Latest Odisha News

ପୁଷ୍ଟିଶସ୍ୟ ଏବଂ ମଧୁମେହ ନିୟନ୍ତ୍ରଣ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ

ଖାଦ୍ୟ, ବସ୍ତ୍ର, ବାସଗୃହ ଆମ ଜୀବନର ଅତି ଆବଶ୍ୟକୀୟ ଜିନିଷ ଅଟେ । ଏହି କ୍ରମରେ ଖାଦ୍ୟ ସର୍ବ ପ୍ରଥମେ ଆସିଥାଏ । ଅନେକ ଲୋକଙ୍କ ମତରେ ଯେଭଳି ଖାଦ୍ୟ ସେହିଭଳି ଚିନ୍ତାଧାରା ଏବଂ ଚରିତ୍ର । ବିଜ୍ଞାନ ଅନୁଯାୟୀ ଆମ ସ୍ୱାସ୍ଥ୍ୟ, ଆମ ଖାଦ୍ୟ, ପାନୀୟ ତଥା ପରିବେଶ ଇତ୍ୟାଦି ଉପରେ ନିର୍ଭରଶୀଳ ଅଟେ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ଔଷଧ ସେବନ ଦ୍ୱାରା ହିଁ ସୁସ୍ଥ ଅଟନ୍ତି ବୋଲି ମନେ କରନ୍ତି । ମାତ୍ର ଔଷଧ ସହିତ ଜୀବନ ବଞ୍ଚିବା ଏକ ସୁସ୍ଥ ଜୀବନର ଉଦାହରଣ ହୋଇନପାରେ । ବର୍ତ୍ତମାନ ପରିସ୍ଥିତିରେ ଆମ ଭିତରେ ଅନେକ ଲୋକ ବିଭିନ୍ନ ପ୍ରକାରର ଦୁରାରୋଗ ଯଥାଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍‌ରୋଗ, ଗ୍ୟାସ୍‌ଜନିତ ରୋଗରେ ପୀଡ଼ିତ ହୋଇ ନିୟମିତ ଔଷଧ ସେବନ ଏବଂ ଡାକ୍ତରୀ ପରାମର୍ଶରେ ଜୀବନ ବଞ୍ଚିଛନ୍ତି । ସୁତରାଂ ପରିବାରର ମୁଖ୍ୟ ଖର୍ଚ୍ଚ ବର୍ତ୍ତମାନ ଚିକିତ୍ସା ପାଇଁ ବିନିଯୋଗ ହେଉଅଛି । ଏପରିକି ଛୋଟ ପିଲା ତଥା ଯୁବସମାଜ ବି ଆଜି ଅନେକ ରୋଗରେ ଶିକାର ଅଟନ୍ତି । ସମୟ ଥିଲା ଯେତେବେଳେ କ୍ୱଚିତ୍ ଲୋକଙ୍କୁ ମଧୁମେହ ହେବାର ଦେଖାଯାଉଥିଲା ମାତ୍ର ଆଜି ଯେଉଁ ଲୋକ ମଧୁମେହରେ ପୀଡ଼ିତ ନଥାନ୍ତି ତାଙ୍କୁ ଲୋକ ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି, “ଆପଣଙ୍କୁ ଡାଇବେଟିସ୍ ନାହିଁ?” ଆଜି ଏଭଳି ଦିନରେ ଆମେ ପହଞ୍ଚିଛୁ ଯେ ସରକାରଙ୍କର ଗାଇଡ଼୍‌ଲାଇନ୍‌ ଅନୁଯାୟୀ ପ୍ରତ୍ୟେକ ୩୦ ବର୍ଷରୁ ଅଧିକ ବ୍ୟକ୍ତିବିଶେଷ ମଧୁମେହ ଯାଞ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଅଛି । ଏହାବ୍ୟତୀତ ଯଦି କୌଣସି ବ୍ୟକ୍ତିଙ୍କ ବାପା ମା, କିମ୍ବା ପରିବାରର ସମ୍ପର୍କୀୟ ମଧୁମେହରେ ପୀଡ଼ିତ ଥାଆନ୍ତି ସେ ସଦା ସର୍ବଦା ମଧୁମେହ ଆଶଙ୍କାର ଭୟରେ ଜୀବନ କାଟୁଥାଆନ୍ତି । ଏପରି ଦେଖିବାକୁ ଗଲେ ବର୍ତ୍ତମାନ ସ୍ଥିତିରେ ଘରେ ଘରେ ଲୋକ ମଧୁମେହର ଶିକାର ଅଟନ୍ତି ।

