Latest Odisha News

BREAKING NEWS

Nuapada Bypoll: ରାତି ପାହିଲେ ଉପନିର୍ବାଚନ, କିଏ ଜିତିବ ନୂଆପଡା ବାଜି

ନୂଆପଡା: ରାତି ପାହିଲେ ହେବ ବହୁ ଚର୍ଚ୍ଚିତ ନୂଆପଡା ଉପନିର୍ବାଚନ । ୩୫୮ଟି ବୁଥରେ ନିଜର ମତଦାନ ସାବ୍ୟସ୍ତ କରିବେ ଭୋଟର। ଅଢେଇ ଲକ୍ଷରର ଅଧିକ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଗତକାଲି ପ୍ରଚାର ଶେଷ ହୋଇଥିବା ବେଳେ ଆଜି ସମସ୍ତ ବୁଥକୁ ପୋଲିଂ ଅଫିସରମାନେ ଯାଇଛନ୍ତି । ଶେଷ ଦିନରେ ତିନି ପ୍ରମୁଖ ଦଳ ନିଜ ନିଜ ଶୈଳୀରେ ପ୍ରଚାର ଶେଷ କରିଛନ୍ତି । ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସମସ୍ତେ ପ୍ରତିଶୃତି ଦେଇଛନ୍ତି । ଉପନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମସ୍ତେ ଯଥା ସମ୍ଭବ ନିଜର ପ୍ରଚେଷ୍ଟା କରିଛନ୍ତି ।

ଯଦି ଦେଖିବା ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ହେଉଛି ପ୍ରଥମ ଉପନିର୍ବାଚନ । ରାଜ୍ୟରେ ବିଜେପି ସରକାର ଆସିଥିବାରୁ ପ୍ରଥମଥର ପାଇଁ ରାଜ୍ୟରେ ବିଜେପି ଉପନିର୍ବାଚନ ଲଢୁଛି । ସେଥିପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ । ସେହିପରି ବିଜେଡି ବିଧାୟକ ଆଗରୁ ଥିବାରୁ ନିଜ ଆସନ ବଜାୟ ରଖିବା ପାଇଁ ବିଜେଡି ଚାହିଁଛି । ଯଦି କଂଗ୍ରେସ କଥା ଦେଖିବା ପିସିସି ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସକୁ ବଢାଇବା ପାଇଁ ପ୍ରାଣମୁର୍ଛା ଚେଷ୍ଟା କରୁଛନ୍ତି ଭକ୍ତ ଦାସ ।

ଭୋଟ ଘୋଷଣା ହେବାପରଠାରୁ ସେ ଡେରା ପକାଇ ରହିଛନ୍ତି । ପିସିସ ସଭାପତି ଭକ୍ତ ହେବାପରେ ଯଦି ଏଠାରେ କଂଗ୍ରେସ ବିଜୟୀ ହୁଏ ତେବେ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଅନୁମାନ କରାଯାଉଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ୪୫ ହଜାରରୁ ଅଧିକ ଭୋଟ ଯାଦବ ଭୋଟ ଥିବାରୁ ସମାଜବାଦୀ ପାର୍ଟି ମଇଦାନରେ ମଧ୍ୟ ଦମ ଦେଖାଇଛି । ଭୋଟକୁ ଆଉ ମାତ୍ର କିଛି ଘଣ୍ଟା ବାକିଥିବା ବେଳେ ଭୋଟରଙ୍କ ନିରବତା ନେତାଙ୍କ ହୃଦୟ ସ୍ପନ୍ଦନକୁ ବଢାଇ ଦେଇଛି । କିଏ ଏଠାରେ ଜିତିବ ତାହା କହିହେଉନଥିଲେ ମଧ୍ୟ ତିନି ପ୍ରମୁଖ ରାଜନୈତିକ ଦଳ ଏଠାରେ ବିଜୟୀ ହେବାର ସମ୍ଭାବନା ଥିବା କୁହାଯାଉଛି । ନୂଆପଡା ଛତିଶଗଡ ସୀମାନ୍ତବର୍ତ୍ତୀ ହୋଇଥିବାରୁ ଏଠାରେ ଏକାଧିକ ଭାଷାଭାଷୀ ଲୋକ ରହୁଛନ୍ତି । ୩୫୮ ବୁଥରୁ ପ୍ରାୟ ୧୫୦ ବୁଥରେ ଲରିଆ ଭାଷାଭାଷୀ ଅଛନ୍ତି ।

