Latest Odisha News

BREAKING NEWS

ଓଡିଶାରେ ଆଗାମୀ ୩ ଦିନ ଧରି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଭାଗରେ ତାପମାତ୍ରା ସାମନ୍ୟ ହ୍ରାସ ଘଟିବ ବୋଲି ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ରମେଶ ନାୟକ କହିଛନ୍ତି, ପୂର୍ବ-ପଶ୍ଚିମବଙ୍ଗର ଗାଙ୍ଗେୟ ସମତଳ ଅଞ୍ଚଳରୁ ଦକ୍ଷିଣ-ଛତିଶଗଡ ଉପର ଦେଇ ଘୃର୍ଣ୍ଣିବଳୟ ସୃଷ୍ଟି ହୋଇଛି ।

“ଏହି ପ୍ରତିକୂଳ ପାଗ ଯୋଗୁଁ ଓଡିଶାରେ ଦିନ ତଥା ରାତ୍ରିର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବ।

ଏହା ଫଳରେ ଓଡିଶାର କେତେଗୁଡିଏ ଜିଲ୍ଲାରେ ମାର୍ଚ୍ଚ ୧୩ ତାରିଖ ତଥା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡା ରହିଛି ।

ଆହୁରି ମଧ୍ୟ ଆସନ୍ତା ୧୪ ଓ ୧୫ ତାରିଖ ଏହି ୨ ଦିନ ରାଜ୍ୟରେ ବର୍ଷା ସହ ଝଡତୋଫାନ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

ସେହିପରି ମାର୍ଚ୍ଚ ୧୪ ତାରିଖରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡଘଡି ଆଶଙ୍କା ରହିଛି ।

ଏଥିସହିତ ମାର୍ଚ୍ଚ ୧୫ ତାରିଖରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ଓ ଘଡଘଡି ସହ ପ୍ରବଳ ବେଗରେ ପବନ ପ୍ରବାହିତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.