ବିଭିନ୍ନ ପ୍ରକାରର ମଧୁମେହ ଭିତରୁ ଟାଇପ୍‌-୨ ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଅଟେ ଏବଂ ଏହି ରୋଗୀଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି । ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତି ସଦାସର୍ବଦା ଖାଇବା ପିଇବା କଥାକୁ ନେଇ ଚିନ୍ତାଗ୍ରସ୍ତ ଥାଆନ୍ତି । ଆମେ ସାଧାରଣତଃ ଦିନକୁ ୩ ଥର ପ୍ରମୁଖ ଖାଦ୍ୟ ସେବନ କରୁଥାଉ । ଯଥାସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ । ଏହି ପ୍ରମୁଖ ଖାଦ୍ୟରେ କେଉଁ ଶସ୍ୟ ଆହାର କଲେ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏବଂ କେଉଁ ଶସ୍ୟ ଜଣେ ସୁସ୍ଥ ଲୋକଙ୍କୁ ନିରୋଗୀ ରଖିପାରିବ ତାହାରି ଉପରେ ଆଧାରିତ ଏହି ଲେଖାଟିଏ ।

ଆମେ ଖାଦ୍ୟ ଖାଇବା ପରେ ଖାଦ୍ୟର ଜୈବ ରାସାୟନିକ ବିଘଟନ ଓ ହଜମପ୍ରକ୍ରିୟା ଏବଂ ଶେଷରେ ଏହା ଗ୍ଲୁକୋଜ୍‌ରେ ପରିଣତ ହୋଇଥାଏ । ତାହା ପରେ ଏହି ଗ୍ଲୁକୋଜ୍ ରକ୍ତରେ ମିଶି ଶରୀରର ବିଭିନ୍ନ ଅଂଶକୁ ବିତରିତ ହୋଇଥାଏ । ଖାଦ୍ୟରେ ଥିବା ପ୍ରାକୃତିକ ଖାଦ୍ୟ ତନ୍ତୁ ରକ୍ତରେ ମିଶିବା ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ । ଗ୍ଲୁକୋଜର ଏହି ନିୟନ୍ତ୍ରଣ ଖାଦ୍ୟରେ ଥିବା ଶ୍ୱେତସାର ଓ ତନ୍ତୁ ଅନୁପାତ ଉପରେ ନିର୍ଭର କରେ । ତେଣୁ ଖାଦ୍ୟରେ ତନ୍ତୁର ପରିମାଣ ଅଧିକ ରହିଲେ ରକ୍ତରେ ଗ୍ଲୁକୋଜର ନିୟନ୍ତ୍ରଣ ଉତ୍ତମ ଭାବରେ ହୋଇଥାଏ । ବିଶିଷ୍ଟ ବୈଜ୍ଞାନିକ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡଃ ଖାଦର ଭାଲୀ ତାଙ୍କ ବହି ‘ସମ୍ପଦଶସ୍ୟର ସଂସାର’ (ଶିରି ଜଗତ୍‌ଥୁ) ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ସୁଆଁ, କାଙ୍ଗୁ, କୋଦ, ବିଲସୁଆଁ ଏବଂ ବ୍ରାଉନ୍‌ଟପ ମିଲେଟ୍ ଯାହାକୁ ସେ ସମ୍ପଦ ଶସ୍ୟ ବୋଲି କହୁଛନ୍ତି ଏହା ମଧୁମେହ ନିୟନ୍ତ୍ରଣ ତଥା ନିବାରଣରେ ଅନେକ ଭୂମିକା ନିର୍ବାହ କରେ । ଯଦି ଜଣେ ବ୍ୟକ୍ତି ନିୟମିତ ଭାବରେ ଏହି ସମ୍ପଦ ଶସ୍ୟ ଆହାର କରନ୍ତି, ରକ୍ତରେ ଗ୍ଲୁକୋଜ ଧୀରେ ଧୀରେ ଏବଂ ନିୟମିତ ଭାବରେ ମିଶିଥାଏ, ତାହା ପୁଣି ଦରକାର ମୁତାବକ । ସେସବୁ ଖାଇବାର ୫-୭ ପର୍ଯ୍ୟନ୍ତ ଗ୍ଲୁକୋଜ ଧୀରେ ଧୀରେ ଛାଡ଼ିଥାଏ । ଏହାଦ୍ୱାରା ଅବିରତ ଭାବରେ ରକ୍ତ ଲିଟର ପ୍ରତି ଆବଶ୍ୟକ ୧ ଗ୍ରାମ୍ ଗ୍ଲୁକୋଜ ଯୋଗାଣ ସ୍ଥିର ଏବଂ ନିଶ୍ଚିତ କରିଥାଏ । ତେଣୁ କୌଣସି ସମୟରେ ଆବଶ୍ୟକତାଠାରୁ ଅଧିକ ଗ୍ଲୁକୋଜ ରକ୍ତରେ ଜମି ରହିପାରେ ନାହିଁ । ସେଇଥିପାଇଁ ଡଃ ଭାଲୀ ଯୁକ୍ତି ବାଢ଼ନ୍ତି ଯେ, ଏହି ୫ ପ୍ରକାରର ମିଲେଟ୍ ନିୟମିତ ସେବନ କଲେ ମଧୁମେହ ରୋଗୀର ରୋଗ ନିୟନ୍ତ୍ରଣରେ ରହିପାରିବ । ଏହାଛଡ଼ା ସୁସ୍ଥ ଲୋକ ଯଦି ଏହାକୁ ନିୟମିତ ସେବନ କରନ୍ତି ତେବେ ମଧୁମେହଠାରୁ ଦୂରେଇ ରହିବାର ସମ୍ଭାବନା ଯଥେଷ୍ଟ ଅଧିକ । ଅନ୍ୟ ଅର୍ଥରେ ବୁଝାଇବାକୁ ଗଲେ ଏହି ଶସ୍ୟରେ ତନ୍ତୁ ପରିମାଣ ୮ ପ୍ରତିଶତରୁ ୧୨ ପ୍ରତିଶତ ଯାହା ଖାଦ୍ୟ ଉପାଦାନର ଏକ ବିଶିଷ୍ଟ ଉପାଂଶ ଏବଂ ଏହି ତନ୍ତୁ ପଦାର୍ଥ ଧୀରେ ଧୀରେ ଲଗାତାର ଏବଂ ସଠିକ୍ ପରିମାଣର ଗ୍ଲୁକୋଜ ରକ୍ତକୁ ଯୋଗାଇଥାଏ । ଏହା ବ୍ୟତୀତ ଡଃ ଭାଲୀଙ୍କ ଅନୁଯାୟୀ ମାଣ୍ଡିଆ, ବାଜରା, ପ୍ରୋସୋ ମିଲେଟ୍‌, ଜୁଆର ଆଦି ଶସ୍ୟରେ ତନ୍ତୁର ପରିମାଣ କମ୍ ଥିବା ସୁସ୍ଥ ଲୋକ ଅସୁସ୍ଥ ହେବନାହିଁ ।

