Latest Odisha News

ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ

ଭୁବନେଶ୍ବର: ଯାତ୍ରାରେ ଆଉ ଚାଲିବନି ଅଶ୍ଳୀଳ ନୃତ୍ୟ। ବନ୍ଦ ହେବ ଖୋଲାଖୋଲି ନଗ୍ନତା ପ୍ରଦର୍ଶନ । ଯାତ୍ରା ପାଇଁ ଆସିବ ଲକ୍ଷ୍ମଣରେଖା । ମନୋରଞ୍ଜନ ନାଁରେ ଅପସଂସ୍କୃତିକୁ ପ୍ରଶ୍ରୟ ଦିଆଯିବନି । ଯାତ୍ରା ମଞ୍ଚରେ ଅଶ୍ଳୀଳ ନାଚ ବନ୍ଦ କରିବାକୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଯାତ୍ରା ମଞ୍ଚରେ ଅଙ୍ଗ ପ୍ରଦର୍ଶନ ତଥା ଅଶ୍ଲୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ସାମନାକୁ ଆସିଛି । ଏହା ଉପରେ ରୋକ୍ ଲଗାଇବାକୁ ଦାବି ବି ହୋଇଛି। ଏନେଇ ଗୁରୁତ୍ବର ସହ ବିଚାର କରୁଛନ୍ତି ରାଜ୍ୟ ସରକାର । ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଥିବା ସଂସ୍କୃତି ମନ୍ତ୍ରୀ କହିଛନ୍ତି । ସେପଟେ ବିରୋଧିୀ ବି ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ କଠୋର ଆଇନ ଆଣିବାକୁ ଦାବି କରିଛନ୍ତି ।

ସଂସ୍କୃତି ବିରୋଧୀ…ବନ୍ଦ କର

ଉତ୍କର୍ଷ କଳାର ରାଜ୍ୟ ଉତ୍କଳ । କଳା, ସଂସ୍କୃତି ଓ ସ୍ଥାପତ୍ୟ ପାଇଁ ସାରା ବିଶ୍ବରେ ପରିଚିଚ ଓଡିଶା । ଯାତ୍ରାର ସ୍ବତନ୍ତ୍ର ଦର୍ଶକ ରହିଥିବା ବେଳେ ଏହା ରାଜ୍ୟର କଳା, ସାହିତ୍ୟ, ସଂସ୍କୃତିକୁ ଆଗକୁ ନେଉଛି । ତେବେ କିଛି ଦିନ ହେଲା ଯାତ୍ରାରେ ଅଶ୍ଳୀଳତାକୁ ନେଇ ବିବାଦ ଦେଖାଦେଇଛି । ଏଥିରେ ପୂର୍ଣ୍ଣଚ୍ଛେଦ ଲାଗିବା ଦରକାର ବୋଲି ବିଜେପି କହିଛି । ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବନ୍ଦ କରିବାକୁ ସରକାର ମାର୍ଗଦର୍ଶିକା ଆଣିବେ । ଏହାକୁ ସ୍ବାଗତ କରିଛନ୍ତି ବିରୋଧୀ । ପରିବାର ସହ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଏଭଳି ଅଶ୍ଳୀଳ ନାଚ ପ୍ରଦର୍ଶନ ଦୁର୍ଭାଗ୍ୟଜନକ । ଏହା ଓଡିଆ ଅସ୍ମିତା ବିରୋଧୀ, ବନ୍ଦ କରିବାକୁ କଠୋର ଆଇନ ଆସିବା ଦରକାର ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ସେପଟେ ଯାତ୍ରାରେ ଅଶ୍ଳୀଳତା ସୀମା ଲଂଘିଛି । ଯାତ୍ରା କ୍ଷେତ୍ରରେ ସେନସର ବୋର୍ଡ ରହୁ । ଓଡିଆ ସଂସ୍କୃତିକୁ ଆଖିରେ ରଖି ଯାତ୍ରା ପରିବେଷଣ କରାଯାଉ ବୋଲି ବିଜେଡି କହିଛି ।

କାହିଁକି ଅଶ୍ଳୀଳ ନୃତ୍ୟ?

