Latest Odisha News

ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା, ଭବିଷ୍ୟତ

ଓଡ଼ିଆ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତିକୁ ଗୋଟେ ଶବ୍ଦରେ କହିହେବ- ଦ୍ୱନ୍ଦାତ୍ମକ । ଏ ସମ୍ପର୍କରେ ଚାର୍ଲସ ଡ଼ିକେନ୍ସଙ୍କ ଗୋଟିଏ ବାକ୍ୟକୁ ଧାର କରି ଆହୁରି ସୁନ୍ଦର ଉଦାହରଣଟେ ଦେଇହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ ସମୟ (it is the best of the times and it is the worst of the times – A tale of Two Cities) ।

ଗୋଟିଏ ଦିଗରୁ ଦେଖିଲେ ଓଡ଼ିଆ ଗଣମାଧ୍ୟମର ଚିତ୍ରଟି ଅତ୍ୟନ୍ତ ଉଜ୍ଜ୍ୱଳ। ଓଡ଼ିଆ ଖବରକାଗଜ ଗୁଡ଼ିକର ପାଠକ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ଶାର ମୁଖ୍ୟ ସମ୍ବାଦପତ୍ର ଗୁଡ଼ିକର ପ୍ରସାରଣ ବଢୁଛି । ସେମାନେ ଏକାଧିକ ସଂସ୍କରଣ ଏବଂ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ସଂସ୍କରଣମାନ ପ୍ରକାଶ କରୁଛନ୍ତି । ଟେଲିଭିଜନ ଚ୍ୟାନେଲରେ ମଧ୍ୟ ପରିବର୍ତ୍ତନ ଘଟିଛି । ଅଧିକରୁ ଅଧିକ ୨୪ ଘଣ୍ଟିଆ ନିଉଜ୍ ଚ୍ୟାନେଲ୍ ଖୋଲୁଛି । ମନୋରଂଜନଧର୍ମୀ ଏବଂ ସଂସ୍କୃତି ସଂପର୍କିତ ଚ୍ୟାନେଲ୍ ସଂଖ୍ୟା ବଢୁଛି । ଇଣ୍ଟରନେଟ୍ ଚାରିଆଡେ଼ ସତେ ଯେମିତି ଛାଇ ଯାଇଛି । ୱେବ-ପବ୍ଲିକେସନ୍ ସଂଖ୍ୟା ଦିନକୁ ଦିନ ବଢୁଛି । ଇ-ପେପର୍ ପାଠକଙ୍କୁ ନୂତନତାର ସ୍ୱାଦ ଦେଇଛି । ଗାଁ ଗହଳିରେ, ଘରେ ଘରେ ମୋବାଇଲ୍ ବ୍ୟବହାର ହେଲାଣି । ସେଥିରେ ଖବର ଏବଂ ବିଭିନ୍ନ ମନୋରଂଜନ ମିଳିପାରୁଛି । ଗଣମାଧ୍ୟମଗୁଡ଼ିକ ନୂଆ ବୈଷୟିକ ବିଦ୍ୟାକୁ ଆପଣାଇବାରେ ଲାଗିଛନ୍ତି । ଆଧୁନିକ ବୈଷୟିକ ବିଦ୍ୟା ଓ ଜ୍ଞାନ କୌଶଳ ସହାୟତାରେ ଖବର ସଂଗ୍ରହ ଓ ଆଦାନପ୍ରଦାନ ଢଙ୍ଗରେ ଆସିଛି ଏକ ନୂଆ ପରିବର୍ତ୍ତନ । ଟେକ୍ନୋଲୋଜି, କ୍ରମ ବର୍ଦ୍ଧିଷ୍ଣୁ ସାକ୍ଷରତା ଓ ପାଠକ ସଂଖ୍ୟା, ବଢୁଥିବା ପ୍ରତିଦ୍ୱନ୍ଦିତା ଏବଂ ବଜାରମୁଖୀ ମନୋଭାବ ଓଡ଼ିଶାରେ ପାରମ୍ପରିକ ଗଣମାଧ୍ୟମର ରୂପରେଖ ଏବଂ କାର୍ଯ୍ୟଶୈଳୀକୁ ବଦଳାଇ ଦେଇଛି । ଏଣୁ ଏହାକୁ ସବୁଠାରୁ ଭଲ ସମୟ ବୋଲି କହିହେବ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଚିତ୍ରଟି ନୈରାଶ୍ୟଜନକ ମଧ୍ୟ। ଗଣମାଧ୍ୟମ ସଂସାରରେ କଳାଧନ ନିବେଶ ବଢୁଛି । ବିଲ୍ଡର୍, ଖଣି ମାଲିକ, ମାଫିଆମାନେ ଖବରକାଗଜ ତିଆରି କରି କିମ୍ବା ଚ୍ୟାନେଲ୍ ଖୋଲି ସେଗୁଡ଼ିକୁ ନିଜର ସୁରକ୍ଷା ଦିଗରେ ଢାଲ କରିଛନ୍ତି ।