ଡଃ ନନ୍ଦକିଶୋର ମହାକୁଡ଼, ଜଣେ ସମାଜଶାସ୍ତ୍ରୀ, ଜୈବିକ ଚାଷୀ ତଥା ପ୍ରଶିକ୍ଷକ କହନ୍ତି ଯେ, ମିଲେଟ୍ ପ୍ରାକୃତିକ ଉପାୟରେ ଚାଷ କରାଯାଏ । ଏଥିରେ ରାସାୟନିକ ସାରର ପ୍ରୟୋଗ ହୁଏନାହିଁ । ତେଣୁ ମିଲେଟ୍ ସେବନ ଦ୍ୱାରା ଆମେ ବିଭିନ୍ନ ରୋଗକୁ ଦୂରେଇବା ସହିତ ଶରୀରକୁ ଆବଶ୍ୟକ ପୁଷ୍ଟିତତ୍ତ୍ୱ ମଧ୍ୟ ପାଇପାରିବା । ବର୍ତ୍ତମାନ ଓଡ଼ିଶାର ଭୁବନେଶ୍ୱର ସମେତ ଅନେକ ସହରାଅଞ୍ଚଳରେ ମିଲେଟ୍‌ର ଚାହିଦା ବଢ଼ିବାର ଉପ ଉପଲବ୍ଧି ହେଉଛି । ଡାଇବେଟିସ୍ ସହିତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଲୋକ ଡାଇଟିସିଆନ୍‌ଙ୍କ ପରାମର୍ଶ ଅନୁଯାୟୀ ମିଲେଟ୍‌କୁ ଦୈନିନ୍ଦିନ ଜୀବନରେ ଆପଣେଇବା ଆରମ୍ଭ କରିଛନ୍ତି ।