ବ୍ୟାବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକମାନେ ଅଶ୍ଳୀଳ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହେଉଛି । ଦର୍ଶକଙ୍କ ରୁଚିକୁ ଦେଖି ଯାତ୍ରାରେ ଏଭଳି ନୃତ୍ୟ ସାମିଲ କରାଯାଉଥିବା ଯେତେ ଯୁକ୍ତି କରାଗଲେ ବି ଏହା ପଛର ପ୍ରକୃତ କାରଣ ହେଉଛି ଅଧିକ ଅର୍ଥ ରୋଜଗାର ଯୋଜନା। ମନୋରଞ୍ଜନ ନାଁରେ ଅପସଂସ୍କୃତିର ଖୋଲାଖୋଲି ପ୍ରସାର କରାଯାଉଛି । ବ୍ୟାବସାୟିକ ସଫଳତା ପାଇଁ ଏକପ୍ରକାର ଚକ୍ରବ୍ୟୂହର ରଚନା କରାଯାଉଛି । ସେଥିରେ ଯାତ୍ରା ମାଲିକ, ଆୟୋଜକ, ଉତ୍ସୃଙ୍ଖଳ ଦର୍ଶକ ଓ ଆଇଟମ ଗାର୍ଲ ସାମିଲ ହେଉଛନ୍ତି । ଯାତ୍ରା ମଞ୍ଚରେ ଖୋଲାଖୋଲି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରାଯାଉଛି ।

ସେନସର ବୋର୍ଡ ରହୁ

ଯାତ୍ରାର ସ୍ବତନ୍ତ୍ର ଦର୍ଶକ ରହିଛନ୍ତି । ସେମାନେ ଖୋଲାମଞ୍ଚରେ ପରିବାର ସହ ଯାତ୍ରା ଦେଖିବାକୁ ଯାଆନ୍ତି । ତେବେ ଯେଉଁଭଳି ଭାବେ ଆଇଟମ ଡାନସରେ ଅଶ୍ଳୀଳତା ପ୍ରଦର୍ଶନ କରାଯାଉଛି ଏବେ ପରିବାର କଣ ପରିଚିତଙ୍କ ସହ ଯାତ୍ରା ଦେଖିବାକୁ ବି ସହଜ ହେଉନାହାନ୍ତି ଦର୍ଶକ । ଆଇଟମ୍ ଗାର୍ଲ ଖୋଲାଖୋଲି ନଗ୍ନତା ପ୍ରଦର୍ଶନ କରିବାକୁ ନେଇ ଅନେକ ଥର ବିବାଦ ବି ହୋଇଛି । ତେଣୁ ଯାତ୍ରା ମଞ୍ଚରେ ଅଶ୍ଳୀଳତା ଆଦୌ ଗ୍ରହଣୀୟ ନୁହେଁ । ସିନେମା ଭଳି ଯାତ୍ରାରେ ମଧ୍ୟ ସେନସର ବୋର୍ଡର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଯାତ୍ରାରେ ଅଶ୍ଳୀଳ ନାଚ ବନ୍ଦ କରିବାକୁ ଶୀଘ୍ର ମାର୍ଗଦର୍ଶିକା ଆଣିବାକୁ ଯାଉଛନ୍ତି । ମନୋରଞ୍ଜନର ମାଧ୍ୟମ ଯାତ୍ରା ପାଇଁ ଲକ୍ଷ୍ମଣରେଖା ପ୍ରସ୍ତୁତ ହେବା ଜରୁରୀ। ଖାଲି ସେତିକି ନୁହେଁ ଏହା କିଭଳି ଠିକ୍ ଭାବେ ଲାଗୁ ହୋଇପାରିବ, ସେନେଇ ବି ସରକାର ନଜର ରଖିବା ଆବଶ୍ୟକ ।

Comments are closed.