ଭଲ ଖବର ପାଇଁ ସ୍ଥାନ କମି ଯାଉଛି । ବଜାରମୁଖୀ କାରବାର ଯୋଗୁଁ ଛୋଟ କାଗଜ ଗୁଡ଼ିକ ବଞ୍ଚି ରହିବା କଷ୍ଟକର ହେଉଛି । ବର୍ତ୍ତମାନ ଖବରର ବଜାରୀକରଣ ତଥା ଚାଞ୍ଚଲ୍ୟକର ଖବର ପ୍ରକାଶନର ମାତ୍ରା ବଢ଼ିଯାଇଛି । ଖବରକାଗଜରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଯଥେଷ୍ଟ ସମୟ ଓ ସ୍ଥାନ ଦିଆଯାଉନାହିଁ । ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ମାଲିକାନା ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ରହୁଥିବାରୁ ଗଣମାଧ୍ୟମର ସ୍ୱାଧୀନତା ଉପରେ ମଧ୍ୟ ବିପଦ ସୃଷ୍ଟି ହୋଇଛି । କମ୍ ଦରମାରେ ଖବର ଗୋଟେଇବାରେ ବ୍ୟସ୍ତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢି ବଢି ଚାଲିଛି । ଏକରେ ଚୁକ୍ତିଭିତ୍ତିକ ଚାକିରି ସାଙ୍ଗକୁ ଦ୍ୱିତୀୟରେ ବାହ୍ୟ ଶକ୍ତିମାନଙ୍କର ଧମକ, ସେମାନଙ୍କ ନିରାପତ୍ତାକୁ ବିପନ୍ନ କରିଛି । ଫଳରେ ସେମାନେ ଉଭୟ ପକ୍ଷକୁ ସୁହାଇଲା ଭଳି ଖବର ଲେଖିବାକୁ ବାଧ୍ୟ ହେଉଛନ୍ତି । ମୂଳ ଖବର ମୋଡ଼ି ହୋଇ ସାମ୍ନାକୁ ଆସୁଛି । ଯାହା ପାଠକକୁ ବିଭ୍ରାନ୍ତ କରୁଛି । ଲଫାପା ସାମ୍ବାଦିକତା (ଏନଭେଲୋପ ଜର୍ଣ୍ଣାଲିଜମ୍) ଅବା ଅର୍ଥ ବଦଳରେ ଖବର ପ୍ରକାଶ କରିବାର ପ୍ରବଣତା ବଢ଼ିବାରେ ଲାଗିଛି । ପେଡ଼୍ ନିଉଜ୍ ବଢୁଛି । ସାମ୍ବାଦିକତା କ୍ଷେତ୍ରରେ ଦୁର୍ନୀତି ଏବଂ ବ୍ଲାକମେଲିଂ ଆସ୍ଥାନ ଜମେଇ ବସି ଯାଇଛି । ଏମିତି ପରସ୍ପର ବିରୋଧୀ ଚିତ୍ର ସମ୍ପର୍କରେ ଅଧିକ ଆଲୋଚନା ପୂର୍ବରୁ ଚାଲନ୍ତୁ ଗତ ୧୫୦ ବର୍ଷର ଓଡ଼ିଆ ସାମ୍ବାଦିକତାର ଇତିହାସ ଉପରେ ଏକ ନଜର ବୁଲେଇ ଆଣିବା ।

 

ପୁରୁଣା ଦିନର କଥା:

ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ୧୮୬୬ ମସିହାରେ ପ୍ରକାଶିତ ହୋଇଥିଲା। ସ୍ୱାଧୀନତା ପରେ ୧୯୫୩ ବେଳକୁ ଓଡ଼ିଶାରେ ଖବରକାଗଜ ପତ୍ରପତ୍ରିକାର ସଂଖ୍ୟା ମିଶି ଥିଲା ୫୬ । ୧୯୬୪ ବେଳକୁ ଏହି ସଂଖ୍ୟା ୭୦ ଛୁଇଁଲା । ଯାହା ଭିତରେ ୩୮ଟି ମାସିକ ପତ୍ରିକା ଥିଲା । ୧୯୭୭ ଶେଷ ସୁଦ୍ଧା ଖବରକାଗଜ ଏବଂ ପତ୍ରପତ୍ରିକାର ସଂଖ୍ୟା ବଢି ୧୮୯ରେ ପହଞ୍ଚିଥିଲା । ୨୦୦୯ ମସିହା ଶେଷ ପର୍ଯ୍ୟନ୍ତ ଓଡ଼ିଶାରୁ ପ୍ରକାଶିତ ଖବରକାଗଜର ସଂଖ୍ୟା ଥିଲା – ୫୨ । ଛଅଟି ଇଂରାଜୀ ଏବଂ ଗୋଟେ ହିନ୍ଦୀ ପ୍ରକାଶନକୁ ମିଶେଇ । ପ୍ରସାରଣ ସଂଖ୍ୟା ବି ସେଇ ଅନୁପାତରେ ବଢିଛି । ୧୯୬୧ ଶେଷ ସୁଦ୍ଧା ଓଡ଼ିଶାରେ ସମସ୍ତ ପ୍ରକାଶନର ପ୍ରସାରଣ ସଂଖ୍ୟା ଥିଲା ୬୦,୦୦୦ । ଅର୍ଥାତ୍ ପ୍ରତି ଗାଁ ପିଛା ଗୋଟେ । ୧୯୭୭ ଶେଷ ଆଡ଼କୁ କେବଳ ଖବରକାଗଜ ପ୍ରସାରଣ ସଂଖ୍ୟା ୧,୨୭,୦୦୦ ଏବଂ ପତ୍ରପତ୍ରିକା ମିଶି ୨,୫୯,୦୦୦ ଥିଲା । ୨୦୦୧ ଶେଷ ସୁଦ୍ଧା ପ୍ରତି ହଜାରେ ଲୋକଙ୍କ ପାଇଁ ଓଡ଼ିଶାରେ ଖବରକାଗଜ ସଂଖ୍ୟା ଥିଲା-୩୮ ।

ବର୍ତ୍ତମାନର ସ୍ଥିତି:

