Latest Odisha News

ୟୁଜି ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁନ ୩ରୁ ଆବେଦନ

ଭୁବନେଶ୍ବର: ରାଜ୍ୟରେ ଥିବା ୧ ହଜାର ୩୯ଟି ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ନିମନ୍ତେ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଜୁନ୍ ୩ ଅପରାହ୍ନ ୪ଟାରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା । ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୭ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହାପରେ ଜୁନ ୧୮ରୁ ୧୯ ତାରିଖ ମଧ୍ୟରେ କମନ୍ ଆପ୍ଲିକେସନ ଫର୍ମ (ସିଏଏଫ)ର ତ୍ରୁଟିକୁ ସୁଧାରି ପାରିବେ । ଜୁନ ୨୫ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ ଓ ୨୫ରୁ ୨୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍ଲାଇଡ / ଫ୍ରିଜ / ଫ୍ଲୋଏଟ ଅପ୍ସନ ଚୟନ କରିପାରିବେ । ଏହାପରେ ଜୁନ୍ ୨୬ରୁ ୨୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କଲେଜକୁ ଯାଇ ରିପୋର୍ଟ କରିବେ । ଜୁଲାଇ ୫ରେ ୨ୟ ପର୍ଯ୍ୟାୟ ଓ ଜୁଲାଇ ୧୫ରେ ୩ୟ ପର୍ଯ୍ୟାୟ ମେରିଟ ଲିଷ୍ଟ ଜାରି କରାଯିବ । ଅଗଷ୍ଟ ୧ରୁ ପାଠପଢା ଆରମ୍ଭ ହେବ ବୋଲି ଜଣାପଡିଛି।

ରାଜ୍ୟର ୩ଟି ବିଶ୍ୱବିଦ୍ୟାଳୟ ଓ ୩ଟି ସ୍ୱୟଂଶାସିତ କଲେଜରେ ୪ ବର୍ଷିଆ ପାଠ୍ୟକ୍ରମ ଇଣ୍ଟିଗ୍ରେଟେଡ ବି,ଏ. ବି.ଏଡ ଓ ବି.ଏସସି ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । କହିରଖୁଛୁ ଯେ, ରାଜ୍ୟରେ +୩ କଳାରେ ୧ ଲକ୍ଷ ୫୩ ହଜାର ୧୨୦ଟି ଆସନ ରହିଥିବା ବେଳେ ବିଜ୍ଞାନରେ ୭୩ ହଜାର ୪୧୧ଟି ଆସନ, ବାଣିଜ୍ୟରେ ୩୧ ହଜାର ୯୬୪ଟି ଆସନ, ସେଲ୍ଫ ଫାଇନାନସିଙ୍ଗରେ ୫ ହଜାର ୧୨୮ଟି ଆସନ ଏବଂ ସଂସ୍କୃତରେ ୯ ହଜାର ୨୧୨ଟି ଆସନ ରହିଛି।

 

 

 

Comments are closed.