Latest Odisha News

BREAKING NEWS

୨୪ର ଚର୍ଚ୍ଚିତ ରାୟ: ଜାଣନ୍ତୁ କ’ଣ ଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବିଦାୟୀ ବର୍ଷରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ସମ୍ବିଧାନ ପ୍ରସ୍ତାବନାରୁ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦ ହଟାଇବା, ନିର୍ବାଚନୀ ବଣ୍ଡକୁ ରଦ୍ଦ କରିବା, କୋଟା ପ୍ରସଙ୍ଗ ଓ ଧର୍ମପୀଠ ସର୍ଭେକୁ ନେଇ ସୃଷ୍ଟି ବିବାଦ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ପ୍ରକାଶ କରିଥିଲେ।

ସମ୍ବିଧାନରୁ ହଟିବନି ଧର୍ମନିରପେକ୍ଷ, ସମାଜବାଦ
ସମ୍ବିଧାନର ପ୍ରସ୍ତାବନାରୁ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦ ହଟିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ନଭେମ୍ବର ୨୭ରେ ରାୟ ଦେଇଥିଲେ । ସଂସଦକୁ ସମ୍ବିଧାନ ସଂଶୋଧନ କରିବା ଲାଗି ଯେଉଁ କ୍ଷମତା ଦିଆଯାଇଛି ତାହା ନିର୍ବିବାଦୀୟ ଏବଂ ଏହାକୁ ଚାଲେଞ୍ଜ କରଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ଓ ବିଚାରପତି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ବେଞ୍ଚ କହିଥିଲେ।

ନିର୍ବାଚନୀ ବଣ୍ଡ ରଦ୍ଦ
ଗତ ଫେବ୍ରୁଆରୀ ମାସରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ ଅବୈଧ ଓ ଅସାମ୍ବିଧାନିକ ବୋଲି ଦର୍ଶାଇ ରଦ୍ଦ କରିଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ବେଞ୍ଚ ଏହି ରାୟ ଶୁଣାଇଥିଲେ। ୨୦୧୮ରେ ଏହା ଆରମ୍ଭ ହେବା ଦିନରୁ, ଏହାକୁ ନେଇ ବିବାଦ ଦେଖାଦେଇଥିଲା। ବିଭିନ୍ନ ବ୍ୟକ୍ତିବିଶେଷ କିମ୍ବା କମ୍ପାନି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ନିର୍ବାଚନୀ ବଣ୍ଡ କ୍ରୟ କରି ତାକୁ ନିଜ ପସନ୍ଦର ରାଜନୈତିକ ଦଳଙ୍କୁ ଚାନ୍ଦା ଆକାରରେ ଦେଉଥିଲେ।

କୋଟା ଭିତରେ କୋଟା
ସୁପ୍ରିମକୋର୍ଟ ଗତ ଅଗଷ୍ଟ ମାସରେ କୋଟା ଭିତରେ ସବ୍-କୋଟା ସୃଷ୍ଟି କରିବା ଲାଗି ରାଜ୍ୟମାନଙ୍କୁ ଅନୁମତି ପ୍ରଦାନ କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀ ପାଇଁ ରହିଥିବା କୋଟାରେ ସବ କୋଟା ସୃଷ୍ଟି କରାଯିବା ଫଳରେ, ସେହି ବର୍ଗର ଅଧିକ ଅନଗ୍ରସର ଓ ପଛୁଆ ଲୋକମାନଙ୍କୁ ତାର ସୁବିଧା ମିଳିପାରିବ ବୋଲି ଗଠିତ ବେଞ୍ଚ କହିଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଥିଲେ।

