Latest Odisha News

BREAKING NEWS

ଘରୋଇ ହସ୍ପିଟାଲରେ ନର୍ସଙ୍କୁ ଅସଦାଚରଣ, ମେଡିକାଲ୍ ଆସିଷ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ…

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଗତ ୧୦ ମାସ ଧରି କାର୍ଯ୍ୟ କରି ଆସୁଥିବା ଜଣେ ଷ୍ଟାଫ୍ ନର୍ସ, ମେଡିକାଲ୍ ଆସିଷ୍ଟାଣ୍ଟ ଏବଂ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି।

ଏନେଇ ସେ ଚନ୍ଦ୍ରଶେଖରପୁର୍ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି। ହସ୍ପିଟାଲରେ ଅନିୟମିତତା ଓ ନର୍ସ ମାନଙ୍କର ରୋଗୀଙ୍କୁ ଚିକିତ୍ସା କରିବାର ପ୍ରଣାଳୀକୁ ଇଙ୍ଗିତ କରିବା ପରେ ତାଙ୍କ ସହ ଏପରି ହେଉଥିବା ସେ କହିଛନ୍ତି। ଗତ ୨୫ ଅକ୍ଟୋବର ଦିନ ୨.୩୦ ସମୟରେ ନ୍ୟୁରୋ ଆସିଷ୍ଟାଣ୍ଟ ତାଙ୍କୁ ଖରାପ ଭାଷା କହି ଦୁର୍ବ୍ୟବହାର କରିଥିଲେ। ଏଥିସହିତ ସେ ତାଙ୍କୁ ଦୁଷ୍କର୍ମ ଧମକ ମଧ୍ୟ ଦେଇଥିଲେ। ସିସିଟିଭି ଯୋଗୁଁ ହୁଏତ ସେ କ୍ଲିନିକ୍ ଭିତରେ ବର୍ତ୍ତି ଯାଇ ପାରିବେ କିନ୍ତୁ ବାହାରେ କିପରି ବଞ୍ଚିବେ ବୋଲି ଧମକାଇଥିଲେ।

ହସ୍ପିଟାଲ୍ ମ୍ୟାନେଜମେଣ୍ଟ ଅଭିଯୁକ୍ତଙ୍କ ସହିତ ମିଶି ଦରମା ବନ୍ଦ କରିବା ସହ ତାଙ୍କୁ ଇସ୍ତଫା ଦେବାକୁ ମଧ୍ୟ ଚାପ ପକାଇଥିବା ସେ କହିଛନ୍ତି। ଏଚଆର ବିଭାଗ ମଧ୍ୟ ତାଙ୍କୁ ଏଥିପାଇଁ  ଦୋଷ ଦେବା ସହ ତଦନ୍ତ ଚାଲିଛି କହି ଦିନ ଗଡ଼ାଇଚାଲିଥିଲେ ଓ  ଆଠ ଦିନ ପରେ ମଙ୍ଗଳବାର ଦିନ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ କୁହାଯାଇଥିଲା। କେବଳ ଏତିକି ନୁହେଁ ତାଙ୍କୁ ବ୍ଲାକ ଲିଷ୍ଟ କରିଦିଆଯିବା ନେଇ ମଧ୍ୟ ଧମକ ଦିଆଯାଇଥିଲା। ଅନ୍ୟ ଜୁନିଅର ନର୍ସମାନଙ୍କ ସହିତ ମଧ୍ୟ ଏପରି ସମାନ ପ୍ରକାରର ଦୁର୍ବ୍ୟବହାର କରାଯାଉଥିବା ନେଇ ସେ କହିଛନ୍ତି।

ତେବେ ଏନେଇ ବର୍ତ୍ତମାନ୍ ସୁଦ୍ଧା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ବିବୃତ୍ତି ଜାରି କରାଯାଇନଥିବା ସୂଚନା ମିଳିଛି।

Comments are closed.