ପରଲୋକରେ ବିଶିଷ୍ଟ ବାନାମ (କେନ୍ଦରା) ଶିଳ୍ପୀ ଉଦୟ ମୁର୍ମୁ

ଯାଜପୁର: ବିଶିଷ୍ଟ କାଠ ଖୋଦେଇ ଆଦିବାସୀ ଶିଳ୍ପୀ ଉଦୟ ମୁର୍ମୁ ଆଖି ବୁଜିଛନ୍ତି । ଗତ କିଛି ଦିନ ହେଲା କିଡିନୀ ରୋଗରେ ପିଡିତ ଉଦୟ ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସାପାଇଁ ହସପିଟାଲ ଯାଇ ପାରିନଥିଲେ । ଶେଷରେ ଘରେ ପଡି ପଡି ଗତ ୯ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଦିବାସୀମାନେ ବଜାଉଥିବା ବାନାମ ବା କେନ୍ଦରା ବନେଇବାରେ ସେ ଥିଲେ ସିଦ୍ଧହସ୍ତ । ତାଙ୍କର ହାତ ତିଆରି ବାନାମ ଖାଲି ଦେଖିବାକୁ ସୁନ୍ଦର ନଥିଲା ଖୁବ ସୁମଧୁର ସଂଗୀତ ମଧ୍ୟ ସୃଷ୍ଟି କରି ପାରୁଥିଲା । ଖାଲି ରାଜ୍ୟ ନୁହେଁ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ତାଙ୍କ ବାନାମକୁ ବେଶ ପସନ୍ଦ କରୁଥିଲେ । ନିକଟରେ ସୁଦୁର ଜର୍ମାନରୁ ଆସିଥିବା ଜଣେ ପର୍ଯ୍ୟଟକ ତାଙ୍କ ନିକଟରୁ ବାନାମ କିଣି ନେଇଥିଲେ । ଏହି ଶିଳ୍ପୀଙ୍କ ଘର କୋରେଇ ବ୍ଳକ ଅନ୍ତର୍ଗତ ଭାଲୁକାହୁଡି ଗାଁରେ । ସେ ଅତ୍ୟନ୍ତ ମେଳାପୀ ଓ ସରଳ ମଣିଷ ଥିଲେ । କାଠ କାମ ବ୍ୟତୀତ ଜଣେ ସାଇକେଲ ମରାମତି ମେକାନିକ ଭାବେ ମଧ୍ୟ ଆଖପାଖରେ ବେଶ ପରିଚିତ ଥିଲେ । ତତସହିତ ସାନ୍ତାଳୀ ସମାଜର ପଥ ପ୍ରଦର୍ଶକ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ସେ ଜଣେ ସମର୍ଥକ ଥିଲେ । ନିଜ ସମାଜର ସଂସ୍କାର କ୍ଷେତ୍ରରେ ମଧ୍ୟ ଉଦୟ ମୁର୍ମୁ ଅହରହ କାର୍ଯ୍ୟ କରି ଆସୁଥିଲେ । ଏଭଳି ଜଣେ ନିଆରା ଶିଳ୍ପୀଙ୍କର ଆତ୍ମାର ସଦଗତି ନିମନ୍ତେ ଓଡିଶା ଶିଳ୍ପୀ ମହାସଂଘ କାମନା କରୁଅଛି ।

ବିଭିନ୍ନ ଦୁରାରୋଗ୍ୟରେ ଜଣେ ପରେ ଜଣେ ଶିଳ୍ପୀ ଓ ବୁଣାକାରଙ୍କ ଦେହାନ୍ତ ଘଟୁଥିବାବେଳେ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କ ପାଇଁ ପୂର୍ବରୁ ଥିବା ଜୀବନବୀମା ଓ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ଉଠାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶିଳ୍ପୀ ମହାସଂଘ କହିଛି । ଏଣେ କୋଭିଡ ଜନିତ ଲକଡାଉନ ପାଇଁ ହସ୍ତକଳା ବିକ୍ରିବଟା ହୋଇପାରୁନଥିବାରୁ ରାଜ୍ୟର କାରିଗର ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏଭଳି ଅସମୟରେ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ପାଇଁ କରୋନା ଜନିତ ଆର୍ଥିକ ସହାୟତା ଓ ପୂର୍ବ ଭଳି ବୀମାର ପୁନଃ ପ୍ରଚଳନ ପାଇଁ ଦାବି କରିଛି ।