Latest Odisha News

BREAKING NEWS

ପୁଷ୍ପା-୨ରେ ଓଡ଼ିଆ ପୁଅ ସିଲଭର ଗାନ୍ଧୀଙ୍କ କମାଲ

ଭୁବନେଶ୍ବର: ଭାରତ ସିନେମା ଇତିହାସରେ ସମସ୍ତ ରେକର୍ଡ଼କୁ ଭାଙ୍ଗି ଇତିହାସ ସୃଷ୍ଟି କରି ଚାଲିଥିବା ଚଳଚ୍ଚିତ୍ର ପୁଷ୍ପା-୨ରେ ଅଭିନୟ କରିଛନ୍ତି ଓଡ଼ିଆ ପୁଅ । ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ରଙ୍କର ବଳିଷ୍ଠ ଭୂମିକାକୁ କେନ୍ଦ୍ରକରି ଚର୍ଚ୍ଚା ଜୋର ଧରିଥିବା ଜଣାଯାଇଛି । ମୋହନ ଏହି ମହାନ ଚଳଚ୍ଚିତ୍ରରେ ଅଭିନୟ କରିବା ସାଙ୍ଗକୁ ସହ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ମୁକ୍ତିଲାଭ କରିବାର ମାତ୍ର ବାର ଦିନ ମଧ୍ୟରେ ଏହି ଚଳଚ୍ଚିତ୍ରର ଆୟ ଦେଢ଼ ହଜାର କୋଟି ଟଙ୍କାକୁ ଟପି ଯାଇଥିବା ବେଳେ ଏହାର ମୁଖ୍ୟ ନାୟକ ଅଲ୍ଲୁ ଅର୍ଜୁନଙ୍କର ପ୍ରଥମେ ଜେଲ ଓ ପରେ ବେଲ ଅଧ୍ୟାୟ, ଏହାକୁ ଦେଶ ସାରା ଲୋକଲୋଚନରେ ରଖିଛି । ଏହି ସିନେମାରେ ଅଲ୍ଲୁଙ୍କ ସହିତ ବିଖ୍ୟାତ ଅଭିନେତ୍ରୀ ରଶ୍ମିକା ମନ୍ଦନା, ଫୱାଦ ଫାଜିଲ, ପ୍ରକାଶ ରାଜ, ଜଗପତି ବାବୁ ଓ ସୁନୀଲଙ୍କ ସାଙ୍ଗକୁ ମୋହନ ମହାପାତ୍ରଙ୍କର ଜୋରଦାର ଅଭିନୟ ଦେଖିବାକୁ ମିଳିଛି ।

ନବୀନ ୟମେନ ଓ ୱାଇ ରବି ଶଙ୍କରଙ୍କର ପ୍ରଯୋଜନା, ସୁକୁମାର ପ୍ରସାଦ ଗାରୁଙ୍କର ନିର୍ଦ୍ଦେଶନା ଓ ମୋହନ ମହାପାତ୍ରଙ୍କର ସହ ନିର୍ଦ୍ଦେଶନାରେ ନିର୍ମିତ ଏହି ମେଗା ସିନେମାରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ଭରପୁର ଆକ୍ସନ, ରୋମାନ୍ସ ଏବଂ ଡ୍ୟାନ୍ସ ଆଦି ଦୃଶ୍ୟ ମହଜୁଦ ରହିଛି ।

ଉଭୟ ହିନ୍ଦୀ ଓ ତେଲଗୁ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିବାରୁ ସିଲଭର ଗାନ୍ଧୀ ନିଜକୁ ଗୌରବାନ୍ୱିତ ମନେ କରୁଥିବା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର କୃପା, ନିଜ ମା’ଙ୍କର ଅଶେଷ ଆଶୀର୍ବାଦ ଏବଂ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କର ସଚ୍ଚା ସଦିଚ୍ଛା ଯୋଗୁଁ ଏହା ସମ୍ଭବ ହୋଇ ପାରିଥିବା ବରୀ ରେ ଜନ୍ମିତ ଏବଂ ବେରବୋଇ ରେ ପାଳିତ ମୋହନ ମହାପାତ୍ର ସୂଚାଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର ସିଲଭର ଗାନ୍ଧୀ ନିକଟରେ ଗୁଜୁରାଟରୁ ନୂଆଦିଲ୍ଲୀ ଏବଂ ନୂଆଦିଲ୍ଲୀରୁ ହରିୟାଣା ଦୁଇ ଦଫାରେ ତାଙ୍କର ପଦଯାତ୍ରା ସମ୍ପନ୍ନ କରିଛନ୍ତି । ସ୍ଵଚ୍ଛ ଭାରତ ଗଠନ, ମା’ ପାଇଁ ଗଛଟିଏ ରୋପଣ ଏବଂ ଘରେ ଘରେ ଜାତୀୟ ପତାକା ଉଡ଼ାଣ ଆଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନ ଗୁଡିକୁ ନେଇ ଜନ ସଚେତନତା ସୃଷ୍ଟି କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କର ପତ୍ନୀ ମୃଦୁଳା ପ୍ରଧାନ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ଶକ୍ତି ଓ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ହରିୟାଣାର ମନ୍ତ୍ରୀ ସୁଭାଷ ସୁଧା ଓ ଉତ୍ତର ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ପ୍ରମୁଖ ତାଙ୍କର ସାଧୁ ଉଦ୍ୟମକୁ ଭୂରି ଭୂରି ପ୍ରଶଂସା କରିବା ସାଙ୍ଗକୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କର ଜୀବନ, ଦର୍ଶନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଦୂଷଣ ମୁକ୍ତ ସ୍ୱଚ୍ଛ ଓ ସବୁଜ ଭାରତ ଗଠନ ପାଇଁ ଶ୍ରୀ ମୋଦିଙ୍କର ବାର୍ତ୍ତାକୁ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହୁଞ୍ଚାଇବାକୁ ସଦା ସର୍ବଦା ପ୍ରଚେଷ୍ଟା କରି ଆସୁଥିବା ସିଲଭର ଗାନ୍ଧୀ ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି ।

ଓଡିଶାର ମାଲକାନଗିରି, କୋରାପୁଟ, କେନ୍ଦୁଝର ଓ ଯାଜପୁର ଆଦି ଚାରୋଟି ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ହେବା ସମୟରେ ରାଜ୍ୟ ପ୍ରଶାସନ ଓ ଗୃହ ବିଭାଗ ସୁରକ୍ଷା ଓ ସହଯୋଗ ଯୋଗାଇ ଦେଇଥିବାରୁ ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି I

Leave A Reply

Your email address will not be published.