ଯାଜପୁର: ଯାଜପୁର ରୋଡ୍ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ନୂଆ ମୋଡ ନେଇଛି। ନାବାଳିକା ରହୁଥିବା ଭଡ଼ା ଘରର ମାତ୍ର କିଛି ଦୂରରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁକନ୍ୟା। ସ୍ଥାନୀୟ ଲୋକଙ୍କ ଦ୍ୱାରା ତଥା ପୋଲିସ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇ ଯାଜପୁର ରୋଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ସିଲ୍ ହେବ ନର୍ସିଂହୋମ୍।
ଯାଜପୁର ରୋଡ୍ ଗୋଶାଳା ଛକରେ ଥିବା ଘରୋଇ ନର୍ସିଂହୋମ ସିଲ୍ ହେବ। ଆସନ୍ତା ୨୦ ତାରିଖ ଡେଡ୍ଲାଇନ୍ କହିଲେ ସିଡିଏମ୍ଓ। ଘରୋଇ ନର୍ସିଂହୋମ୍ ଆଇନ୍ର ଉଲ୍ଲଙ୍ଘନ କରିଛି, ତେଣୁ ସିଲ୍ ହେବ। ନାବାଳିକା ପୀଡ଼ିତାକୁ ଯାଜପୁର ସକ୍ଷୀ ଘରେ CWO କାଉନ୍ସେଲିଂ ଚଲାଇଛି। ମାଟ୍ରିକ୍ ପରୀକ୍ଷା ଦେବାକୁ ପୀଡ଼ିତା ପ୍ରଶାସନକୁ ଅନୁମତି ମାଗିଥିବା ସୂଚନା ମିଳିଛି। ୭୦ ବର୍ଷୀୟ ଅଭିଯୁକ୍ତ ବୃଦ୍ଧ ଓ ନର୍ସିଂହୋମ୍ ଏମ୍ଡି ପୂର୍ବରୁ ଗିରଫ ହୋଇଛନ୍ତି।
ସୂଚନା ଥାଉକି ପୂର୍ବରୁ ଦୁଇ ଦିନ ତଳେ ନାବାଳିକା ଜଣକର ନର୍ସିଂହୋମରେ ଗର୍ଭପାତ କରାଯାଇଥିବା ପୋଲିସ ପକ୍ଷରୁ ଦର୍ଶାଯାଇଥିବା ବେଳେ ଶିଶୁ କନ୍ୟାଟିର ଜନ୍ମ ପ୍ରାୟ ଏକ ସପ୍ତାହ ହେବ ହୋଇଥିବା ଅନୁମାନ କରାଯାଇଛି। ତେବେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ମେଡିକାଲର ଶିଶୁ ବିଶେଷଜ୍ଞ କହିଛନ୍ତି। ଯାହା ଘଟଣାକୁ ଅଧିକ ରହସ୍ୟାବୃତ କରିଛି। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗତକାଲି ସଂଧ୍ୟାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
ପୋଲିସକୁ ମିଳିଥିବା ତଥ୍ୟ ଅନୁଯାୟୀ, ବ୍ୟାସନଗର ସହର ଅନ୍ତର୍ଗତ କୋପଣ୍ଡ ଗାଁର ପଦ୍ମନାଭ ଶତପଥୀ(୭୦) ନାବାଳିକା(୧୬) ଜଣକୁ ତାଙ୍କ ଘରେ କାମ କରୁଥିବା ସମୟରେ ବାରମ୍ବାର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପରେ ନାବାଳିକା ଗର୍ଭବତୀ ହେବା ପରେ ଅଭିଯୁକ୍ତ ତାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ୍ର ଏକ ଘରୋଇ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି।
ତେବେ ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ଅଭିଯୁକ୍ତ ପଦ୍ମନାଭ ଶତପଥୀଙ୍କ ସହ ସଂପୃକ୍ତ ଘରୋଇ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ନାୟକଙ୍କୁ ଗିରଫ କରାଯାଇ ସୋମବାର ସନ୍ଧ୍ୟାରେ ଅଦାଲତକୁ ପଠାଯାଇଥିଲା। ଶିଶୁଟିକୁ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ପୋଲିସ ପକ୍ଷରୁ ସମସ୍ତ ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ତନାଘନା ଜାରି ରହିଛି।