ଓଡ଼ିଶାରେ ୧୯୪୮ରେ ପ୍ରଥମ ରେଡ଼ିଓ ଷ୍ଟେସନ ସ୍ଥାପିତ ହୋଇଥିଲା । ଏବେ ଓଡ଼ିଶାରେ ଆକାଶବାଣୀର ୧୧ଟି କେନ୍ଦ୍ର ରହିଛି । ଓଡ଼ିଶାରେ କମ୍ୟୁନିଟି ରେଡିଓ ସଂଖ୍ୟା ବଢି ୧୭ ଛୁଇଁଛି । ରେଡ଼ିଓ ନମସ୍କାର (କୋଣାର୍କ), ରେଡ଼ିଓ ସଂସ୍କାର (ଜଗତସିଂହପୁର), ରେଡ଼ିଓ କିସାନ୍ (ବାଲିପାଟଣା), ରେଭେନ୍ସା ରେଡ଼ିଓ (ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ), ଭଏସ୍ ଅଫ୍ ଏସ୍ଓଏ (ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର) ଏବଂ ରେଡ଼ିଓ ମୁସ୍କାନ୍ (ଫୁଲବାଣୀ) । ଘରୋଇ ଭାବେ ୩ଟି ଏଫ୍ଏମ୍ ଚ୍ୟାନେଲ୍ ଲୋକଙ୍କୁ ମନୋରଂଜନ ଦୁନିଆ ସହିତ ପରିଚିତ କରାଉଛନ୍ତି । ସେ ତାଲିକାରେ ରହିଛି- ରେଡ଼ିଓ ଚକୋଲେଟ୍ (ଭୁବନେଶ୍ୱର ଏବଂ ରାଉରକେଲା), ବିଗ୍ ଏଫ୍ଏମ୍ (ଭୁବନେଶ୍ୱର ଏବଂ ରାଉରକେଲା) ଏବଂ ରେଡ଼୍ ଏଫ୍ଏମ (ଭୁବନେଶ୍ୱର) । ସେମିତି ଏବେ ଇଣ୍ଟରନେଟ୍ ରେଡ଼ିଓ ଲୋକଙ୍କୁ ନୂଆ ନୂଆ ପ୍ରୟୋଗର ପ୍ରମାଣ ଦେଉଛି । ଓଡ଼ିଶାର ପ୍ରଥମ ଇଣ୍ଟରନେଟ୍ ରେଡ଼ିଓ ହେଲା- www.odiaradio.com । ଓଡ଼ିଶା ଏବଂ ଓଡ଼ିଶା ବାହାରେ ଏହା ରାଜ୍ୟର ସଙ୍ଗୀତ, କଳା, ସଂସ୍କୃତି ସଂପର୍କିତ କାର୍ଯ୍ୟକ୍ରମ ପ୍ରସାରିତ କରୁଛି । ସେମିତି ୨୪ ଘଣ୍ଟିଆ ନିଉଜ୍ ଚ୍ୟାନେଲ୍ ସଂଖ୍ୟା ବଢୁଛି । ଯଥା- ଓ-ଟିଭି, କନକ ଟିଭି, ନକ୍ଷତ୍ର ନୁ୍ୟଜ୍, ନିଉଜ7, କଳିଙ୍ଗ ଟିଭି, ନନ୍ଦିଘୋଷ ଟିଭି, ଜୀ କଳିଙ୍ଗ ଏବଂ ନ୍ୟୁଜ-୧୮ (ଓଡ଼ିଆ), ନିଉଜ ୱାର୍ଲ୍ଡ ଓଡିଶା । ଏହାବାଦ୍ ଏମବିସି ଟିଭି, ଓଡ଼ିଶା ଟାଇମ୍ସ ଏବଂ ଇ-ଟିଭି (ଓଡ଼ିଆ) ଆଦି ଲୋକଙ୍କୁ ଖବର ସହିତ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି । ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ଏକମାତ୍ର ଟିଭି ଚ୍ୟାନେଲ୍ ହେଉଛି ପ୍ରାର୍ଥନା । ଏହାବାଦ୍ ସାର୍ଥକ, ତରଙ୍ଗ, ତରଙ୍ଗ ମ୍ୟୁଜିକ୍, ମଂଜରୀ ଆଦି ଚ୍ୟାନେଲ୍ ମନୋରଂଜନ କାର୍ଯ୍ୟକ୍ରମ ପରିବେଷିତ କରୁଛନ୍ତି । ପ୍ରତି ବର୍ଷ ନୂଆ ନୂଆ ଚ୍ୟାନେଲ୍ ସେ ତାଲିକାରେ ଯୋଡ଼ା ଯାଉଛି । ଦୂରଦର୍ଶନର ଭୁବନେଶ୍ୱର ସମେତ ସମ୍ବଲପୁର ଏବଂ ଭବାନୀପାଟଣାରେ ଷ୍ଟୁଡ଼ିଓ ରହିଛି । ୱେବ-ପବ୍ଲିକେସନ୍ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଓଡ଼ିଶାରେ ନିଉଜ୍ ପୋର୍ଟାଲ୍ ସଂଖ୍ୟା ୫୦ରୁ ଅଧିକ ହେଲାଣି ।
କିନ୍ତୁ ଖବର ପ୍ରଦାନର ପ୍ରତିଟି ନୂଆ ନୂଆ ମାଧ୍ୟମ ଭିତରେ ଖବରକାଗଜ ପ୍ରସାରଣ ସଂଖ୍ୟା ବଢୁଛି । ଯାହା ଜାତୀୟସ୍ତରରେ ବିରଳ । ୨୦୦୦ ମସିହା ପରେ ଓଡ଼ିଶାରେ ୬୬ଟି ନୂଆ ଖବରକାଗଜ ପ୍ରକାଶିତ ହୋଇଛି । ସାନ୍ତାଳୀ ଭାଷାଠାରୁ ଆରମ୍ଭ କରି ଉର୍ଦ୍ଦୁ, ହିନ୍ଦୀ ଏବଂ ଜାତୀୟସ୍ତରର ଇଂରାଜୀ ଖବରକାଗଜ ମଧ୍ୟ ତାହା ଭିତରେ ସାମିଲ । ଅନେକ ଜାତୀୟ ଖବରକାଗଜ ଓଡ଼ିଶାରେ ନିଜର ସଂସ୍କରଣ କାଢିଛନ୍ତି । ଜାତୀୟ ପାଠକ ସର୍ବେକ୍ଷଣ (ଏନଆରଏସ) ତଥ୍ୟ ଅନୁସାରେ, ୨୦୦୬ ଶେଷ ସୁଦ୍ଧା ଓଡ଼ିଶାରେ ଖବରକାଗଜ ପାଠକଙ୍କ ସଂଖ୍ୟା କୋଟିଏ ଟପି ଯାଇଥିଲା । ଯାହା ନିଶ୍ଚିତ ଭାବେ ଏକ ଉତ୍ସାହଜନକ ତଥ୍ୟ । ସେଥିମଧ୍ୟରୁ କେବଳ ସମ୍ବାଦ, ସମାଜ ଏବଂ ଧରିତ୍ରୀର ପାଠକ ସଂଖ୍ୟା ମିଶି ୫୫ ଲକ୍ଷ ଟପିଥିଲା । ଏ ତିନୋଟି ଖବରକାଗଜର ପାଠକ ସଂଖ୍ୟା ହେଲା- ସମ୍ବାଦ (୨୦.୩୯ ଲକ୍ଷ), ସମାଜ (୧୮.୯୭ ଲକ୍ଷ) ଏବଂ ଧରିତ୍ରୀ (୧୪.୪୫ ଲକ୍ଷ) ।

