Latest Odisha News

BREAKING NEWS

ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ଓଡିଆ ସିନେମା ‘ଲହରୀ’

ଭୁବନେଶ୍ବର: ମେଲବୋର୍ଣ୍ଣରେ ପ୍ରଦର୍ଶିତ ହେବ ଓଡିଆ ସିନେମା ଲହରୀ । କଲିକତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହେବା ସହ ବିଚାରକ ତଥା ସମାଲୋଚକଙ୍କ ପ୍ରଶଂସା ସାଉଁଟି ଥିବା ‘ଲହରୀ’ ଏବେ ବିଦେଶରେ ପ୍ରଦର୍ଶିତ ହେବ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠାରେ ଆସନ୍ତା ମାସରେ ହେବାକୁ ଥିବା ‘ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବୋର୍ଣ୍ଣ’ (ଆଇଏଫଏଫଏମ) ପାଇଁ ଅଫିସିଆଲି ମନୋନୀତ ହୋଇଛି ।

ତେବେ ଭାରତୀୟ ବିବିଧତା, ସୃଜନାତ୍ମକ କଳା ଓ ସାଂସ୍କୃତିକ ବିଭବକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ‘ଆଇଏଫଏଫ ଏମ’ର ମୂଳ ଉଦ୍ଦେଶ୍ୟ ରହି ଆସିଛି। ଚଳିତ ବର୍ଷ ଏହାର ୧୬ ତମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ ବଲିଉଡ ଅଭିନେତା ଅମୀର ଖାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଶ୍ରେଷ୍ଠ ବିବେଚିତ ବିଭିନ୍ନ ଆଞ୍ଚଳିକ ସିନେମା ଏଠାରେ ପ୍ରଦର୍ଶିତ ହେବାକୁ ଥିବା ବେଳେ ‘ଲହରୀ’ର ମନୋନୟନ ବିଶେଷ ଗୁରୁତ୍ୱ ରଖେ । ଯାହା ପ୍ରତିଟି ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓ  ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ। ପ୍ରଯୋଜନା କରିଛନ୍ତି ଓଡ଼ିଶାର ସ୍ୱନାମଧନ୍ୟ ଯୁବ ନିର୍ମାତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ।

ଏଥିସହିତ ଏହି ସିନେମା ‘ଲହରୀ’ରେ ବିଭିନ୍ନ ଚରିତ୍ରରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ୱିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ସ୍ୱସ୍ତିକ ଚୌଧୁରୀ, ଜେଇନଵ ଡୋଇୟର ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ସଙ୍ଗୀତ ଦେଇଛନ୍ତି କିଶଳୟ ରୟ। କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ ଓ ନବ୍ୟା ଜାଇତି । ଶବ୍ଦସଜ୍ଜାରେ ଅଛନ୍ତି ଅଦୀପ ସିଂ ମାଣିକ। ଝିଲିକ ମୋସନ ପିକ୍ଚର୍ସ ନିବେଦିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସହିତ କାହାଣୀ, ଗୀତ ରଚନା, ନୃତ୍ୟ ନିର୍ଦ୍ଦେଶନା ଓ ସମ୍ପାଦନାର ଗୁରୁ ଦାୟିତ୍ୱ ମଧ୍ୟ ଆମର୍ତ୍ତ୍ୟ ନିର୍ବାହ କରିଛନ୍ତି।

Comments are closed.