ନୂଆଦିଲ୍ଲୀ: ଏଣିକି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେଲେ ମିଳିବ ୨୫ ହଜାର ଟଙ୍କା । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ କିଛି ଏପରି ଘୋଷଣା କରିଛନ୍ତି । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଟିକୁ ଆଗରୁ ୫ ହଜାର ମିଳୁଥିବା ବେଳେ ଏହାକୁ ୫ ଗୁଣା କରାଯାଇ ଏବେ ୨୫ ହଜାର ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରିଛନ୍ତି ଗଡକାରୀ ।
ଏନେଇ ନାଗପୁରରେ ସଡକ ସପ୍ତାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଡକାରୀ କହିଛନ୍ତି, ସଡ଼କ ଦୁର୍ଘଟଣାରେ ବର୍ଷକୁ ଯେତିକି ଲୋକଙ୍କ ମୃତ୍ୟୁ ଘଟୁଛି, ତାହା କରୋନା ମହାମାରୀ, କୌଣସି ଦଙ୍ଗା କିମ୍ବା ଯୁଦ୍ଧ ସମୟର ମୃତ୍ୟୁ ସଂଖ୍ୟା ଠାରୁ ମଧ୍ୟ ଅଧିକ । ଭାରତରେ ଦୈନିକ ୪୭୪ ଜଣ ଲୋକଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଯାଉଛି । ତେବେ ସବୁଠୁ ଉଦ୍ବେଗର ବିଷୟ ହେଉଛି, ୮୦ ହଜାର ମୃତକଙ୍କ ମଧ୍ୟରୁ ୫୦ ହଜାର ଏଭଳି ଲୋକ ରହିଛନ୍ତି, ଯଦି ସେମାନଙ୍କୁ ସଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚାଯାଇପାରିଥାନ୍ତା, ତେବେ ସେମାନେ ବଞ୍ଚି ଯାଇଥାନ୍ତେ ।
ଏହି ସଡ଼କ ଦୁର୍ଘଟଣାଜନିତ ଅକାଳ ମୃତ୍ୟୁକୁ ରୋକିବା ଲାଗି ତାଙ୍କ ମନ୍ତ୍ରଣାଳୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଣିକି ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଉଥିବା ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ବିଚାର କରୁଥିବା ସେ କହିଛନ୍ତି । ପୂର୍ବରୁ ଏହି ରାଶି ୫ ହଜାର ଦିଆଯାଉଥିଲା, ଯାହାକି ଆହତ ବ୍ୟକ୍ତିଟିକୁ ସଂଘର୍ଷ କରି ଠିକ୍ ସମୟ ଭିତରେ ହସ୍ପିଟାଲରେ ପହଞ୍ଚାଉଥିବା ବ୍ୟକ୍ତିଟେ ପାଇଁ ଯଥେଷ୍ଟ ନୁହେଁ, ତେଣୁ ଏହାକୁ ଆହୁରି ୫ ଗୁଣା ବୃଦ୍ଧି କରାଯିବ ।
ଏଥିସହିତ ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ, ଏବେ ସରକାର ଦୁର୍ଘଟଣାର ୭ ଦିନ ପର୍ଯ୍ୟନ୍ତ ରୋଗୀଟିର ଚିକିତ୍ସା ଖର୍ଚ୍ଚ ଉଠାଇବା ବେଳେ ୧.୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ । ଏହା କେବଳ ଜାତୀୟ ରାଜରାସ୍ତାରେ ଘଟୁଥିବା ଦୁର୍ଘଟଣା ପାଇଁ ନୁହେଁ ରାଜ୍ୟ ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ପାଇଁ ମଧ୍ୟ ଲାଗୁ ହୋଇଛି ।
ଅନେକ ସମୟରେ ରାଜପଥ ଗୁଡିକରେ ଅଟକି ଥିବା ଗାଡି, ତ୍ରୁଟିପୂର୍ଣ୍ଣ ରହଣି, ବ୍ରେକ୍ଡାଉନ୍ ଯାନବାହନ ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଛି । ଏଭଳି ପରିସ୍ଥିତିରେ ଗାଡିର ନମ୍ବର ସହ ଫଟୋ ଉଠାଇ ସଡ଼କ ପରିବହନ ବିଭାଗକୁ ପଠାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁରସ୍କାର ତଥା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିରେ ଗାଡିରୁ ଚାଲାଣ କଟାଯିବାକୁ ଥିବା ଅର୍ଥର ୧୦ ପ୍ରତିଶତ ସଂପୃକ୍ତ ଫଟୋ ଓ ତଥ୍ୟପ୍ରଦାନକାରୀ ବ୍ୟକ୍ତିଙ୍କୁ କମିଶନ ଆକାରରେ ଦିଆଯିବ ବୋଲି ଗଡକରୀ କହିଛନ୍ତି ।