ଧାରା:

ସମୟ ସହିତ ଗଣମାଧ୍ୟମରେ ପରିବର୍ତ୍ତନ ଆସିଛି। ଗଲା କେଇ ଦଶନ୍ଧି ମଧ୍ୟରେ ଓଡ଼ିଆ ଗଣମାଧ୍ୟମ ସଂସାରରେ ଅନେକ ସାକାର ପରିବର୍ତ୍ତନ ଆସିଛି। ୧୯୮୦ ପରେ ପରିବର୍ତ୍ତନର ସୁଅ ଓଡ଼ିଆ ଖବରକାଗଜରେ ବୋହିବାକୁ ଆରମ୍ଭ କରିଥିଲା । ସେଇ ସୁଅ ପୁରୁଣା ଦଶନ୍ଧିର ଖବର ପରିବେଷଣ ଶୈଳୀକୁ ବଦଳେଇ ଦେଇଥିଲା । ଯେଉଁ ଢଙ୍ଗରେ ଖବରକାଗଜ ଚାଲୁଥିଲା, ସେଥିରେ ବ୍ୟାପକ ପରିବର୍ତ୍ତନ ଆସିଛି । ନୂଆ ଟେକ୍ନୋଲୋଜି ଆସିଛି । ତାଲିମପ୍ରାପ୍ତ, ପାଠ ପଢିଥିବା ଯୁବ ଗୋଷ୍ଠୀ ସାମ୍ବାଦିକତାକୁ ନିଜର କ୍ୟାରିଅର୍ କରୁଛନ୍ତି । କୋଣ ଅନୁକୋଣର ଖବର ଚଟ୍ କରି ଆମ ସାମ୍ନାକୁ ଆସି ଯାଉଛି । ତେଣୁ ମୋଟ ଉପରେ କହିଲେ ସମୁଦାୟ ଧାରାରେ ଗୋଟେ ପରିବର୍ତ୍ତନ ଆସିଛି । ଆସନ୍ତୁ ତା ଉପରେ ନଜର ପକେଇବା ।

ଲୋକାଭିମୁଖୀ:

ନୂତନ ଶତାବ୍ଦୀର ପ୍ରଥମ କେତୋଟି ବର୍ଷରେ ଓଡ଼ିଆ ଗଣମାଧ୍ୟମ କ୍ରମଶଃ ଅଧିକ ଲୋକାଭିମୁଖୀ ହେବାର ଚେଷ୍ଟା କରୁଥିବାର ଦେଖିବାକୁ ମିଳୁଛିା ଲୋକ ଯାହା ଚାହୁଁଛନ୍ତି- ସେ ପ୍ରକାର ଖବର ଦେବାର ଏକ ପ୍ରବଣତା ସାମ୍ନାକୁ ଆସିଛିା
ଆଉ ଏକ ବିଷୟ ହେଲା ଆଞ୍ଚଳିକରଣ । ପ୍ରାୟ ସବୁ ବଡ଼ ଖବରକାଗଜ ବିଭିନ୍ନ ସ୍ଥାନରୁ ସଂସ୍କରଣମାନ ବାହାର କରି ସେ ଅଞ୍ଚଳର ଖବରକୁ ଅଧିକ ଦେବାର ଚେଷ୍ଟା କରୁଛନ୍ତି । ଏ ପ୍ରବଣତା ପଛରେ ଖବରକାଗଜ ପାଇଁ ବିଜ୍ଞାପନ ସଂଗ୍ରହ ବି ଏକ କାରଣ । କେବଳ ସରକାରୀ ବିଜ୍ଞାପନକୁ ଆଖିରେ ନ ରଖି ଆଞ୍ଚଳିକ ବିଜ୍ଞାପନ ସଂଗ୍ରହ ଉପରେ ଗଣମାଧ୍ୟମ ଗୁଡ଼ିକ ବେଶି ବେଶି ଗୁରୁତ୍ୱ ଦେଉଛନ୍ତି ।

ବିଷୟର ବିବିଧତା:

