ରେମୁଣା: ରେମୁଣା ଥାନା ଅନ୍ତର୍ଗତ ମୁଖରା ଗାଁରେ ହାଇକୋର୍ଟ ଓକିଲ ତଥା ଭାରତ ସରକାରଙ୍କ ନୋଟାରୀ ପ୍ରବୀର କୁମାର ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ରବିବାର ଦିନ ସେ ଜେନାବରାଇ ମୌଜା ଅନ୍ତର୍ଗତ କମଳା ପୋଖରୀ ପାଖରେ ନିଜ ଜମିରେ ବାଉଁଶ ବୁଦା ସଫା କରାଉଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଉକ୍ତ ଗାଁର ଜୟଚନ୍ଦ୍ର ବେହେରା ଏବଂ ତାଙ୍କ ପୁଅ ସଞ୍ଜୟ ବେହେରା ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଆକ୍ରମଣ ଫଳରେ ପ୍ରବୀରଙ୍କ ଜଙ୍ଘ ଏବଂ ଗୋଡ଼ରେ ଗୁରୁତର ଆଘାତ ଲାଗିଛି।
ଏହି ବାପ-ପୁଅ ଯୋଡ଼ିଙ୍କ ପୂର୍ବରୁ ମଧ୍ୟ ଏଭଳି ଅନେକ ଅପରାଧୀକ କାର୍ଯ୍ୟକଳାପର ନଜିର ରହିଛି। ଜମିଜମା ମାମଲାରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ପୂର୍ବରୁ ଜେଲ୍ ମଧ୍ୟ ଯାଇସାରିଛନ୍ତି। ସୂଚନାଯୋଗ୍ୟ ଯେ ଆକ୍ରମଣର ଶିକାର ହୋଇଥିବା ପ୍ରବୀର ଭୁବନେଶ୍ୱରରେ ରୁହନ୍ତି। ତାଙ୍କ ବାପା ଗଙ୍ଗାଧର ଦାସଙ୍କ ଦେହାନ୍ତ ପରେ ସେ ନିଜ ଗାଁରେ ଥିବା ଜମିଜମା ବୁାଝାବୁଝି କରିବା ପାଇଁ ଯାଇଥିଲେ। ବାଉଁଶ ବୁଦା ସଫା କରାଉଥିବା ସମୟରେ ହଠାତ ଉତ୍ୟକ୍ତ ହୋଇ ବାପ ପୁଅ ତାଙ୍କ ଉପରକୁ କୋଦାଳ ଏବଂ ବାଉଁଶ ମୂଳୀ ସହାୟତାରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଘଟଣା ପରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ଏହି ଘଟଣାକୁ ନେଇ ପୋଲିସ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନିୟ ଲୋକ ଦାବି କରିଛନ୍ତି।
Comments are closed.