ଭୁବନେଶ୍ୱର: ଓସିଏ ସାଧାରଣ ପରିଷଦ ବୈଠକରେ ଅସନ୍ତୋଷ । ଓସିଏ ନିର୍ବାଚନ ତୁରନ୍ତ କରିବା ପାଇଁ କିଛି ସଦସ୍ୟ ଦାବି କରୁଥିବା ବେଳେ କିଛି ସଦସ୍ୟ ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାବି କରିଛନ୍ତି । ବୈଠକରେ ଓସିଏ ସଦସ୍ୟ ତଥା ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ କିଛି ସଦସ୍ୟ ନିର୍ବାଚନ ହେଉ ବୋଲି ଦାବି କରିଥିଲେ । ସମସ୍ତ ନିୟମକୁ ଉଲଙ୍ଘନ କରାଯାଇ ନିର୍ବାଚନକୁ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି ବୋଲି ଲଳିତେନ୍ଦୁ କହିଥିଲେ।
ଲୋଧା କମିଟି ନିୟମ ଅନୁସାରେ ୧୬ଟି ରାଜ୍ୟ କ୍ରିକେଟ ଆସୋସିଏସନ ନିର୍ବାଚନ କରିସାରିଲେଣି। ହେଲେ ଏ ଯାଏଁ ଓସିଏ କରିନାହିଁ। ଏ ବାବଦରେ ନିଶ୍ଚୟ ବିସିସିଆଇକୁ ଜଣାଯିବା ସହ କୋର୍ଟର ଆଶ୍ରୟ ନିଆଯିବ ବୋଲି କୁହାଯାଇଛି। ଓସିଏକୁ କିଛି ଲୋକ ବର୍ଷ ବର୍ଷ ଧରି ମାଡି ବସିବାରୁ କ୍ରିକେଟ ଦିନକୁ ଦିନ ତଳକୁ ଯାଉଛି। ତେଣୁ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।
ସେପଟେ ଏବେ ନିର୍ବାଚନ ହେବ ନାହିଁ ବୋଲି ଓସିଏ ସେଣ୍ଟ୍ରାଲ ବଡି ମିଟିଂରେ ନିଷ୍ପତ୍ତି ନିଆଯାଇଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ନିର୍ବାଚନ ହେବନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । କୌଣସି ନିୟମ ଉଲଙ୍ଘନ ହୋଇନାହିଁ ନୂଆ ସ୍ପୋର୍ଟସ ବିଲ ଆସିବା ପରେ ନିର୍ବାଚନ ହେବ ବୋଲି କୁହାଯାଇଛି ।