Latest Odisha News

BREAKING NEWS

ମମତାଙ୍କ ସହ ଆଲୋଚନା କରିବାକୁ ରାଜିହେଲେ ଏନଆରଏସ ଡ଼ାକ୍ତର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ଆଲୋଚନା କରିବାକୁ ଏନଆରଏସ ମେଡ଼ଇକାଲ କଲେଜର କନିଷ୍ଠ ଡ଼ାକ୍ତରମାନେ ପରିଶେଷରେ ରାଜି ହୋଇଛନ୍ତି, ମାତ୍ର ଏଥିଲାଗି ସର୍ତ୍ତ ଏକ ସର୍ତ୍ତ ରଖାଯାଇଛି । କେବଳ ଗଣମାଧ୍ୟମ ସମ୍ମୁଖରେ ଏହି ଆଲୋଚନା କରିବାକୁ କନିଷ୍ଠ ଡ଼ାକ୍ତରମାନେ ସର୍ତ୍ତ ରଖିଥିବା ନେଇ ‘ଦି କ୍ୱିଣ୍ଟ’ରେ ରିପୋର୍ଟ ପ୍ରକାଶିତ ହୋଇଛି ।

କୋଲକାତାର ଏନଆରଏସ ମେଡ଼ିକାଲ କଲେଜରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି କନିଷ୍ଠ ଡ଼ାକ୍ତରଙ୍କୁ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ପରିବାଣ ମୁଖୋପାଧ୍ୟାୟ ନାମକ ଜଣେ ଶିକ୍ଷାନବିଶ ଡ଼ାକ୍ତରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା, ଏବେ ସେ କୋମା ଅବସ୍ଥାରେ ରହି ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ କେନ୍ଦ୍ରକରି ସମଗ୍ର ପଶ୍ଚିମବଙ୍ଗରେ ଡ଼ାକ୍ତରମାନେ ହରତାଳ କରିଛନ୍ତି ।

ପଶ୍ଚିମବଙ୍ଗ ସରକାର ଶନିବାର ଦିନ ଡ଼ାକ୍ତରମାନଙ୍କ ସମସ୍ତ ଦାବି ପୂରଣ କରିବେ ବୋଲି ଘୋଷଣା କରି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି । ମାତ୍ର ଡ଼ାକ୍ତରମାନେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ସୂଚନା ଦେଇଥିଲେ ।

ଏହି ଆକ୍ରମଣ ଘଟଣାକୁ ମୁଖ୍ୟମନ୍ତ୍ରୀ ମମତା ‘ଦୁର୍ଭାଗ୍ୟଜନକ’ କହିବା ସହିତ ଡ଼ାକ୍ତରମାନେ ତୁରନ୍ତ ଆନ୍ଦୋଳନ ପରିହାର କରି କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଜଣାଇଛନ୍ତି ।

ସେ ଆହୁରି ମଧ୍ୟ ଆଶ୍ୱାସନା ଦେଇ କହିଛନ୍ତି ଯେ, ଆନ୍ଦୋଳନରତ ସମସ୍ତ ଡ଼ାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।

ମାତ୍ର ଡ଼ାକ୍ତରମାନେ କହିଛନ୍ତି, ମମତା ଏନେଇ ଆମ ସହିତ ସେପରି କୌଣସି ଆଲୋଚନା କରିନାହାନ୍ତି । ଆନ୍ଦୋଳନରତ ଡ଼ାକ୍ତରମାନଙ୍କୁ ମମତା ପ୍ରତ୍ୟକ୍ଷଭାବେ ଭେଟି ଆଲୋଚନା କରିବାକୁ ଡ଼ାକ୍ତରମାନେ ଦାବି କରିଥିଲେ ।

ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟି ଏସମ୍ପର୍କରେ ଶୁକ୍ରବାର ଦିନ ଆଲୋଚନା କରିଥିଲେ । ଡ଼ାକ୍ତରମାନଙ୍କ ଦାବି ପୂରଣ କରିବା ନେଇ କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ।

ଦେଶର ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦ ପରି ପ୍ରମୁଖ ସହରଗୁଡ଼ିକରେ ଡ଼ାକ୍ତରମାନେ କୋଲକାତାର କନିଷ୍ଠ ଡ଼ାକ୍ତରଙ୍କୁ ସମର୍ଥନ କରି କାର୍ଯ୍ୟବନ୍ଦ ଡ଼ାକରା ଦେଇ ଆନ୍ଦୋଳନ ଜାରି ରଖିଛନ୍ତି ।

ଭାରତୀୟ ମେଡ଼ିକାଲ ଆସୋସିିଏସନ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହିତ ସୋମବାର ଦିନ ଦେଶବ୍ୟାପୀ ୨୪ ଘଣ୍ଟିଆ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ପଶ୍ଚିମବଙ୍ଗରେ ଏହି ଘଟଣାକୁ ନେଇ ପ୍ରାୟ ୩୦୦ ଡ଼ାକ୍ତର ଇସ୍ତଫା ପ୍ରଦାନ କରିଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟସେବା ଏକପ୍ରକାର ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଆସିଥିବା ଜଣାପଡ଼ିଛି ।

Leave A Reply

Your email address will not be published.