ଏବେ ଖବରକାଗଜ ଗୁଡ଼ିକର ବିଷୟ ଏବଂ ଉପସ୍ଥାପନାରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି । ବିଭିନ୍ନ କ୍ଷେତ୍ରରେ ଖବରକାଗଜର ବିବିଧତା ବୃଦ୍ଧି ପାଇଛି। ସଂପ୍ରତି ପ୍ରବନ୍ଧ, ଫିଚର, ସାହିତ୍ୟ, ବିକାଶମୂଳକ ରିପୋର୍ଟ, ଫଲୋ-ଅପ୍ ରିପୋର୍ଟ, କୌଣସି ବିଷୟ ଉପରେ ପୁଙ୍ଖନାପୁଙ୍ଖ ଆଲୋଚନା ଇତ୍ୟାଦି ଖବରକାଗଜରେ ସ୍ଥାନ ପାଉଛି । ପୂର୍ବରୁ ଏସବୁକୁ ପାଠକଙ୍କ ପାଇଁ ଅଦରକାରୀ ଅବା ଏକ ନିର୍ଦ୍ଧିଷ୍ଟବର୍ଗଙ୍କ ପାଇଁ ଉପଯୋଗୀ ବୋଲି ବିବେଚନା କରାଯାଉଥିଲା । ପ୍ରତ୍ୟେକ ଖବରକାଗଜରେ ଖେଳପୃଷ୍ଠା, ବାଣିଜ୍ୟପୃଷ୍ଠା, କ୍ୟାରିଅର୍ ପୃଷ୍ଠା, ନିଯୁକ୍ତି ପୃଷ୍ଠା ଆଦି ସ୍ୱତନ୍ତ୍ର ଭାବେ ପ୍ରକାଶିତ ହେଉଛି । ଗୁରୁତ୍ୱପୂର୍ଣ୍ଣ ଖେଳ ଖବର ସେ ଦିନର ଲିଡ଼୍ ଷ୍ଟୋରୀ ଭାବେ ପ୍ରକାଶିତ ହେଉଛି । ଏହାକୁ ଖବରକାଗଜ କ୍ଷେତ୍ରରେ ସକାରାତ୍ମକ ବିକାଶ କୁହାଯାଇପାରେ ।
କିନ୍ତୁ କେତେକ ନକାରାତ୍ମକ ଚିତ୍ର ବି ରହିଛିା ଖବରକାଗଜରେ ପେଜ୍-୩ ସଂସ୍କୃତିର ବିକାଶ ଏହାର ଅଂଶବିଶେଷ । ଏହାଦ୍ୱାରା ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଖବରକାଗଜରେ ଉପଯୁକ୍ତ ସ୍ଥାନ ପାଉନାହିଁ । ଚାପି ହୋଇ ଯାଉଛି ।

ପରିପାଟୀ ଉପରେ ଗୁରୁତ୍ୱ:

ଓଡ଼ିଆ ଖବରକାଗଜ ଜଗତରେ ରଂଗ ଆସିଥିଲା ଅଶୀ ଦଶକରେ । ଏବେ ନିଜର ଉପସ୍ଥିତି ଜାହିର ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା ଏବଂ ଟିଭି ମିଡିଆର ପ୍ରଭାବ ସ୍ୱରୂପ ଖବରକାଗଜ ଓ ପତ୍ରିକା ଗୁଡ଼ିକର ଚେହେରା ଓ ଅଳଙ୍କରଣରେ ବ୍ୟାପକ ପରିବର୍ତ୍ତନ ଆସିଛି । ସଂପ୍ରତି ଓଡ଼ିଆ ଖବରକାଗଜରେ ଅଧିକ ଚିତ୍ର (ଭିଜୁଆଲ) ଦେଖିବାକୁ ମିଳୁଛି । ବଡ ବଡ ଫଟୋ, ବ୍ୟଙ୍ଗଚିତ୍ର, ଚିତ୍ର, କମ୍ପ୍ୟୁଟର ଦ୍ୱାରା କରାଯାଇଥିବା ଇନଫୋଗ୍ରାଫ୍ ଇତ୍ୟାଦିର ବହୁଳ ବ୍ୟବହାର କରାଯାଉଛି । ଷ୍ଟାଣ୍ଡ୍ ଏଲୋନ୍ ଫଟୋ (ଏକୁଟିଆ ଫଟୋ) ପ୍ରକାଶିତ ହେଉଛି ବହୁଳ ଭାବେ । ସେମିତି ଟିଭି ଚ୍ୟାନେଲ୍ ରେ ଗ୍ରାଫିକ୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କିଏ ଆଗ ଖବର ଆଣି ଦେବ, ନୂଆ ଖବର ପରିବେଷଣ କରିବ (ବ୍ରେକିଂ ନିଉଜ୍) ସେ ସଂପର୍କରେ ଅଧିକ ଧ୍ୟାନ ଦିଆଯାଉଛି ।

ସାଧାରଣ ଲୋକଙ୍କ ଭାଷା ବ୍ୟବହାରରେ ଗୁରୁତ୍ୱ:

ଆମ ଆଖି ସାମ୍ନାରେ ଥିବା ସବୁଠାରୁ ନିରକ୍ଷର ଲୋକଟି ଯେଉଁ ଭାଷା ବୁଝେ, ତାହା ହିଁ ଗଣମାଧ୍ୟମର ଭାଷା । ଡେରିରେ ହେଲେ ବି ଓଡ଼ିଆ ଗଣମାଧ୍ୟମ ଏ ଦିଗରେ କେତେକ ପଦକ୍ଷେପ ନେବାକୁ ଆରମ୍ଭ କରିଛନ୍ତି । ସାଧାରଣ ଲୋକ କଥାବାର୍ତ୍ତା ସମୟରେ ବ୍ୟବହାର କରୁଥିବା ସରଳ ଭାଷା ଖବରକାଗଜ ଏବଂ ପତ୍ରିକା ଗୁଡ଼ିକରେ ବ୍ୟବହୃତ ହେଉଛି । ପୂର୍ବରୁ ସମ୍ବାଦପତ୍ରରେ ବ୍ୟବହୃତ ହେଉଥିବା ପାରମ୍ପରିକ ଭାଷା ବଦଳିଯାଇଛି । ଟିଭି ଚ୍ୟାନେଲ୍ ରେ ସମ୍ବଲପୁରୀ ଭାଷା ମାଧ୍ୟମରେ ସ୍ୱତନ୍ତ୍ର ନିଉଜ୍ ବୁଲେଟିନ୍ ପ୍ରସାରିତ ହେଉଛି । ସାନ୍ତାଳି ଭାଷାରେ ବି ଓଡ଼ିଶାରେ ଖବରକାଗଜ ପ୍ରକାଶିତ ହେଲାଣି ।

ଗାଁ ଗହଳିର ଖବର ଉପରେ ଗୁରୁତ୍ୱ:

