Latest Odisha News

ଆଜି ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଏନଡିଏ, ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ: କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ?  ବୁଧବାର ବାଚସ୍ପତି ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଆଜି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଏନଡିଏ। ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବାର ସମୟ ଧାର୍ଯ୍ୟ ହୋଇଛି। ଏହି ପଦକୁ ନିଜ ପାଖରେ ରଖିବାକୁ ଚାହୁଁଛି ବିଜେପି। ତେବେ ଦଳ ଓମ୍ ବିର୍ଲାଙ୍କୁ ପୁଣିଥରେ ବାଚସ୍ପତି କରିପାରେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ବାଚସ୍ପତିଙ୍କ ନାମ ଘୋଷଣା କରିବେ। ବାଚସ୍ପତି ରେସରେ ସବୁଠୁ ଆଗରେ ଓମ୍ ବିର୍ଲାଙ୍କ ନାଁ ଥିବାବେଳେ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂହ ଏବଂ ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି । ଅନ୍ୟପଟେ ବିଜେପିର ସହଯୋଗୀ ଦଳ ଜେଡିୟୁ ଓ ଟିଡିପି ପକ୍ଷରୁ ମଧ୍ୟ ଏହି ପଦକୁ ନେଇ ଦାବି ଉଠିଥିଲା। ପରବର୍ତ୍ତୀ ସମୟରେ ଜେଡିୟୁ ବିଜେପିର ଯେକୌଣସି ନିଷ୍ପତ୍ତିର ସମର୍ଥନ କରିବ ବୋଲି ଘୋଷଣା କରିଛି।

ସେପଟେ ଇଣ୍ଡିଆ ମେଣ୍ଟ ଏଥର ଉପବାଚସ୍ପତି ପଦ ପାଇଁ ଦାବି କରିବ। ବରିଷ୍ଠ କଂଗ୍ରେସ ନେତା କେ.ସୁରେଶଙ୍କର ନାମ ଏଥିଲାଗି ଚର୍ଚ୍ଚାରେ ରହିଛି। ଯଦି ବିରୋଧୀ ଦଳକୁ ଏହି ପଦ ନମିଳେ ତେବେ ସେମାନେ ବାଚସ୍ପତି ପଦ ଲାଗି ମଧ୍ୟ ନିଜର ପ୍ରାର୍ଥୀ ଦେବେ ବୋଲି କୁହାଯାଉଛି। କିନ୍ତୁ ଉପବାଚସ୍ପତି ପଦ ବିରୋଧୀ ଦଳକୁ ଦେବାର ପରମ୍ପରା ରହିଛି। ତେବେ ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସେ ପର୍ଯ୍ୟନ୍ତ ଭର୍ତୃହରି ମହତାବଙ୍କୁ ଅସ୍ଥାୟୀ ବାଚସ୍ପତି ରୂପେ ନିଯୁକ୍ତ କରାଯାଇଛି ।

ସୂଚନା ଥାଉକି, ୧୮ତମ ଲୋକସଭାର ପ୍ରଥମ ଅଧିବେଶନ କାଲିଠୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି । ଜୁନ ୨୭ରେ ସଂସଦର ମିଳିତ ଅଧିବେଶନ ହେବାକୁ ଥିବାବେଳେ ସେଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧିତ କରିବେ ।

Leave A Reply

Your email address will not be published.