ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ନବୀନ ନିବାସରେ ଟିକେଟ କସରତ। ନବୀନ ନିବାସରେ ବରିଷ୍ଠ ବିଜେଡି ନେତୃତ୍ବ ଉପସ୍ଥିତ। ବବି ଦାସ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଟିକେଟ୍ ଆଶାୟୀ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି। ଆଉ ୨ ଆଶାୟୀ ଭାନୁପ୍ରତାପ ମାଝୀ ଓ ଅବନୀ ଯୋଶୀଙ୍କୁ ବି ଡକରା ହୋଇଛି। ସମସ୍ତଙ୍କ ସହ ଆଲୋଚନା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ।
ଉଭୟ ବିଜେପି-କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେଡିର ଏଯାଏଁ ଅଙ୍କ ଛିଡ଼ୁନି । ଘନଘନ ବୈଠକ ହେଉଛି ହେଲେ ପ୍ରାର୍ଥୀ କିଏ ନିଷ୍ପତ୍ତି ହୋଇପାରୁନି । ଜୟ ଢୋଲକିଆ ଝଟକା ଦେବାପରେ ଦ୍ୱନ୍ଦରେ ପଡ଼ିଯାଇଛି ଶଙ୍ଖ ଦଳ। ମନୋଜ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିବା ଏକପ୍ରକାର ଫାଇନାଲ ହୋଇଥିଲେ ହେଁ ଏଯାଏଁ ତାଙ୍କ ନାଁ ଘୋଷଣା କରିନି ବିଜେଡି। ୩ ଆଶାୟୀଙ୍କୁ ନବୀନ ନିବାସ ଡାକରା ହୋଇଥିବା ଜଣାପଡ଼ିଛି। ମନୋଜ ମିଶ୍ର, ଭାନୁପ୍ରତାପ ସିଂ ମାଝୀ ଓ ଅବନୀ ଯୋଶୀ ଅପରାହ୍ଣ ୫ଟାରେ ନବୀନ ନିବାସରେ ନବୀନଙ୍କୁ ଭେଟିବେ ସମ୍ଭାବନା ରହିଛି । ନବୀନଙ୍କ ଆଲୋଚନା ପରେ ପରେ ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି।
ସେପଟେ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସବୁ ଅପେକ୍ଷାର ଅନ୍ତ ଘଟାଇ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ଏନେଇ ବୁଧବାର ବିଧିବଦ୍ଧ ଭାବେ ଜୟଙ୍କ ନାଁ ବିଜେପି ଘୋଷଣା କରିଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟ ଢୋଲକିଆ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି। ସେହିପରି କଂଗ୍ରେସ ମଧ୍ୟ ପୂର୍ବରୁ ତା’ର ପ୍ରାର୍ଥୀ ଘୋଷଣା କରିସାରିଛି। ଏବେ ଖାଲି ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା ରହିଛି।
Comments are closed.