ନୂଆଦିଲ୍ଲୀ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ଯାହାକି କ୍ରୀଡା ଦୁନିଆରେ ହଇଚଇ ସୃଷ୍ଟି କରିଛି । ଅଷ୍ଟ୍ରେଲିଆନ ଓପନ ଚଳିତ ବର୍ଷ ଜାନୁୟାରୀ ୧୨ରୁ ଆରମ୍ଭ ହେବ । ଜୋକୋଭିଚ ଏହା ପୂର୍ବରୁ କହିଛନ୍ତି ତାଙ୍କୁ ଏଠାରେ ବିଷ ଦିଆଯିବା ପାଇଁ ଉଦ୍ୟମ କରାଯାଇଥିଲା । ଜୋକୋଭିଚ କୋଭିଡ-୧୯ ଭ୍ୟାକ୍ସିନ ନେଇ ନ ଥିବାରୁ ତାଙ୍କୁ ୨୦୨୨ ଅଷ୍ଟ୍ରେଲିଆନ ଓପନ ଖେଳିବା ପାଇଁ ଅନୁମତି ଦିଆ ଯାଇ ନ ଥିଲା । ସେ ତାଙ୍କ ଟ୍ରାଭେଲ ଡକ୍ୟୁମେଂଟରେ ଭୁଲ ତଥ୍ୟ ଦେଇଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏକ ହୋଟେଲରେ ରଖା ଯାଇଥିଲା । ଏପରିକି ତାଙ୍କ ଭିଜା ରଦ୍ଦ କରି ଦିଆ ଯାଇଥିଲା ।
ଜୋକୋଭିଚ କହିଛନ୍ତି ସେହି ହୋଟେଲରେ ମୋତେ ବିଷ ଦିଆ ଯାଇଥିଲା । ଖାଦ୍ୟ ଖାଇବା ପରେ ମୋ ଦେହ ଖରାପ ହୋଇ ଯାଇଥିଲା । ଏହାକୁ ମୁଁ ସର୍ବସାଧାରଣରେ କହି ନ ଥିଲି । ମୋ ଶରୀରରେ ଅନାବଶ୍ୟକ ଭାବେ କେତେକ ଧାତୁର ମାତ୍ରା ବୃଦ୍ଧି ପାଇଥିଲା । ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଥିଲେ । ଜୋକୋଭିଚ ଟେନିସ ଇତିହାସର ମହାନ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି । ସେ ୨୪ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ୫ମ ଖେଳାଳି ଭାବେ ଗୋଲ୍ଡେନ ସ୍ଲାମ ମଧ୍ୟ ହାସଲ କରିଛନ୍ତି ।