Latest Odisha News

BREAKING NEWS

ମନ ଓ ଦେହକୁ ଶାନ୍ତି ଦେଉଛି ଶୀତଳ ବାମ୍ପ ସେବା

ପୁରୀ : ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଏହି ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ପୁରୀ ଟାଉନ ହଲ ଛକ । ଆଉ ଏ ଜାଗା ସଭିଙ୍କର ଭାରୀ ପ୍ରିୟ। ଆପଣ ଅସହ୍ୟ ଖରାରେ ଯାଇ ପହଞ୍ଚିଗଲେ ସେଠି ଚେୟାରଟିଏ ମିଳିଯାଏ ବସିବାକୁ । ମୁଣ୍ଡ ଉପରେ ଚାଳିଆଟି ଛାଇଟିକେ ଦିଏ । ତାପରେ ଆରମ୍ଭ ହୁଏ ସେବା ।

ଗୋଟିଏ ଛୋଟ ପାଉଡର ଡ଼ବା, ଅତର ବୋତଲ, ବରଫ ସହ ଟାୱେଲ ଖଣ୍ଡେ,ଆଉ ପାଣି ସ୍ପ୍ରେୟାରଟିଏ, ଆଉ ଏତିକି ସାମଗ୍ରୀରେ ଆରମ୍ଭ ହୋଇଥାଏ ସେବା । ସେ ବାଟୋଇ ହୁଅନ୍ତୁ କି ଜିଲ୍ଲାର ଅଧିକାରୀ, ସମସ୍ତେ ଏହି ସେବାର ପ୍ରଶଂସକ । ଏହି ସେବା ଦ୍ୱାରା ଲୋକଙ୍କ ମନ ଓ ଦେହକୁ ଶାନ୍ତି ମିଳିଥାଏ ।ଶାନ୍ତି ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯାଉଛି ଶୀତଳ ବାମ୍ପ ସେବା । ସମସ୍ତେ କୁହନ୍ତି ବାମ୍ଫ କେମିତି ଶୀତଳତା ଦେବ ହେଲେ ଶାନ୍ତି ଅନୁଷ୍ଠାନ ତରଫରୁ ପୁରୀରେ ଦିଆଯାଉଥିବା ଏହି ବାମ୍ଫ ସେବା ନିଆରା । ଯିଏ ଅନୁଭବ କରିଛି, ସିଏ ହିଁ ଜାଣିଛି ଏହାର ମହତ୍ତ୍ୱ ।

ଦୀର୍ଘ ୨୫ ବର୍ଷ ଧରି ଏ ବାମ୍ଫ ସେବା ଆୟୋଜନ କରୁଥିବା ଶାନ୍ତି ଅନୁଷ୍ଠାନର ମୁଖ୍ୟ ପଦ୍ମନାଭ ତ୍ରିପାଠୀ ଲାଗିପଡ଼ନ୍ତି ଲୋକଙ୍କ ସେବାରେ । ପ୍ରଥମେ ମୁହଁରେ ପାଣି ସ୍ପ୍ରେ ହୁଏ । ପରେ ବରଫ ଯୁକ୍ତ ଏକ ଟାୱେଲରେ ମୁହଁକୁ ପୋଛି ତାକୁ ମୁଣ୍ଡ ଉପରେ କିଛି ସମୟ ଛାଡ଼ି ଦିଆଯାଏ । ଏ ଟାୱେଲଟିକୁ ଚନ୍ଦନ, ଅଗୁର, କର୍ପୂର ଭଳି ସୁବାସିତ ଥଣ୍ଡା ଜଳରେ ବୁଡାଇ ରଖାଯାଇଥାଏ । ତାର ଏହି ସୁଗନ୍ଧରେ ଆତ୍ମତୃପ୍ତି ମିଳିଥାଏ । ଆଉ ତା ସାଙ୍ଗକୁ ଥଣ୍ଡା ପାଉଡର ଏବଂ ସେଣ୍ଟ ଲାଗିଗଲେ,ସୁବାସରୁ ମିଳିଥାଏ ଶାନ୍ତି । ପଦ୍ମନାଭ କୁହନ୍ତି ଖଟିରୁ ଆରମ୍ଭ ହୋଇଥିଲା ଏ ଅଜବ ଆଇଡିଆ ।

ସାଙ୍ଗସାଥୀଙ୍କୁ ନେଇ  ପ୍ରଥମେ ଏ ଛୋଟ ଛୋଟ ଜିନିଷ ଯୋଗାଡ଼ କରିବାକୁ ପଡୁଥିଲା ।ଏବେ କିନ୍ତୁ ଆପେ ଆପେ ଅନେକ ଲୋକ ସାହାଯ୍ୟର ହାତ ବଢ଼ାଉଛନ୍ତି । ଆଉ ଗରିବ ଠାରୁ ଧନୀ ସମସ୍ତେ ଏହି ସେବାର ନିଶୁଳ୍କ ମଜା ଉଠାଉଛନ୍ତି ।

ଯାହା ବି ହେଉ ନା କାହିଁକି ପଥିକଙ୍କୁ ତୃପ୍ତି ଦେଉଥିବା ଏହି ସେବା ନିଜେ ଅନୁଭବ ନ କଲେ ଏହାର ମହତ୍ତ୍ୱ ଜାଣିବା ଅସମ୍ଭବ ।

 

Leave A Reply

Your email address will not be published.