ସେମାନେ ଓଡିଆ, ସମ୍ବଲପୁରୀ, ହିନ୍ଦୀ, ଛତିଶଗଡି ଭାଷାରେ କଥାବାର୍ତ୍ତା ହେଉଛନ୍ତି । ଖରିଆର ରୋଡ ଏନଏସି ଅଞ୍ଚଳରେ ଅଧିକାଂଶ ହିନ୍ଦୀ କହୁଥିବା ମତଦାତା ଅଛନ୍ତି । ରାୟପୁର ସହ ନୂଆପଡାବାସୀଙ୍କ ଅଧିକାଂଶ ବାଣିଜ୍ୟିକ ପାରିବାରିକ ସମ୍ପର୍କ ରହିଛି । ସେମାନଙ୍କ ଭୋଟ ହାତେଇବା ପାଇଁ ସବୁଦଳ ପ୍ରୟାସ କରିଛନ୍ତି । ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଏହି ଲୋକମାନଙ୍କୁ ନିଜ ଆଡକୁ ନେବା ପାଇଁ ନିଜ ନେତାଙ୍କୁ ଲଗାଇଛନ୍ତି । ବିଜେପି ପ୍ରାର୍ଥୀଙ୍କ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ପ୍ରଚାରରେ ସାମିଲ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସେଠାକାର ଦଳୀୟ ନେତା ଓ ବିଧାୟକ ପ୍ରଚାର କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଯାଦବ ଭୋଟ ହାତେଇବା ପାଇଁ ବିଜେଡି ଲମ୍ବୋଦର ନିଆଲଙ୍କୁ କଳାହାଣ୍ଡି ସାଂସଦ ପ୍ରାର୍ଥୀ କରିଥିଲା । ମାତ୍ର ଏହି ଉପନିର୍ବାଚନରେ ନିଆଲ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ।

ଲମ୍ବୋଦରଙ୍କ ସମେତ ଯାଦବ ଭୋଟ ପାଇଁ ଲକ୍ଷ୍ମଣ ବାଗ, ହିତେଶ ବଗର୍ତ୍ତିଙ୍କ ଭଳି ନେତା ବିଜେପି ପାଇଁ ପ୍ରଚାର କରିଛନ୍ତି । ସେହିପରି ବିଜେଡି ପାଇଁ ନନ୍ଦଲାଲ ସିଂ, ରାଜୁ ଘିବେଲାଙ୍କ ଭଳି ନେତା ଯାଦବ ଭୋଟ ପାଇଁ ପ୍ରଚାର କରିଛନ୍ତି । ଗତକାଲି ଯାଦବ ନେତାଭାବେ ପରିଚିତ ଅଖିଳେଶ ଯାଦବ ଦଳୀୟ ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ପ୍ରଚାର କରିଛନ୍ତି । ଯାଦବ ସମ୍ପ୍ରଦାୟ ଭୋଟ ହାତେଇବା ପାଇଁ ସେ ଶେଷ ଦିନରେ ଆପ୍ରାଣ ଉଦ୍ୟମ କରିଥିଲେ । ତେବେ ନୂଆପଡାରେ ଲରିଆ ଏବଂ ଯାଦବ ଭୋଟ ଯୁଆଡେ ଯିବ ସେହି ଦଳ ବିଜୟ ଏକପ୍ରକାର ନିଶ୍ଚିନ୍ତ ବୋଲି ଅନୁମାନ କରାଯାଉଛି ।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ଥର ପ୍ରଚାର କରିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନବୀନ ପଟ୍ଟନାୟକ ୨ଥର ପ୍ରଚାର କରିଛନ୍ତି । ଜୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁପଦ ସାଏ ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ସବାପତି ମନମୋହନ ସାମଲଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ପ୍ରଚାର କରିଛନ୍ତି । ସେହିପରି ନବୀନ ଖରିଆର ରୋଡ ଓ ନୂଆପଡାରେ ରୋଡ ଶୋ ଏବଂ ସଭା କରି ଭୋଟ ମାଗିଥିଲେ । ଦଳର ଟାଣୁଆ ନେତା, ବିଧାୟକ ପୂର୍ବତନ ମନ୍ତ୍ରୀ ପ୍ରମୁଖ ସ୍ନେହାଙ୍ଗିନୀଙ୍କ ପାଇଁ ମଙ୍ଗ ଧରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କରିବା ସହ ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ପିସିସି ସଭାପତି ଓ ମନ୍ତ୍ରୀ ମାନେ ଭୋଟ ମାଗିଛନ୍ତି । ତିନି ଦଳର ହେଭିୱେଟ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରିଛନ୍ତି । ତେବେ ଭୋଟରମାନେ କାହାକୁ ବିଶ୍ୱାସ କରୁଛନ୍ତି ତାହା ଆସନ୍ତା ୧୪ ତାରିଖ ଦିନ ଜଣାପଡିବ ।

Comments are closed.