ଚାଇଲ୍ଡ ପର୍ନୋଗ୍ରାଫି ଅପରାଧ
ଗତ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଚାଇଲ୍ଡ ପର୍ନୋଗ୍ରାଫି ମାମଲାରେ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଥିଲେ। ଏହି ପ୍ରସଙ୍ଗରେ ଗଠିତ ଖଣ୍ଡପୀଠ କହିଥିଲେ, ପୋକ୍ସୋ ଆଇନର ଧାରା ୧୫ ଏବଂ ଆଇଟି ଆଇନର ଧାରା ୬୭-ବି ଅନୁସାରେ ଶିଶୁ ପର୍ନୋଗ୍ରାଫି ଭିଡିଓ ଗଚ୍ଛିତ ରଖିବା କିମ୍ବା ଦେଖିବା ଅପରାଧ ଏବଂ ଦଣ୍ଡନୀୟ । ସେହିଭଳି ଇଣ୍ଟରନେଟରେ ବିନା ଡାଉନଲୋଡରେ ଶିଶୁ ପର୍ନୋଗ୍ରାଫି ଭିଡିଓ ଦେଖିବା ମଧ୍ୟ ଅପରାଧ ବୋଲି କୋର୍ଟ କହିଥିଲେ ।
ଧର୍ମ ଆଧାରରେ ହେବନି ସଂରକ୍ଷଣ
ଧର୍ମ ଆଧାରରେ ସଂରକ୍ଷଣ ହୋଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଚଳିତ ମାସରେ କହିଥିଲେ। ଏଥିସହ ପଶ୍ଚିମବଙ୍ଗ ସରକାର ମୁସଲିମ ସମ୍ପ୍ରଦୟର ପ୍ରାୟ ୭୭ଟି ଜତିକୁ ଦେଇଥିବା ଓବିସି ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ ରଦ୍ଦ କରିଦେଇଥିଲେ । ସେହିପରି କଲିକତା ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପୂର୍ବରୁ ରଦ୍ଦ କରିଥିଲେ ।

ନ୍ୟାୟମୂର୍ତ୍ତିଙ୍କ ଆଖିରୁ ହଟିଲା ଅନ୍ଧପୁଟୁଳି
ବର୍ଷ ବର୍ଷ ଧରି ଅଦାଲତଗୁଡ଼ିକରେ ନ୍ୟାୟର ପ୍ରତୀକ ‘ଲେଡି ଜଷ୍ଟିସ’ ମୂର୍ତ୍ତିରେ ଅନ୍ଧପୁଟୁଳି ଦେଖିବାକୁ ମିଳୁଥିଲା। କିନ୍ତୁ ୨୦୨୪ରେ ସୁପ୍ରିମକୋର୍ଟ ଏହି ମୂର୍ତ୍ତିକୁ ବଦଳାଇଥିଲେ । ଭାରତୀୟ ନ୍ୟାୟ ବ୍ୟବସ୍ଥାର ପରିବର୍ତ୍ତିତ ରୂପକୁ ପ୍ରଦର୍ଶନ କରିବାକୁ ପ୍ରତିମୂର୍ତ୍ତିର ଆଖିରୁ ଅନ୍ଧପୁଟୁଳିକୁ ହଟାଇ ଦିଅଯାଇଥିଲା। ସ୍ବାଧୀନତାର ୭୮ ବର୍ଷ ପରେ ବିଚାର ବ୍ୟବସ୍ଥାର ଏକ ଅଙ୍ଗ ଭାବେ ପରିଚିତ ହୋଇଆସିଥିବା ନାରୀ ନ୍ୟାୟମୂର୍ତ୍ତି ବଦଳିଥିଲା।

ଖଣିଜ ଟିକସ ପାଇଁ ରାଜ୍ୟକୁ ଅନୁମତି
ସୁପ୍ରିମକୋର୍ଟ ଗତ ଅଗଷ୍ଟ ମାସରେ ଖଣିଜ ଟିକସ ବସାଇବା ଲାଗି ରାଜ୍ୟମାନଙ୍କୁ ଅନୁମତି ପ୍ରଦାନ କରିଥିଲେ। ଖଣିକ ଅଧିକର ଓ ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟମାନଙ୍କର ଅଧିକାର ରହିଛି ଏବଂ ସେମାନେ ଏହା ଉପରେ ଟିକସ ଆଦାୟ କରିପାରିବେ ବୋଲି, ଗଠିତ ବେଞ୍ଚ କହିଥିଲେ । ଏପରିକି ୨୦୦୫ ଏପ୍ରିଲ ୧ରୁ ରାଜ୍ୟମାନେ ଏହି ଟିକସ ଆଦାୟ କରିବେ। ଏହା ୨୦୨୬ ଏପ୍ରିଲ ୧ରୁ ଲାଗୁ ହେବ।

