Latest Odisha News

ଯାଜପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ: ଏଣିକି ନିଜ ମାଟିରେ କାମ ପାଇବେ ପ୍ରବାସୀ

ଯାଜପୁର: ମହାମାରୀ କରୋନାର ପ୍ରଭାବ ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଖିବାକୁ ମିଳିଛି । ଏଥିରେ ପ୍ରଭାବିତ ହୋଇଛନ୍ତି ସବୁ ବର୍ଗର ଲୋକେ । ତେବେ କରୋନା ଜନିତ ବିଭିନ୍ନ କଟକଣା ଯୋଗୁଁ କାମଧନ୍ଧା ହରାଇ ଘରକୁ ଫେରିଥିବା ପ୍ରବାସୀମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ।

ତେଣୁ ଏମାନଙ୍କୁ କାମ ଯୋଗାଇଦେବା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ବିଭିନ୍ନ ସ୍ଥାନରେ କର୍ମନିଯୁକ୍ତି ସୃଷ୍ଟି କରାଯାଇ ଏହି ପ୍ରବାସୀ ମାନଙ୍କୁ କାମ ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷିରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଂଚାୟତରେ ସ୍ଥାନୀୟ ସରପଂଚଙ୍କ ଉଦ୍ୟମରେ ପ୍ରବାସୀଙ୍କ ପାଇଁ ସୃଷ୍ଟି ହୋଇଛି କର୍ମନିଯୁକ୍ତି ।

ମନରେଗା ଯୋଜନାରେ ସେମାନଙ୍କୁ ଯୋଗାଇ ଦିଆଯିବ କାମ । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଶିଳାନ୍ୟାସ କରିଛନ୍ତି କୋରାଇ ବିଧାୟକ ଅଶୋକ ବଳ । ଖୁବ୍‌ଶିଘ୍ର ଏହି ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ଓ ପୋଖୋରୀ ଖୋଳା ଆଦି କାର୍ଯ୍ୟ ଆରମ୍ଭ ହେବ । ଏଥିରେ କାର୍ଯ୍ୟ କରି ପ୍ରବାସୀମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ବିଧାୟକ ଶ୍ରୀ ବଳ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମତେ ସ୍ଥାନୀୟ ବିଡିଓ, ସରପଂଚ ଓ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ପଂଚାୟତର ବିଭିନ୍ନ ଅଂଚଳରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବା ଉଦେଶ୍ୟରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.