Latest Odisha News

BREAKING NEWS

ଅସ୍ତ୍ରୋପଚାର ପରେ ସିଲେଇ ନକରି ‘ଫେଭିକ୍ୱିକ୍’ ଲଗାଇଦେଲେ ନର୍ସ

ବେଙ୍ଗାଲୁରୁ: କୁହନ୍ତି ଡାକ୍ତର ହେଉଛନ୍ତି ଭଗବାନଙ୍କ ସ୍ଵରୁପ । କିନ୍ତୁ ଯେତେବେଳେ ଡାକ୍ତରଙ୍କ ଏକ ସାମାନ୍ୟ ଭୁଲ ରୋଗୀର ଜୀବନ ନେଇଯାଏ ସେତେବେଳେ ରୋଗୀ ଭରଷା କରିବେ ବା କାହାକୁ । ନିକଟରେ କର୍ଣ୍ଣାଟକରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ୭ ବର୍ଷର ଶିଶୁର ଅସ୍ତ୍ରୋପଚାର ପରେ ସିଲେଇ କରିବା ପରିବର୍ତ୍ତେ ଫେଭିକ୍ଵିକ୍ ଲଗାଇ ଫସିଯାଇଛନ୍ତି ନର୍ସ । ଆଜ୍ଞା କଥାଟା ଶୁଣି ଆପଣଙ୍କୁ ଝଟକା ଲାଗୁଥିଲେ ମଧ୍ୟ କଥାଟି ସତ ।

ଘଟଣାଟି ଜାନୁଆରୀ ୧୪ ତାରିଖରେ ହାଭେରୀ ଜିଲାର ହନାଗଲ ତାଲୁକର ଆଦୂର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ୭ ବର୍ଷିୟ ନାବାଳକ ଭର୍ତ୍ତି ହୋଇଥିଲେ । ନାବାଳକ ଜଣଙ୍କ ହେଉଛନ୍ତି ଗୁରୁକିଶନ ଅନ୍ନାପ୍ପା ହୋସାମଣି । ତାଙ୍କ ଗାଲରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହେଉଥିଲା। ଯେଉଁଥିପାଇଁ ତାଙ୍କୁ ଡାକ୍ତର ଅସ୍ତ୍ରୋପଚାର ପାଇଁ କହିଥିଲେ । ଗାଲରେ ଲାଗିଥିବା କ୍ଷତକୁ ଅସ୍ତ୍ରୋପଚାର ପରେ ନର୍ସ ସିଲେଇ କରିବା ବଦଳରେ ଫେଭିକ୍ବିକ୍ ଲଗାଇ ଦେଇଥିଲା । ଯେତେବେଳେ ପିଲାଟିର ପରିବାର ଏନେଇ ନର୍ସଙ୍କୁ ପ୍ରଶ୍ନ ଉଠାଇଥିଲେ ,ସେତେବେଳେ ନର୍ସ ଜଣଙ୍କ ବର୍ଷ ବର୍ଷ ଧରି ଏପରି କରିଆସୁଛନ୍ତି। ତେଣୁ ବ୍ୟସ୍ତ  ହେବାର କିଛି ଦରକାର ନାହିଁ ବୋଲି କହିଥିଲେ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ନର୍ସ ଏହା କହିଥିବା ନେଇ ଜଣାପଡୁଛି ।

ଏଥିସହ ନର୍ସ ଜଣଙ୍କ କୌଣସି ଚିହ୍ନ ନରହିବା ପାଇଁ  ସେ ଫେଭିକ୍ବିକ୍ ବ୍ୟବହାର କରିଥାନ୍ତି ବୋଲି କହିଛନ୍ତି । ଏନେଇ ପରିବାର ଲୋକ ନର୍ସଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହ କର୍ତ୍ତୁପକ୍ଷଙ୍କୁ ପ୍ରମାଣ ସ୍ଵରୁପ ଭିଡିଓଟିକୁ ଦେଖାଇଥିଲେ । ଏହା ପରେ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି । କର୍ଣ୍ଣାଟକ ସରକାର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନର୍ସଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ନିଆଯାଇଥିଲା । ସେପଟେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କହିବା ଅନୁସାରେ, ଫେଭିକ୍ବିକ୍ ହେଉଛି ଏକ ଆଡେସିଭ୍, ଯାହାର ଚିକିତ୍ସା ଏବଂ ବ୍ୟବହାର ନିୟମ ଅନୁସାରେ ଅନୁମତିପ୍ରାପ୍ତ ନୁହେଁ।  ତେବେ ଏହା ପୂର୍ବରୁ ନର୍ସଙ୍କୁ ବଦଳି କରାଯାଇଥିଲା । ମାତ୍ର ଏହି ଦଣ୍ଡ ପରିବାର ସଦସ୍ୟ ଗ୍ରହଣ କରିପାରିନଥିଲେ। ପରେ ଅଭିଯୋଗ କରିବାରୁ ବର୍ତ୍ତମାନ ନର୍ସଙ୍କୁ ନିଲମ୍ବିତ କରାଯାଇଛି ।

 

Comments are closed.