Latest Odisha News

BREAKING NEWS

ପରଲୋକରେ ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସ

ବାଲେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା ବିଭିନ୍ନ ଅନୁଷ୍ଠାନର ପୃଷ୍ଠପୋଷକ ହିମାଂଶୁ ଦାସ ଗତକାଲି ଦେହାନ୍ତ ହୋଇଯାଇଛି । ଗତ କିଛିଦିନ ହେଲା ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତି ୧୧ଟା ୪୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।

ଶ୍ରୀ ଦାସ ବାଲେଶ୍ୱର ଜିଲ୍ଲା ତଥା ଓଡ଼ିଶାର ଶିଳ୍ପ ଜଗତରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଜଣେ ବିଶିଷ୍ଟ ସମାଜସେବୀ ଭାବେ ମଧ୍ୟ ବେଶ୍ ଜଣାଶୁଣା । ହରି ପ୍ଲାଷ୍ଟ, ହରି ମେରାଇନ୍, ହରି ମୋଟର୍ସ, ଓଡ଼ିଶା ରବର ଓ ମଡର୍ଣ୍ଣ ପବ୍ଲିକ ସ୍କୁଲର ସେ ପ୍ରତିଷ୍ଠାତା ଥିଲେ। ବାଲେଶ୍ୱର ଆର୍ଟ କଲେଜ, ବାଲେଶ୍ୱର ଲ’ କଲେଜ ଆଦି ପ୍ରତିଷ୍ଠା ହେବା ପଛରେ ତାଙ୍କର ଅବଦାନ ରହିଥିଲା। ଏଥିସହ ବାଲେଶ୍ବର ଶିଳ୍ପ ଓ ବଣିକ ସଂଘ, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଆଲୁମିନି ସଂଘର ସଭାପତି ଦାୟିତ୍ବ ତୁଲାଉଥିଲେ। ବାଲେସ୍ୱର ସହର ଉପକଣ୍ଠରେ ଥିବା ନୋସି ବିଜ୍ନେସ୍ ପାର୍କ ପ୍ରତିଷ୍ଠାରେ ମଧ୍ୟ ସେ ବିଶେଷ ଭୂମିକା ନିର୍ବାହ କରିଥିଲେ। ବାଲେଶ୍ବର ସହରର ବିକାଶ ସହିତ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି ଶିକ୍ଷା, ସଂସ୍କୃତି, ସାହିତ୍ୟ ଓ କଳାର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିଲେ।

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କ ମୃତ୍ୟୁ ବାଲେଶ୍ୱର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅନେକ ମତ ଦେଇଛନ୍ତି ।

Comments are closed.