ରାଜ୍ୟର ଅନେକ ସ୍ଥାନରୁ ଛୋଟମୋଟ ଗୁଡ଼ାଏ ଖବରକାଗଜ ବାହାରୁଛି । ସେଗୁଡ଼ିକ କିନ୍ତୁ ବଡ଼ ବଡ଼ ଖବରକାଗଜର ନକଲ କରୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ଅଞ୍ଚଳର ଭାଷା, ଲୋକଙ୍କ ଖବର, ସମସ୍ୟା ସେଥିରେ ବେଶି ସ୍ଥାନ ନେଉନାହିଁ । ଏମିତିକି ବେଳେ ବେଳେ ସେଗୁଡ଼ିକ ବଡ଼ କାଗଜର ଖବର ସିଧା ନକଲ କରି ଛାପି ଦେବା ଦେଖାଯାଉଛି । ଯାହା କୌଣସି ଦିଗରୁ ସୁସ୍ଥ ପରମ୍ପରା ନୁହେଁ । ଅବଶ୍ୟ ସେ ଧାରାରେ ପରିବର୍ତ୍ତନ ଆସିଛି । ଲୋକଙ୍କ କଥା କହୁଥିବା ପ୍ରଥମ କମ୍ୟୁନିଟି (ଗୋଷ୍ଠୀ) ଖବରକାଗଜ – ନମସ୍କାର କୋଣାର୍କରୁ ପ୍ରକାଶିତ ହେବାକୁ ଆରମ୍ଭ ହୋଇଛି । ଏହା ଲୋକଙ୍କ ସମସ୍ୟା ତାଙ୍କରି ଭାଷାରେ କହୁଛି।

ମାଲିକାନା:

ଓଡ଼ିଶା ରେଫରେନ୍ସ ଆନୁଆଲ ୨୦୦୪ ଅନୁସାରେ, ଓଡ଼ିଶାରୁ ୪୨ଟି ଦୈନିକ ଖବରକାଗଜ ପ୍ରକାଶିତ ହେଉଛି ଯାହାକୁ ସୂଚନା ଏବଂ ଲୋକସଂପର୍କ ବିଭାଗର ସ୍ୱୀକୃତି ମିଳିଛିା ଏହି ୪୨ଟି ଦୈନିକ ଖବରକାଗଜ ମଧ୍ୟରୁ ୫ଟି ଟ୍ରଷ୍ଟ୍, ୭ଟି କମ୍ପାନି ଏବଂ ଅନ୍ୟ ୩୦ଟି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ମାଲିକାନାରେ ରହିଛି । ପ୍ରାୟ ସମସ୍ତ ବଡ଼ ଖବରକାଗଜ ଗୁଡ଼ିକ ଟ୍ରଷ୍ଟ୍ ଏବଂ କମ୍ପାନି ମାଲିକାନାରେ ରହିଛି । ଖବରକାଗଜର ମାଲିକାନା କ୍ଷେତ୍ରରେ ଦୁଇଟି ନକାରାତ୍ମକ ଧାରା ଦିଶୁଛିା ପ୍ରଥମ- ଅଧିକାଂଶ ବଡ଼ ଖବରକାଗଜ ଗୁଡ଼ିକର ମାଲିକାନା ତଥା ନିୟନ୍ତ୍ରଣ ରାଜନେତାଙ୍କ ହାତରେ ରହିଛି । ଦ୍ୱିତୀୟ- ଖବରକାଗଜରେ କଣ ଲେଖାଯିବ ତା ଉପରେ ମାଲିକଙ୍କ କ୍ରମବର୍ଦ୍ଧମାନ ନିୟନ୍ତ୍ରଣ । ଓଡ଼ିଶାରେ ରାଜନେତାମାନେ ଖବରକାଗଜ ଗୁଡ଼ିକ ନିୟନ୍ତ୍ରଣ କରୁଥିଲେ ବୋଲି ରବିନ୍ ଜେଫରୀ ବହୁବର୍ଷ ପୂର୍ବେ ଅନୁଧ୍ୟାନ କରିଥିଲେ । ବର୍ତ୍ତମାନ ମଧ୍ୟ ସ୍ଥିତି ପୂର୍ବପରି ରହିଛି । ଏବେ ମଧ୍ୟ ଅଧିକାଂଶ ବଡ ବଡ ଖବରକାଗଜ ତଥା ଗଣମାଧ୍ୟମ ସଂସ୍ଥା ଗୁଡ଼ିକର ମାଲିକାନା ରାଜନେତାମାନଙ୍କ ହାତରେ ରହୁଛି ଅବା ସେମାନେ ଏହାକୁ ନିୟନ୍ତ୍ରଣ କରୁଛନ୍ତି । ଜଣେ ରାଜନେତା ଖବରକାଗଜ ପ୍ରକାଶନ କରିବା ଅବା ଏହାର ସଂପାଦନା କିଛି ଭୁଲ କଥା ନୁହେଁ । ସ୍ୱାଧୀନତା ପୂର୍ବରୁ ମଧ୍ୟ ଅନେକ ରାଜନେତା ଖବରକାଗଜର ପ୍ରକାଶନ ତଥା ନିୟନ୍ତ୍ରଣ କରୁଥିଲେ । ମହାତ୍ମା ଗାନ୍ଧି ନିଜେ ତାଙ୍କ ଜୀବନକାଳ ଭିତରେ ଅନେକଗୁଡ଼ିଏ ପତ୍ରପତ୍ରିକା ପ୍ରକାଶନ କରୁଥିଲେ । ସେଗୁଡ଼ିକ ସଂପାଦନା କରୁଥିଲେ । ମାତ୍ର ଓଡ଼ିଶାରେ ଖବରକାଗଜରେ ରାଜନୈତିକ ଲୋକଙ୍କ ସମ୍ପୃକ୍ତିର ମାତ୍ରା ଅଧିକ ।

ସେହିପରି ଏବେ ଚିଟ୍ ଫଣ୍ଡ୍ କଂପାନୀ, ଖଣି ମାଲିକ, କଳାବେପାରୀ, ବିଲ୍ଡରମାନେ ଗଣମାଧ୍ୟମ ଦୁନିଆରେ ପଶି ଗଲେଣି । ଏହାଦ୍ୱାରା ଅବିକଳ ଖବର ସାମ୍ନାକୁ ଆସୁନି । ଏହାଛଡ଼ା ଗଣମାଧ୍ୟମ ଆଳରେ ସେମାନେ କଳାଧନକୁ ଧଳା କରୁଛନ୍ତି । ପୁଲିସ, ପ୍ରଶାସନରୁ ସୁରକ୍ଷା ପାଉଛନ୍ତି । ଯାହା ଏକ ଖରାପ ପରମ୍ପରା ।

