ଭୁବନେଶ୍ୱର:ଆନ୍ତର୍ଜାତିକ ମଞ୍ଚରେ ପ୍ରଶଂସା ସାଉଁଟିଲା ଓଡ଼ିଆ କ୍ଷୁଦ୍ର ପ୍ରାମାଣିକ ଫିଲ୍ମ । କ୍ଷୁଦ୍ର ପ୍ରାମଣିକ ଚଳଚ୍ଚିତ୍ର ‘ଡକ୍ୟୁ ଫିଲ୍ମ’- ‘ମିଶନ ଶକ୍ତି’କୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ପ୍ରଶଂସା ମିଳିିଛି । ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ ‘ସି ଫୁଡ ଏଲାଏନ୍ସ’ ଶୀର୍ଷକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶରୁ ମହିଳା ସଶକ୍ତିକରଣ ଉପରେ ଶତାଧିକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଏଥିରେ ସାମିଲ ହୋଇଥିଲା ବିଶିଷ୍ଟ ଆଦିବାସୀ ଗବେଷକ, ସାମ୍ବାଦିକ ତଥା ପ୍ରାମାଣିକ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦେଶିତ ‘ଡକ୍ୟୁ ଫିଲ୍ମ’- ‘ମିଶନ ଶକ୍ତି’ ।
ତିନି ମିନିଟ ୨୨ ସେକେଣ୍ଡର ଏହି ଫିଲ୍ମ ‘ମିଶନ ଶକ୍ତି’ ମିଶନ ଶକ୍ତି ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଓଡ଼ିଶାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(SHG) କେମିତି ପଞ୍ଚାୟତ ପୋଖରୀରେ ମାଛ ଚାଷ କରି ସଫଳତା ପାଇଛନ୍ତି ତାହା ଉକ୍ତ ଡକ୍ୟୁ ଫିଲ୍ମରେ ନିଚ୍ଛକ ଭାବେ ପ୍ରଦର୍ଶିତ ହୋଇଥିବା ଦେଖି ଉପସ୍ଥିତ ବିଚାରକ ମଣ୍ଡଳୀ ଓ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହେବା ସହ ଅଭିଭୂତ ହୋଇଥିଲେ । ସେଥିପାଇଁ ଜାତିସଂଘ ପକ୍ଷରୁ ମିଶନ ଶକ୍ତି-ଡକ୍ୟୁ ଫିଲ୍ମ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଥିଲା ।
ଏନେଇ ପ୍ରଶଂସା ପତ୍ର ଓ ଉପଢୌକନକୁ ପ୍ରଦାନ କରାଯାଇଛି । ଆମେରିକା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମତ୍ସ୍ୟ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ତାହାକୁ ଗ୍ରହଣ କରିଥିଲେ । ଏହାର ନିର୍ମାଣ ସହ ନିର୍ଦ୍ଦେଶନା ଜିତେନ୍ଦ୍ର ପଟ୍ଟନାୟକ ଦେଇଥିବାରୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଚିଠି ଦେଇ ସାଧୁବାଦ ଦିଆଯାଇଛି ।
ତେବେ ଉକ୍ତ କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ରରେ ଜିତେନ୍ଦ୍ର ପଟ୍ଟନାୟକଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ ସେମାନେ ହେଉଛନ୍ତି ଅନିତ୍ୟ ମହାନ୍ତି, ମାନସ ରଞ୍ଜନ ପାତ୍ର, ନିଲୁ ଓ ପତିତ । ସେମାନଙ୍କ ଅବଦାନ କିଛି କମ ନ ଥିଲା ।ରାଜ୍ୟ ସରକାରଙ୍କ ପକ୍ଷରୁ ଢେର ପ୍ରଶଂସା କରାଯାଇଛି । ଆଗକୁ ଏଭଳି କଳାତ୍ମକ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି ।
Comments are closed.