Latest Odisha News

BREAKING NEWS

ଆମେରିକା ହ୍ୟୁଷ୍ଟନରେ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର

ହ୍ୟୁଷ୍ଟନ : ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଟେକ୍‍ସାସ୍‍ର ହ୍ୟୁଷ୍ଟନରେ ଓଡ଼ିଶାର ଏକ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଡଃ ଏସ୍‍.କେ. ଦାଶ ସେଣ୍ଟର ଫର ଓଡ଼ିଆ କଲ୍‍ଚର ନାମକ ଏହି କେନ୍ଦ୍ରକୁ ସମାଜସେବୀ ଡଃ ସୀତକଣ୍ଠ ଦାଶ ଏବଂ ତାଙ୍କର ସହଧର୍ମିଣୀ କବୟିତ୍ରୀ କଳ୍ପନା ଦାଶ ପାରମ୍ପରିକ ଫିତା କାଟି ଉଦ୍‍ଘାଟନ କରିଥିଲେ । ୩୧୦୧-ଫିକୱେ ମାର୍ଗଠାରେ ଓରିସା କଲଚର ସେଣ୍ଟର (ଓ.ସି.ସି) ଦ୍ୱାରା ନିର୍ମିତ ଏହି କେନ୍ଦ୍ର  ବୃହତ୍‍ ହ୍ୟୁଷ୍ଟନଠାରେ ବସବାସ କରୁଥିବା ଓଡ଼ିଆ ଅଧିବାସୀମାନଙ୍କ ପାଇଁ ଏକ ବହୁମୁଖୀ କଲ୍ୟାଣ ମଣ୍ଡପ ତଥା ସାମାଜିକ ଓ ସାଂସ୍କୃତିକ ପୀଠସ୍ଥଳୀ ଭାବରେ କାର୍ଯ୍ୟ କରିବ ।

୨୦୦୯ ମସିହାରେ ପ୍ରତିଷ୍ଠିତ ଓ.ସି.ସି, ସଂସ୍କୃତି, ସାହିତ୍ୟ, ଧର୍ମ ଏବଂ ଆଧ୍ୟାତ୍ମିକତା ମଧ୍ୟରେ ସମନ୍ୱୟ ରକ୍ଷାକାରୀ ଏକ ଅନନ୍ୟ ମଞ୍ଚ । ଭବିଷ୍ୟତରେ ଏଠାରେ ମନ୍ଦିର, ପାଠାଗାର ଓ ସଂଗ୍ରହାଳୟ ଆଦି ସ୍ଥାପନ କରାଯିବାର ଯୋଜନା ରହିଛି । ଏହି ସାଂସ୍କୃତିକ କେନ୍ଦ୍ର ଟେକସାସ୍‍ ତଥା ଆମେରିକାରେ ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ,ପରମ୍ପରା, ଐତିହ୍ୟ, ପର୍ଯ୍ୟଟନ, ପରିପାଟ୍ଟୀ ଏବଂ ବ୍ୟଞ୍ଜନକୁ ପ୍ରସାର, ପ୍ରଚାର ତଥା ଲୋକପ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି ଉପଲକ୍ଷେ ଓ.ସି.ସି ତରଫରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ନବ ନିର୍ମିତ କମ୍ୟୁନିଟି ହଲ୍‍ ଠାରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ଶ୍ରୀସୁଦର୍ଶନଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ଦିଅଁମାନଙ୍କ ପୂଜାର୍ଚ୍ଚନା କରିଥିଲେ । ଏହା ପୂର୍ବରୁ ଏଠାରେ ଅଙ୍କୁରୋପଣ, ଅଧୀବାସ, କଳସ ଯାତ୍ରା, ବାସ୍ତୁ ପୂଜା, ବିଷ୍ଣୁ ଏବଂ ଜଗନ୍ନାଥ ସହସ୍ର ନାମ ଯଜ୍ଞ ଆଦି ଧାର୍ମିକ ବିଧି ଯଥାରିତୀ ସମ୍ପନ୍ନ କରାଯାଇଥିଲା ।

ଚାରି ଠାକୁରଙ୍କୁ ପହଣ୍ଡି କରି ଘଣ୍ଟ, କର୍ତ୍ତାଳ, ଝାଞ୍ଜର ଘୋର ଘର୍ଗରନାଦ ଏବଂ ଜୟ ଜଗନ୍ନାଥ ଧ୍ୱନୀ ମଧ୍ୟରେ ସିଂହାସନକୁ ନିଆଯାଇଥିଲା । ବିଶେଷ କରି ମହିଳା ମାନଙ୍କ ଦ୍ୱାରା ଦେବୀ ଶୁଭଦ୍ରାଙ୍କର ପହଣ୍ଡି ବିଜେର ଦୃଶ୍ୟ ବେଶ୍‍ ମନୋରମ ଥିଲା । ଚାରି ଦିନ ବ୍ୟାପୀ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବର ବିଭିନ୍ନ ଦିବସରେ ସ୍ୱାମୀ ସର୍ବପ୍ରିୟ ନନ୍ଦ ଏବଂ ଡଃ ସୂର୍ଯ୍ୟନାରାୟଣ ନନ୍ଦ ପ୍ରବଚନ ପ୍ରଦାନ କରିଥିଲେ ।ଏହି ଅବସରରେ ଡଃ ନିତ୍ୟାନନ୍ଦ ଉପାଧ୍ୟାୟ ଓ ଶ୍ରୀମତୀ ପ୍ରଜ୍ଞାନ ଉପାଧ୍ୟାୟ, ଆନନ୍ଦ ବଜାରର ଶୁଭାରମ୍ଭ କରିଥିଲେ ।

 

Leave A Reply

Your email address will not be published.