ସାମ୍ବାଦିକମାନଙ୍କ ଅବସ୍ଥା:

ସାରା ବିଶ୍ୱରେ ସାମ୍ବାଦିକମାନେ ଅନ୍ୟମାନଙ୍କ ତୁଳନାରେ କମ୍ ବେତନ ପାଇଥାନ୍ତି । ଭାରତରେ ସେମାନେ ଆହୁରି କମ୍ ଦରମା ପାଇଥାନ୍ତି । ଓଡ଼ିଆ ଗଣମାଧ୍ୟମରେ ସ୍ଥିତି ତାଠାରୁ ସଂଗୀନ । ଓଡ଼ିଶାରେ ସାମ୍ବାଦିକତା ଗୋଟିଏ ପେସା ଭାବରେ ବିକଶିତ ନହେବାର ଏହା ହେଉଛି ମୁଖ୍ୟ କାରଣ । ଓଡ଼ିଶାରେ ସାମ୍ବାଦିକତା ଆଜି ମଧ୍ୟ ବ୍ୟବସାୟ ଅବା ରାଜନୈତିକ ଉଦ୍ଦେଶ୍ୟ ତଥା ସମାଜରେ ପ୍ରତିପତ୍ତି ବିସ୍ତାର କରିବାର ମାଧ୍ୟମ ରୂପେ ପରିଗଣିତ । ଏହାପଛରେ ଦୁଇଟି କାରଣ ରହିଛି । ପ୍ରଥମତଃ ଗଣମାଧ୍ୟମରେ ପୁଞ୍ଜିର ଅଭାବ, ଦ୍ୱିତୀୟତଃ ସାମ୍ବାଦିକମାନଙ୍କୁ ଅଧିକ ବେତନ ଦେବାର ମାନସିକତାର ଅଭାବ। ଏମିତି ନୁହେଁ ଯେ ସମସ୍ତ ଗଣମାଧ୍ୟମ ସଂସ୍ଥା ପାଖରେ ପଇସା ନାହିଁ । ବିଜ୍ଞାପନରୁ ସେମାନେ ଯଥେଷ୍ଟ ଆୟ କରୁଛନ୍ତି । କିନ୍ତୁ ଦରମା ଦେବାର ମାନସିକତା ସେମାନଙ୍କ ଭିତରେ ନାହିଁ । ଖବରକାଗଜ ଅବା ଟେଲିଭିଜନରେ କାର୍ଯ୍ୟ କରୁଥିବା ଜଣେ ସହ-ସଂପାଦକ ଅବା ରିପୋର୍ଟର ବୁଦ୍ଧିମାନ ହେବା ସହିତ କମ୍ପ୍ୟୁଟର ଜ୍ଞାନ, ଓଡ଼ିଆ ଭାଷାରେ ଦକ୍ଷତା ତଥା ଭଲ ଇଂରାଜୀ ଜ୍ଞାନ ଆବଶ୍ୟକ କରିଥାଏ । ଏସବୁ ସତ୍ତ୍ୱେ ଗୋଟିଏ ବଡ ଓଡ଼ିଆ ଖବରକାଗଜରେ କାର୍ଯ୍ୟ କରୁଥିବା ବ୍ୟକ୍ତିଟିର ପ୍ରାରମ୍ଭିକ ବେତନ ଖୁବ ବେଶିରେ ୪,୫୦୦- ୫,୦୦୦ ଟଙ୍କାରୁ ଆରମ୍ଭ ହୋଇଥାଏ । ଯାହାକି ଜଣେ ବ୍ୟାଙ୍କ କିରାଣୀ ଅବା କନିଷ୍ଠ ଅଧ୍ୟାପକଙ୍କ ପ୍ରାରମ୍ଭିକ ବେତନର ଏକ ତୃତୀୟାଂଶ । ଏମିତିକି ଜଣେ ଅଣ-କୁଶଳୀ ଦିନ ମଜୁରିଆଠାରୁ ସାମ୍ବାଦିକମାନେ ସ୍ଥଳ ବିଶେଷରେ କମ୍ ଦରମା ପାଆନ୍ତି ।

ଏହା ପଛରେ କେତେକ କାରଣ ରହିଛି । କେତେକଙ୍କ ଭିତରେ ଧାରଣା ରହିଛି: ଓଡ଼ିଶାରେ ସାମ୍ବାଦିକ ହେବା ଅର୍ଥାତ୍ କ୍ଷମତାଶାଳୀ ହେବା । ତେଣୁ ବହୁ ଲୋକ ମାଗଣାରେ ଏହା କରିବା ପାଇଁ ପ୍ରସ୍ତୁତ । ତାଠାରୁ ଆହୁରି ଦୟନୀୟ ହେଉଛି, କେତେକ କ୍ଷେତ୍ରରେ ଲୋକମାନେ କହୁଛନ୍ତି- ଆମକୁ ସାମ୍ବାଦିକ କରିଦିଅ, ଆମେ ଓଲଟା ପଇସା ଦେବୁ । ପୁଣି ଆଧୁନିକ ଜ୍ଞାନ କୌଶଳ ହେତୁ ଅନେକ ସ୍ଥାନରୁ ସଂସ୍କରଣମାନ ପ୍ରକାଶିତ ହେଉଛି । ସେମିତି ହେଲେ କମ ଲୋକ ଦରକାର । ଶେଷକୁ ଓଡ଼ିଶାରେ ଥିବା ସାମ୍ବାଦିକ ସଂଘଗୁଡ଼ିକ କେବଳ ନାଁକୁ ରହିଛନ୍ତି । ସାମ୍ବାଦିକଙ୍କ ଅଧିକାର ପାଇଁ ଲଢେଇ କରିବା ଦିଗରେ ସେମାନେ ସଫଳ ହୋଇ ପାରି ନାହାନ୍ତିା