ଏବେ ସର୍ଭେ ହେବନି ଧର୍ମପୀଠ
ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ମନ୍ଦିର ମସଜିଦ ବିବାଦ ଉପରେ ସୁପ୍ରିମକୋର୍ଟ ଚଳିତମାସରେ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମନ୍ଦିର-ମସ୍‌ଜିଦ ଉପରେ କୌଣସି ସର୍ଭେ କରିବାକୁ ନିର୍ଦ୍ଦେଶ ଦେବା କିମ୍ବା କୌଣସି ଆବେଦନ ବିଚାର ଲାଗି ଗ୍ରହଣ କରିବାକୁ ସବୁ ଅଦାଲତ ଉପରେ ରୋକ ଲଗାଇଛନ୍ତି। ସର୍ବୋଚ୍ଚ ଅଦାଲତ ପ୍ଲେସେସ ଅଫ୍ ଓରସିପ୍ ଆକ୍ଟ ୧୯୯୧ ଉପରେ ଶୁଣାଣି କରୁଛନ୍ତି। ଏହି ଆଇନ ବିରୋଧରେ ୬ଟି ପିଟିସନ ସୁପ୍ରିମକୋର୍ଟରେ ଦାୟର କରାଯାଇଛି। ଆଇନ ଅନୁସାରେ ଦେଶ ସ୍ଵାଧୀନତା ଲାଭ କରିବା ପୂର୍ବରୁ ଅର୍ଥାତ ୧୯୪୭ ଅଗଷ୍ଟ ୧୫ ତାରିଖ ପୂର୍ବର ଯେଉଁ ମନ୍ଦିର କିମ୍ବା ମସ୍‌ଦର ସ୍ଥିତି ଯାହାଥିଲା ତାହା ହିଁ ବଳବତ୍ତର ରହିବ।

ଆଉ ଫେରିବନି ବାଲଟ ଯୁଗ
ବାଲଟ ପେପର ଭୋଟ ଯୁଗର ଅନ୍ତ ଘଟିଛି। ଆଉ ବାଲଟ ପେପରରେ ଭୋଟ ଗ୍ରହଣ କରାଯିବ ନାହିଁ । ଏନେଇ ସୁପ୍ରିମକୋର୍ଟ ଚଳିତ ମାସରେ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଇଭିଏମରେ ତୃଟି ଦେଖ ଦେଉଥିବା ଦର୍ଶାଇ ପୁଣି ବାଲଟ ପେପରରେ ଭୋଟ କରାଇବା ଲାଗି ହୋଇଥିବା କେତେକ ପିଟିସନଙ୍କୁ ସର୍ବୋଚ୍ଚ ଅଦାଲତ ଖାରଜ କରିଥିଲେ। ଏନେଇ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ, ଯେତେବେଳେ ଆପଣ ନିର୍ବାଚନ ଜିତିଲେ ଇଭିଏମ୍ ଠିକ୍ ଆଉ ହାରିଗଲେ ଇଭିଏମରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣୁଛନ୍ତି।

ନିଟ୍-ୟୁଜି ପୁନଃ ପରୀକ୍ଷାକୁ ନା
ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହେଇଥିଲା। ପରୀକ୍ଷା ରଦ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହେବା ସହ ଅନେକ ଛାତ୍ରଛାତ୍ରୀ ବିକ୍ଷୋଭ ମଧ୍ୟ କରିଥିଲେ। ଏହି ଘଟଣାରେ ସର୍ବୋଚ୍ଚ ଅଦାଲତ ମାମଲାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ସିବିଆଇ ବିଭିନ୍ନ ରାଜ୍ୟରେ ଚଢ଼ାଉ କରି ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଥିଲା । କିନ୍ତୁ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଜଡିତ ଥିବାରୁ ପୁନଃ ପରୀକ୍ଷା ଲାଗି ସୁପ୍ରିମକୋର୍ଟ ଗତ ମେ ମାସରେ ମନା କରିଦେଇଥିଲେ।

Comments are closed.