ନୂଆଦିଲ୍ଲୀ: ୫୦ ଦିନ ପରେ ତିହାର ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ପରେ ବାହାରକୁ ଆସିଛନ୍ତି କେଜ୍ରିୱାଲ। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ସର୍ଭମୂଳକ ଜାମିନ୍ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଜାମିନ ପାଇବା ପରେ ଆଜି ପ୍ରଥମେ ହନୁମାନ ମନ୍ଦିର ଯାଇ ବଜରଙ୍ଗବାଲିଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଏହାପରେ ପାର୍ଟୀ ଅଫିସକୁ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେଜ୍ରିୱାଲ ।
କେଜ୍ରିୱାଲ କହିଛନ୍ତି ଯେ, ଦେଶରେ ଏକଛତ୍ରବାଦୀ ଶାସନ ଚଳାଇଛନ୍ତି ମୋଦୀ ସରକାର । ଆମ ଆଦମୀ ପାର୍ଟୀକୁ ପୁରା ଭାଙ୍ଗିଦେବାକୁ ଷଡଯନ୍ତ୍ର କରୁଛନ୍ତି ମୋଦୀ । କିନ୍ତୁ ବଜରଙ୍ଗ ବାଲୀଙ୍କ କୃପାରୁ ସେସବୁ ସମ୍ଭବ ହେବନାହିଁ । ଏଥର ଲୋକସଭା ନିର୍ବାଚନରେ ଯଦିଓ ବିଜେପି ସରକାର ଗଢିବ କିନ୍ତୁ ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି କହିଛନ୍ତି କେଜ୍ରିୱାଲ । କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୧୭ ସେପ୍ଟେମ୍ବରକୁ ପ୍ରଧାନମନ୍ତ୍ରୀଙ୍କୁ ୭୫ ବର୍ଷ ହୋଇଯିବ । ପ୍ରଧାନମନ୍ତ୍ରୀ ନିଜେ ଏହି ନିୟମ କରିଥିଲେ ଯେ ୭୫ ବର୍ଷରୁ ଅଧିକ ବୟସ ନେତାଙ୍କୁ ଅବସର ଦିଆଯିବ । ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନଙ୍କୁ ତାଙ୍କ ବୟସର କାରଣ ଦର୍ଶାଇ ଅବସର ଦିଆଯାଇଥିଲା । ବର୍ତ୍ତମାନ ନରେନ୍ଦ୍ର ମୋଦୀ ୭୫ ବର୍ଷରେ ପାଦ ରଖିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ମୋର ପ୍ରଶ୍ନ ଯେ, ଏବେ ତାଙ୍କ ପ୍ରଧାନମନ୍ତ୍ରୀ ଆଶାୟୀ କିଏ ଅଛନ୍ତି ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।
କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ଆଗାମୀ ପ୍ରଧାନମନ୍ତ୍ରୀ ଅମିତ ଶାହାଙ୍କୁ କରିବେ । ସେଥିପାଇଁ ସେ ନିଜ ପାଇଁ ନୁହେଁ ବରଂ ଅମିତ ଶାହାଙ୍କ ପାଇଁ ଭୋଟ ମାଗୁଛନ୍ତି । ଆପଣମାନେ ଯେତେବେଳେ ବିଜେପିକୁ ଭୋଟ ଦେବାକୁ ଯିବେ ସେତେବେଳେ ଗୋଟେ କଥା ମନେରଖିବେ ଯେ, ଆପଣ ମୋଦୀଙ୍କୁ ନୁହେଁ ବରଂ ଶାହାଙ୍କୁ ଭୋଟ ଦେଉଛନ୍ତି । ଏହାରି ଭିତରେ ସେ ବିଜେପିକୁ ଆହୁରି ଏକ ପ୍ରଶ୍ନ କରି କରିଛନ୍ତି ଯେ, ଯଦି ମୋଦୀ ଅବସର ନେବେ ତେବେ ସେ ଦେଇଥିବା ଗ୍ୟାରେଣ୍ଟି କିଏ ପୂରଣ କରିବ?
କେଜ୍ରିଓ୍ୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ‘ଯଦି ବିଜେପି ସରକାର ଗଠନ ହୁଏ ତେବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ପଦରୁ ହଟାଇ ଦିଆଯିବ। କାରଣ ମଧ୍ୟପ୍ରଦେଶରେ ବିଜେପିକୁ ଜିତେଇଥିବା ଶିବରାଜ ସିଂହ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ ନକରି ତାଙ୍କର ରାଜନୀତି କ୍ୟାରିୟର ଶେଷ କରିଦିଆ ଗଲା । ସେହିପରି ବସୁନ୍ଧରା ରାଜେ, ମନହୋର ଲାଲ ଖଟ୍ଟର, ରମଣ ସିଂହଙ୍କ ରାଜନୀତି କ୍ୟାରିୟରକୁ ମଧ୍ୟ ଶେଷ କରିଦିଆ ଗଲା । ସେମାନଙ୍କ ପରେ ଏବେ ଯୋଗୀ ଆଦିତ୍ୟନାଥଙ୍କ ପାଳି । ଯଦି ବିଜେପି ନିର୍ବାଚନ ଜିତେ ତେବେ ଦୁଇ ମାସ ଭିତରେ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଦିଆଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
Comments are closed.