Latest Odisha News

BREAKING NEWS

ଆରପାରିରେ ପ୍ରସିଦ୍ଧ ଭଜନ ଗାୟକ ଭିକାରୀ ମହମ୍ମଦ

ନୟାଗଡ: ଚିରନିଦ୍ରାରେ ଓଡିଶାର ପ୍ରସିଦ୍ଧ ଭଜନ ଗାୟକ ଭିକାରୀ ମହମ୍ମଦ। ନୟାଗଡ ଜିଲ୍ଲାର ଖଣ୍ତପଡା ଠାରେ ଜନ୍ମିତ ଭିକାରୀଙ୍କୁ ଖଣ୍ଡପଡାର ସାଲବେଗ ଭାବରେ ସାରା ଓଡ଼ିଶା ଜାଣିଛି।

ସଂଗୀତଜ୍ଞ ଭିକାରୀ ମହମ୍ମଦ ବୁଧବାର ପାଖାପାଖି ୧୧.୪୫ ମିନିଟ୍ ରେ ପ୍ରାଣ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ହୋଇଥିଲା। ବିଗତ କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପଡିରହିଥିଲେ।

କଟକସ୍ଥିତ ଏସ୍‌ସିବି ବଡ଼ ମେଡିକାଲରେ ଚିକିତ୍ସିତ ମଧ୍ୟ ହେଉଥିଲେ।ମହାପ୍ରଭୁ ଜଗନ୍ନାଥଙ୍କ ଜଣାଣ ଓ ଭଜନ ଗାଇ ଲୋକଲୋଚନକୁ ଆସିଥିବା ଏହି ମହାନ କଳାକାର ଆମ ସମସ୍ତଙ୍କ ଠାରୁ ବିଦାୟ ନେଇଛନ୍ତି।

ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ କିଛି ମାସ ତଳେ ପ୍ରଥମେ ସେ ପକ୍ଷାଘାତ ହେବା ପରେ ସୁସ୍ଥ ହୋଇଥିଲେ ମଧ୍ୟ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିଲା। ତେବେ ଗତ ବୁଧବାର ଦିନ ତାଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ କରାଯାଉଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସହ ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳର ଏହି କଳାକାର ମୁସଲମାନ ସମ୍ପ୍ରଦାୟର ଥିଲେ। ଦୁଇ ଝିଅଙ୍କ ପରେ ପୁଅଟିଏ ଆଶା କରି ତାଙ୍କ ମା’ ଓଡ଼ିଆ ପରମ୍ପରା ଅନୁଯାୟୀ ଦ୍ବିତୀୟା ଓଷା କରି ଜଗନ୍ନାଥଙ୍କୁ ପୁଅଟିଏ ମାଗିଥିଲେ। ଜାଗା ତାଙ୍କ ମନସ୍କାମନା ପୂରଣ କରି ତାଙ୍କ କୋଳରେ ପୁଅଟିଏ ଦେଇଥିଲେ।

ଭକ୍ତ ସାଲବେଗଙ୍କ ପରି ପିଲାଟି ଦିନରୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଭଲ ପାଇବା ଓ ଆକର୍ଷଣ ହିଁ ତାଙ୍କୁ ଆଉ ଜଣେ ସାଲବେଗଙ୍କ ଆଖ୍ୟା ଦେଇଥିଲା।

Comments are closed.