Latest Odisha News

BREAKING NEWS

ଆଉ ନାହାନ୍ତି ଓଡିଆ ସିନେମା ଓ ଯାତ୍ରା ଜଗତର ଖ୍ୟାତନାମା ନିର୍ଦ୍ଦେଶକ ରମେଶ ମହାନ୍ତି

ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ଖ୍ୟାତନାମା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତି । ଯାତ୍ରା ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ଭାବେ ଚାରି ଦଶନ୍ଧି ଧରି ଅନେକ ଚର୍ଚ୍ଚିତ ନାଟକ ଓ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ ସେ ।

ରମେଶ ମହାନ୍ତି ୩ଟି ଓଡ଼ିଆ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ । ସେଗୁଡିକ ହେଲା ‘ବତାସୀ ଝଡ଼’। ଏହା ତାଙ୍କର ପ୍ରଥମ ଓଡିଆ ସିନେମା ଥିଲା । ଏହି ସିନେମାର ଏକ ଗୀତ ବେଶ ଲୋକପ୍ରିୟତା ହାସିଲ କରିଥିଲା । ଗୀତଟି ହେଲା ଏ ଲାଖି ଯାଏ ଦେଖି.. ଆଜି ବି ବେଶ୍ ଲୋକପ୍ରିୟ । ଏହି ଗୀତରେ କଣ୍ଠଦାନ କରିଥିଲେ ୟେଶୁ ଦାସ, ହେମଲତା ଓ ସିକନ୍ଦର୍ ଆଲାମ୍ । ପ୍ରଖ୍ୟାତ ବଲିଉଡ ସଙ୍ଗୀତକାର ସଲିଲ ଚୌଧୁରୀ ଏହାର ସ୍ବରକାର ।

ଏହାପରେ ଜଣାଶୁଣା ଔପନ୍ୟାସିକ ଭାଗିରଥୀ ଦାସଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ପରଝିଅ ଘର ଭାଙ୍ଗେନା’କୁ ସିନେମାର ରୂପ ଦେଇଥିଲେ ରମେଶ ମହାନ୍ତି, ଯେଉଁଥିରେ ଅଜିତ ଦାସ ଓ ତନ୍ଦ୍ରା ରାୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ସିନେମା ହେଲା ‘ସତ କେବେ ଲୁଚି ରହେନା’, ଯେଉଁଥିରେ ମୁଖ୍ୟ ଭୂମିକାରେ ଉତ୍ତମ ମହାନ୍ତି, ଅପରାଜିତା ଓ ତନ୍ଦ୍ରା ରାୟ ଆଦି ନଜର ଆସିଥିଲେ ।

ଏହା ବ୍ୟତୀତ ସେ ଅନେକ ମଞ୍ଚ ନାଟକ ଓ ଟେଲି ଫିଲ୍ମର ବି ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ବିୟୋଗ ଯାତ୍ରା ଜଗତ, ମଞ୍ଚ ନାଟକ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.