Latest Odisha News

ନର୍ସ ସଂଘର ଆନ୍ଦୋଳନ ସ୍ଥଗିତ, ଉଚ୍ଚ ସ୍ତରୀୟ ବୈଠକରେ ହେଲା ସମାଧାନ

କଟକ: ସ୍ଥଗିତ ରହିଲା ଏସସିବି ମେଡିକାଲର ନର୍ସ ସଂଘର ଆନ୍ଦୋଳନ। ହାଉସ ସର୍ଜନ  ସହ ବିବାଦ ପରେ ଆଜି ରୋଗୀ ସେବା ପ୍ରଭାବିତ ହୋଇଥିଲା। ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦବେଗ ପ୍ରକାଶ କରିଥିଲେ । ପରେ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଉଭୟ ନର୍ସ ସଂଘ ଏବଂ ହାଉସ ସର୍ଜନଙ୍କୁ ନେଇ ବୈଠକ ବସିଥିଲା। ବୈଠକରେ ବିବାଦର ତଦନ୍ତ ପାଇଁ ଗଠିତ ହୋଇଥିବା କମିଟିର ସଦସ୍ୟ ଉପସ୍ଥିତ ଥିଲେ।

ବୈଠକ ପରେ ବିବାଦର ସମାଧାନ ହୋଇଥିବା ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି । ଜୟନ୍ତ ପଣ୍ଡା ତଦନ୍ତ କମିିଟିର ଅନ୍ୟତମ ସଦସ୍ୟ । ସେ କହିଛନ୍ତି, ବୈଠକରେ ଉଭୟ ପକ୍ଷ ଉପସ୍ଥିତ ଥିଲେ । ଆସନ୍ତାକାଲିଠୁ ଆନ୍ଦୋଳନ ହେବ ବୋଲି ନର୍ସ ସଂଘ ଯେଉଁ ଘୋଷଣା କରିଥିଲା ତାହା ସ୍ଥଗିତ ରଖାଯାଇଛି। ଆସନ୍ତାକାଲିଠୁ ରୋଗୀ ସେବା ସ୍ୱାଭାବିକ ରହିବ । ଉଭୟ ପକ୍ଷ ରୋଗୀ ସେବାରେ ସହଯୋଗ କରିବେ ।

ରବିବାର ମେଡିସିନ୍ ଓ୍ୱାର୍ଡରେ ରକ୍ତ ଦେବାକୁ ନେଇ ବିବାଦ ନର୍ସ ସଂଘ ଓ ହାଉସ ସର୍ଜନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ । ହାଉସ୍ ସର୍ଜନ ନର୍ସିଂ କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଜୁଲାଇ ୧୬ ଠାରୁ ହାଉସ୍ ସର୍ଜନମାନେ କାର୍ଯ୍ୟବନ୍ଦ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଜରୁରୀକାଳୀନ ସେବା ଜାରି ରହିଛି। ସଂପୃକ୍ତ ମହିଳା ନର୍ସିଂ ଅଫିସରଙ୍କୁ ତୁରନ୍ତ ବଦଳି କରିବାକୁ ହାଉସ୍ ସର୍ଜନମାନେ ଦାବି କରିଥିଲେ।

ଅନ୍ୟପକ୍ଷରେ ସମସ୍ୟାର ସମାଧାନ ନହେଲେ ଆସନ୍ତା ୨୪ ତାରିଖରୁ ରାଜ୍ୟବ୍ୟାପୀ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ନର୍ସିଂ ଆସୋସିଏସନ୍ ପକ୍ଷରୁ ଘୋଷଣା କରାଯାଇଥିଲା। ଯାହା ଏବେ ପ୍ରତ୍ୟାହୃତ ହୋଇଥିବା ଡାକ୍ତର ଜୟନ୍ତ ପଣ୍ଡାଙ୍କ ସୂଚନାରୁ ଜଣାପଡ଼ିଛି।

Comments are closed.