂଚନା ମିଳିଛି।
ଯୁବରାଜ ଶୁକ୍ରବାର ବିଳମ୍ବିତ ରାତିରେ ଗୁରୁଗ୍ରାମରେ ଥିବା ତାଙ୍କ ଅଫିସରୁ କାରରେ ନୋଏଡା ଫେରୁଥିବା ସମୟରେ ଘନ କୁହୁଡି ଯୋଗୁଁ ସେକ୍ଟର ୧୫୦ ନିକଟରେ ଏକ ଡ୍ରେନ୍ ର ରେଲିଂରେ ଧକ୍କା ଖାଇ ଗଭୀର ପାଣି ଭର୍ତ୍ତି ଗାତରେ ପଡ଼ିଯାଇଥିଲେ। ସେଠାରେ ପଡ଼ିଯିବା ପରେ ଯୁବରାଜ ତାଙ୍କ କାର ଉପରୁ ଚିତ୍କାର କରିଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଚିତ୍କାର ଶୁଣି ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କାରଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ତେବେ ସେ ନିଜ ବାପାଙ୍କ ଫୋନ୍ କରି କହିଥିଲେ ଯେ, ସେ ମରିବାକୁ ଚାହୁନାହାନ୍ତି ଓ ଜଲଦି ଆସି ତାଙ୍କୁ ବଞ୍ଚାଇବାକୁ ବାପାଙ୍କୁ କହିଥିଲେ। ଯାହାପରେ ତାଙ୍କ ବାପା ତୁରନ୍ତ ପୋଲିସକୁ ଖବର ଦେଇଥିଲେ।
ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ସେଠାରେ ପହଞ୍ଚିଥିଲେ। ଯୁବରାଜ ତାଙ୍କ ମୋବାଇଲ୍ ଫୋନ୍ର ଟର୍ଚ୍ଚଲାଇଟ୍ ବ୍ୟବହାର କରି ସାହାଯ୍ୟ ପାଇଁ ଅନୁରୋଧ କରୁଥିଲେ। ଦୀର୍ଘ ସମୟର ଉଦ୍ଧାର କାର୍ଯ୍ୟ ପରେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ଗାଡ଼ି ଖାତରୁ ବାହାର କରାଯାଇଥିଲା ଓ ଯୁବରାଜଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ବାପାଙ୍କ ସାମ୍ନାରେ ହିଁ ଯୁବରାଜ ବୁଡ଼ିଯାଇଥିଲେ।
ପରେ ତାଙ୍କ ପିତା ନଲେଜ୍ ପାର୍କ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ। ସୂଚନା ଅନୁଯାୟୀ, ଏକ ମଲ୍ ବେସମେଣ୍ଟ୍ ତିଆରି କରିବା ପାଇଁ ସେଠାରେ ୭୦ ଫୁଟ ଗଭୀରର ଏକ ଗାତ ଖୋଳାଯାଇଥିଲା।
ଯୁବରାଜ ସେକ୍ଟର ୧୫୦ ସ୍ଥିତ ଟାଟା ୟୁରେକା ପାର୍କ ସୋସାଇଟିରେ ରହୁଥିଲେ ଓ ତାଙ୍କ ପିତା ରାଜକୁମାର ଜଣେ ଅବସରପ୍ରାପ୍ତ SBI କର୍ମଚାରୀ ଥିଲେ। ଏହି ଘଟଣାକୁ ନେଇ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣା ପରେ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ସେଠାରେ ସର୍ଭିସ୍ ରୋଡରେ ରିଫ୍ଲେକ୍ଟର ଏବଂ ସାଇନ୍ ବୋର୍ଡ ଲଗାଇବାକୁ ଦାବି କରିଥିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସେମାନେ କହିଛନ୍ତି।