ଏହି କ୍ଷେତ୍ରରେ ଯୁବଡାଇଟିସିଆନ୍ ଭାଗ୍ୟଶ୍ରୀ ଭୋଇଙ୍କ ଅନୁଯାୟୀ ବର୍ତ୍ତର୍ମାନ କିଛି ମଧୁମେହ ରୋଗୀ ମିଲେଟ୍ ବିଷୟରେ ପଚାରି ବୁଝୁଛନ୍ତି ଏବଂ ଖାଦ୍ୟ ଆକାରରେ ବ୍ୟବହାର ମଧ୍ୟ କରୁଛନ୍ତି । ଯଦିବା ସହରାଅଞ୍ଚଳରେ ମିଲେଟ୍ ସମ୍ପନ୍ଧୀୟ ଆହୁରି ଅନେକ ଜନଜାଗରଣର ଆବଶ୍ୟକତା ରହିଛି । ଓଡ଼ିଶା ସରକାରଙ୍କର ମିଲେଟ୍ ମିଶନ ମାଧ୍ୟମରେ ମିଲେଟ୍‌ର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଉଅଛି । ଅନେକ ମିଲେଟ୍ ବ୍ୟବସାୟୀଙ୍କୁ ଉତ୍ସାହିତ ମଧ୍ୟ କରାଯାଉଛି । ବଜାରରେ ବିଭିନ୍ନ ପ୍ରକାରର ଆଧୁନିକ ମିଲେଟ୍ ଖାଦ୍ୟ ଯଥା- ବରା, ସମୋସା, ନୁଡ଼ୁଲ୍‌ସ, ବିରିୟାନୀ ଇତ୍ୟାଦି ମଧ୍ୟ ମିଲେଟ୍ ଫାଷ୍ଟ୍‌ଫୁଡ଼ ସେଣ୍ଟରରେ ଉପଲବ୍ଧ ହେଲାଣି । ଭୁବନେଶ୍ୱରର ଏକ ଯୁବ ମିଲେଟ୍ ବ୍ୟବସାୟୀଙ୍କ ଅନୁଯାୟୀ କିଛି ଯୁବକ, ଯୁବତୀ ମିଲେଟ୍ ଫାଷ୍ଟ୍‌ଫୁଡ଼କୁ ମଧ୍ୟ ପସନ୍ଦ କରନ୍ତି । ମାତ୍ର ଏଠି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମଇଦା ପରିବର୍ତ୍ତେ ମିଲେଟ୍ ସ୍ୱାସ୍ଥ୍ୟ ପାଇଁ ହିତକର କିନ୍ତୁ ଫାଷ୍ଟଫୁଡ଼୍ ନାଁରେ ଅତ୍ୟାଧିକ ତେଲ ବ୍ୟବହାର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଏକ ଆହ୍ୱାନ । ତେଣୁ ମଧୁମେହ ରୋଗୀ ତଥା ସୁସ୍ଥ ଲୋକ ଏ ଦିଗରେ ସତର୍କ ରହିବାର ଆବଶ୍ୟକତା ରହିଅଛି । ସେହିପରି ମିଲେଟ୍‌ର ଚାଷକୁ ପ୍ରାକୃତିକ ଉପାୟ ପରିବର୍ତ୍ତେ ରାସାୟନିକ ସାରର ପ୍ରୟୋଗ କରିଲେ ମଧ୍ୟ ତାହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ପ୍ରମାଣିତ ହେବ ବୋଲି ବିଶେଷଜ୍ଞଙ୍କ ମତ । ଚାଲନ୍ତୁ ଆମେ ମିଲେଟ୍‌କୁ ଦୈନନ୍ଦିନ ଖାଦ୍ୟ ଥାଳିରେ ପରଷିବା ସହିତ ପିଲାମାନଙ୍କର ଭୋଜନ ବକ୍ସରେ ମିଲେଟ୍ ଖାଦ୍ୟ ଦେବା । ହୋଟେଲ୍‌ରେ ରୋଷେଇ ହୋଇଥିବା ଖାଦ୍ୟ ବ୍ୟତୀତ ଘରେ ପାରମ୍ପରିକ ପଦ୍ଧତିରେ ରୋଷେଇ ହୋଇଥିବା ମିଲେଟ୍ ଖାଦ୍ୟକୁ ଆପଣେଇବା ବିଶେଷକରି ମଧୁମେହ ରୋଗୀଙ୍କ ଖାଇବା ଥାଳିରେ ମିଲେଟ୍ ଖାଦ୍ୟ ପରଷିବା । ନିୟମିତ ବ୍ୟାୟାମ, ମଧୁମେହର ନିୟମିତ ଯାଞ୍ଚ ସଠିକ୍ ସମୟରେ ଔଷଧ ସେବନ କରିବା ସହିତ ଯୋଗ ଏବଂ ଧ୍ୟାନକୁ ଜୀବନରେ ଆପଣେଇବା ସହିତ ଏକ ଚିନ୍ତାଶୂନ୍ୟ ଜୀବନ ବଞ୍ଚିବା ପାଇଁ ଚେଷ୍ଟା କରିବା । ନିଶ୍ଚିତ ଭାବରେ ମଧୁମେହ ହାରିବ, ମଣିଷ ଜିତିବ ।

ମୋ-୯୪୩୮୭୪୭୩୨୦

Comments are closed.