ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ମେ ୨୯ ତାରିଖରୁ, ୬ଟି ରାଜ୍ୟରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ଲକ୍ଷ ଲକ୍ଷ ଲୋକେ ଏବେ ବି ବନ୍ୟା ପାଣି ସହିତ ସଂଘର୍ଷ କରୁଛନ୍ତି। ଆସାମ, ମେଘାଳୟ, ମଣିପୁର, ତ୍ରିପୁରା, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି। ସମୟ ପୂର୍ବରୁ ମୌସୁମୀ ପ୍ରଭାବରେ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଗତ ୪ ଦିନ ଧରି ଲଗାଣ ବର୍ଷା ହେଉଛି। ବର୍ଷା ବିତ୍ପାତ ଯୋଗୁଁ ଆସାମ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ମଣିପୁର ଆଦି ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଲାଗି ରହିଛି।
ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ସ୍ଥିତି ଉପୁଜିଛି , ଆସିଛି ଜଳ ପ୍ରଳୟ । ୨୨ ଜିଲ୍ଲାର ୧୨୫୪ ଗାଁରେ ସାଢ଼େ ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଘର ଦ୍ବାର ସବୁଠି ପାଣି । ଜଳବନ୍ଦୀରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ସହ ବାୟୁସେନା ଓ ସ୍ଥଳସେନା ନିୟୋଜିତ ଅଛନ୍ତି । ସେହିପରି ୪୭ଟି ସ୍ଥାନରେ ଭୂସ୍ଖଳନ ଘଟିଛି। ଭାରତୀୟ ସେନା ମଣିପୁରରେ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି। ସିକିମରେ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି ଯେଉଁଠାରେ ଭୂସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ସୁରକ୍ଷା କର୍ମୀ ନିଖୋଜ ଅଛନ୍ତି। ଏଠାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଯଦିଓ ତ୍ରିପୁରାରେ ପରିସ୍ଥିତିରେ ଟିକିଏ ଉନ୍ନତି ହୋଇଛି, ତଥାପି ୧୦,୦୦୦ ଲୋକ ରିଲିଫ୍ ଶିବିରରେ ଆଶ୍ରୟ ନେଉଛନ୍ତି।
ବନ୍ୟା ପାଇଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ପୂର୍ବୋତ୍ତର ରାଜ୍ୟକୁ ମେ ୨୯ ତାରିଖରେ ମୌସୁମୀ ବାୟୁ ଛୁଇଁଛି। ୪ ଦିନ ପରେ ବି ମୌସୁମୀ ବାୟୁ ସେଠାରେ ସକ୍ରିୟ ରହିଛି। ପ୍ରଭାବରେ ମଣିପୁର, ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମିଜୋରାମ ଓ ସିକ୍କିମରେ ବର୍ଷା ବିତ୍ପାତ ଜାରି ରହିଛି।
Comments are closed.