Latest Odisha News

BREAKING NEWS

ନବ ଦାସଙ୍କ ଇସିଜି ରିପୋର୍ଟ ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର: ମନ୍ତ୍ରୀ ନବ ହାସ ହତ୍ୟା ଘଟଣାକୁ ୧୦ ଦିନ ପୁରିଛି। ହେଲେ ଏଯାବତ ହତ୍ୟାର ଉଦ୍ଦେଶ୍ୟ ଜଣାପଡି ନାହିଁ। ହେଲେ ଯେଉଁଭଳି ଭାବେ ତଦନ୍ତ ହେଉଛି ଏବଂ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ଯେଉଁ ସୂଚନା ଆସୁଛି ତାକୁ ନେଇ ସନ୍ଦେହ ପ୍ରକାଶ କରିଛି ଛାତ୍ର କଂଗ୍ରେସ। ସିଧା ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ସହିତ ନବ ଦାସଙ୍କ ଇସିଜି ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛି।

ପୂର୍ବରୁ ସମାନ ପ୍ରସଙ୍ଗ ବିଜେପି ଉଠାଇଥିଲା। ଆଉ ଏବେ ଛାତ୍ର କଂଗ୍ରେସ ଉଠିଇଛି। ଯେଉଁ ଇସିଜି ରିପୋର୍ଟ ଆସିଛି ସେଥିରେ ଝାରସୁଗୁ଼ଡାରେ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଯଦି ରିପୋର୍ଟ ସତ ତାହେଲେ ଭୁବନେଶ୍ୱରକୁ ମୃତ ଶରୀର ଅଣାଯାଇ କାହିଁକି ଡ୍ରାମା କରାଗଲା ବୋଲି ପ୍ରଶ୍ନ କରଛି ଛାତ୍ର କଂଗ୍ରେସ। ସରକାର ଏହି ରିପୋର୍ଟକୁ ନେଇ ମୁହଁ ଖୋଲିବା ଦରକାର ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ କହିଛନ୍ତି।

ଏଥିସହ ତଦନ୍ତ ସଠିକ୍ ରାସ୍ତାରେ ହେଉନାହିଁ ଏବଂ କ୍ରାଇମବ୍ରାଞ୍ଚର ବିଶ୍ୱସନୀୟତା ସବୁବେଳେ ସନ୍ଦେହ ଘେରରେ ରହିଛି ବୋଲି ପ୍ରଶ୍ନ କରିଛନ୍ତି। ସମସ୍ତ ବଡ଼ ବଡ଼ ଅପରାଧିକ ମାମଲାରେ ରାଜ୍ୟ ସରକାର କେବେ ବି ନ୍ୟାୟ ଦେଇପାରିନାହାନ୍ତି ବୋଲି ୟାସିର ନଓ୍ୱାଜ କହିଛନ୍ତି। ପରୀ ହତ୍ୟା ମାମଲା ଠାରୁ କୁନ୍ଦୁଲି ଘଟଣାର ତଦନ୍ତର ଫଳାଫଳ ବିଷୟରେ ଲୋକମାନେ ଅବଗତ ଅଛନ୍ତି।

ରାଜ୍ୟ ଗୃହ ବିଭାଗ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ପରି ମନେ ହେଉଛି ବୋଲି ସେ ଦାବି କରି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ୱରେ ଥାଇ ମଧ୍ୟ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଚୁପ୍ ବସିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଏହି ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ କିଛି ବି ନକହିବା ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

କ୍ରାଇମବ୍ରାଞ୍ଚର ବିଶ୍ୱସନୀୟତା ଉପରେ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଦାବି କରି ନଓ୍ୱାଜ କହିଛନ୍ତି, ମାହାଙ୍ଗା ହତ୍ୟାକାଣ୍ଡରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ନାଁ କେବଳ କୋର୍ଟଙ୍କ ହସ୍ତକ୍ଷେପ ପରେ ଏଫ୍ଆଇଆରରେ ଲେଖା ହେଲା।

ଯେଉଁ ରାଜ୍ୟରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ହତ୍ୟା କରନ୍ତି ସେହି ରାଜ୍ୟରେ ସାଧାରଣ ଲୋକ ନିଜକୁ ସୁରକ୍ଷିତ ଅନୁଭବ କରିପାରିବେ ନାହିଁ ବୋଲି ସେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କର୍ତ୍ତବ୍ୟରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ତେଣୁ ନବୀନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିବା ସହ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସ୍ଆଇଟି ତଦନ୍ତ ଦାବି କରିଛନ୍ତି।

Leave A Reply

Your email address will not be published.