Latest Odisha News

BREAKING NEWS

ମୌଳିକ ସୁବିଧାରୁ ବଞ୍ଚିତ ଖୋଲିଭିତର ଗାଁ ; ପ୍ରଶାସନର ସହାୟତାକୁ ଅପେକ୍ଷା

ନୂଆପଡ଼ା : ଗାଁର ଚାରିପଟେ ଘେରି ରହିଛି ଜଙ୍ଗଲ । ପ୍ରତିଦିନ ବିପଦ ସଂଙ୍କୁଳ ରାସ୍ତା ଦେଇ ପାର୍‌ ହେଉଛନ୍ତି ଲୋକେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସୁବିଧା କଥା ନକହିବା ଭଲ । ଦୁର୍ବିସହ ଅଭିଶପ୍ତ ଜୀବନ କାଟୁଛନ୍ତି ଏହି ଦୁର୍ଗମ ଅଞ୍ଚଳ ବାସୀ । ଏଭଳି ଏକ ଗାଁ ହେଉଛି ବୋଡେ଼ନ ବ୍ଲକର ଖୋଲିଭିତର ।

ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ନାଗପଡା ପଞ୍ଚାୟତର ଖୋଲିଭିତରରେ ବସବାସ କରୁଛନ୍ତି ୫୦ ରୁ ୬୦ ପରିବାର । ହେଲେ ଏହି ଗାଁରେ ଗମନାଗମନ, ଶିକ୍ଷା, ପାନୀୟଜଳ, ବିଦ୍ୟୁତ  ଭଳି ମୌଳିକ ସୁବିଧା ସତେ ଯେମିତି ସାତ ସପନ । ତିନି କିଲୋମିଟର ପାଦ ଚଲା ରାସ୍ତା କିମ୍ବା କଷ୍ଟେ ମଷ୍ଟେ ବାଇକ ଯୋଗେ ଝରଣାମାଲ ଗାଁ କୁ ପହଞ୍ଚିଲେ ଭଲ ରାସ୍ତା ମିଳିଥାଏ । ବର୍ଷା ହେଲେ ଛଅ ମାସ ପର୍ଯ୍ୟନ୍ତ ଜଳବନ୍ଦୀରେ କାଟନ୍ତି ଜୀବନ । ଭଲ ରାସ୍ତାଟିଏ ନଥିବାରୁ ଗର୍ଭବତୀ ହେଉ ଅବା ସାଧାରଣ ରୋଗୀ ଖଟିଆରେ ବୁହା ହୋଇ ଦୀର୍ଘ ଚାରିରୁ ପାଞ୍ଚ କିଲୋମିଟର ନେଲେ ଆମ୍ବୁଲାନ୍ସ ସେବା ମିଳିଥାଏ । କେବଳ ରାସ୍ତା ସମସ୍ୟା ନୁହେଁ ପାନୀୟଜଳ ସମସ୍ୟା ମଧ୍ୟ ଉତ୍କଟ ।

ସରକାର ଯୋଜନା କରିଛନ୍ତି ସତ ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ଦୀର୍ଘ ଦିନ ହେବ ପାଣି ଟାଙ୍କି  ଅଧା ହୋଇ ପଡି ରହିଛି । ଫଳରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଆଉ ବିଦ୍ୟୁତ ସେବା ନକହିବା ଭଲ । କିଛି ବର୍ଷ ତଳେ ସୋଲାର ପ୍ଲାଣ୍ଟ କରି ବିଦ୍ୟୁତର ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାର ମରାମତି ଅଭାବରୁ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ।

ସରକାରଙ୍କ ବିକାଶ ସ୍ଲୋଗାନ ‘‘ଗାଁକୁ ଚାଲ ଗାଁକୁ ଗଢ଼’’ ସତେ ଯେମିତି ଏଠାକାର ବାସ୍ତବ ଚିତ୍ର ଦେଖିଲେ ସ୍ଲୋଗାନଟି ଫିକା ଲାଗେ । ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ କରୁଥିବା ଏହି ଗ୍ରାମବାସୀଙ୍କ ପାଇଁ ସରକାରୀ ଯୋଜନା ହେଉଛି । ମାସମାସ ଧରି ପିଡିଏସ ଠାରୁ ନେଇ ବିଧବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ଏଠାକାର ହିତାଧିକାରୀ । ନିର୍ବାଚନ ସମୟରେ ଭୋଟ ପାଇଁ ଅନେକ ରାଜନେତା ଆସି ବିଭିନ୍ନ ପ୍ରତିଶୃତି ଦିଅନ୍ତି ହେଲେ ନିର୍ବାଚିତ ହୋଇସାରିଲା ପରେ ଦୁଃଖ ଶୁଣିବା ତ ଦୂରର କଥା ସେମାନଙ୍କୁ ଦେଖା ମିଳେନି । ଅପରପକ୍ଷରେ ପ୍ରଶାସନିକ ଅଧିକାରୀ କିମ୍ବା କର୍ମଚାରୀ ମଧ୍ୟ ଏହି ଗାଁକୁ ପାଦ ଦେଇନଥାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଏହି ଗାଁକୁ ପ୍ରଶାସନ ଦୃଷ୍ଟି ଦେଇ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.