ବହୁ-ସଂସ୍କରଣ ଖବରକାଗଜ:

ବର୍ତ୍ତମାନ ବହୁ- ସଂସ୍କରଣ (ମଲ୍ଟି ଏଡିସନ୍) ଖବରକାଗଜର ଯୁଗ ଆରମ୍ଭ ହୋଇଛି । ଅନେକ ଓଡ଼ିଆ ଖବରକାଗଜ ଗୁଡ଼ିକର ବହୁବିଧ ସଂସ୍କରଣ ରହିଛି ଯାହାକି ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପ୍ରାନ୍ତରୁ ପ୍ରକାଶିତ ହେଉଛି । ବହୁବିଧ ସଂସ୍କରଣର ଏହି ଧାରା ପଛରେ କିଛି କାରଣ ରହିଛି-
୧. ଖବରକୁ ଶୀଘ୍ର ପ୍ରସାର କରିବା
୨. ଖବର କାଗଜରେ ଅଧିକ ସ୍ଥାନୀୟ ଖବର ଦେଇ ଏହାକୁ ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ ପରିବେଷଣ କରିବା
୩. ସ୍ଥାନୀୟ ବିଜ୍ଞାପନ ଯୋଗାଡ କରିବା
୪.ସଂପ୍ରତି ବିଭିନ୍ନ ଅଞ୍ଚଳରୁ ଖବରକାଗଜ ପ୍ରକାଶ କରିବା ଶସ୍ତା ଓ ସୁବିଧାଜନକ ହୋଇଯାଇଛି ।
ଏଥିପାଇଁ ଲୋକ ବି କମ୍ ଦରକାର ପଡ଼ୁଛନ୍ତି
୫. ଅଧିକ ପ୍ରସାରଣ ନିମନ୍ତେ ତୀବ୍ର ପ୍ରତିଯୋଗିତା ଅନେକ ଖବରକାଗଜ ଗୁଡ଼ିକୁ ବହୁ-ସଂସ୍କରଣ ପ୍ରକାଶନ କରିବାରେ ବାଧ୍ୟ କରିଛି
ଏକାଧିକ ପ୍ରସାର ମାଧ୍ୟମ ପ୍ରକ୍ରିୟା ଓ ମାଲିକାନା (ମଲଟି ମିଡିଆ ଅପରେସନ ଏବଂ କ୍ରସ୍ ମିଡିଆ ଓନରସିପ୍):
ସଂପ୍ରତି ଗଣମାଧ୍ୟମର ସମଷ୍ଟିକରଣ (କନଭରଜେନ୍ସ) ଦେଖାଯାଇଛି । ଗଣମାଧ୍ୟମର ପ୍ରତିଷ୍ଠାତା ମାନେ ଏକାଧିକ ପ୍ରସାର ମାଧ୍ୟମ ପକ୍ରିୟା ଆଡ଼କୁ ଢଳୁଥିବାର ଦେଖାଯାଉଛି । ଏହାଫଳରେ କ୍ରସ୍ ମିଡ଼ିଆ ମାଲିକାନା ଜରୁରୀ ହୋଇଯାଇଛି । ଓଡ଼ିଶାରେ କ୍ରସ୍ ମିଡିଆ ଓ ମଲଟି ମିଡିଆ ଧାରା ବଢିବାକୁ ଲାଗିଛି । ଓଡ଼ିଶାର ସମସ୍ତ ପ୍ରମୁଖଖବରକାଗଜ ନିଜର ୱେବ ସଂସ୍କରଣ ବାହାର କରୁଛନ୍ତି । ସମ୍ବାଦର ନିଜସ୍ୱ ଟିଭି ଚ୍ୟାନେଲ୍ ରହିଛି । ଏଫ୍ଏମ୍ ରେଡ଼ିଓ ଷ୍ଟେସନ ରହିଛି । ଯାତ୍ରା ପାର୍ଟି ରହିଛି । ମିଡ଼ିଆ ସ୍କୁଲ୍ ଅଛି । ସମାଜ ଓ ପ୍ରଜାତନ୍ତ୍ରର ପୁସ୍ତକ ପ୍ରକାଶନ ସଂସ୍ଥା ମଧ୍ୟ ରହିଛି । ନକ୍ଷତ୍ର ନିଉଜ ର ନିଜସ୍ୱ ଖବରକାଗଜ ନକ୍ଷତ୍ର ଜ୍ୟୋତି ରହିଛି । ଏହାଛଡ଼ା ପ୍ରାୟ ପ୍ରତ୍ୟେକ ସଂସ୍ଥା ସୋସିଆଲ୍ ମିଡ଼ିଆ ସାହାଯ୍ୟରେ ନିଜର ପାଠକ/ଦର୍ଶକ ବଢାଇବାକୁ ଚେଷ୍ଟା କରୁଛନ୍ତି।

ବଜାର କାରବାର ଉପରେ ଗୁରୁତ୍ୱ:

ବଢୁଥିବା ପ୍ରତିଦ୍ୱନ୍ଦିତାକୁ ନଜରରେ ରଖି ଗଣାମଧ୍ୟମର ପ୍ରମୁଖମାନେ ବଜାରରେ ନିଜ ସାମଗ୍ରୀର ସ୍ଥାୟୀତ୍ୱ ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି । ରାସ୍ତା କଡ଼ରେ ବଡ ବଡ ବ୍ୟାନର, ହୋର୍ଡିଂ ଲଗାଇବା ଠାରୁ ଆରମ୍ଭ କରି ଅନ୍ୟ ମିଡିଆ ଗୁଡ଼ିକରେ ବିଜ୍ଞାପନ ଦେବା ସହିତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରି ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରୁଛନ୍ତି । ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଜଡ଼ିତ ରହୁଛନ୍ତି । ଧରିତ୍ରୀ ମହିଳାମାନଙ୍କ ପାଇଁ ଆୟୋଜନ କରୁଥିବା ଉର୍ଜା ସମାବେଶ ଏହାର ଏକ ଉଦାହରଣ । କିଛି ମିଡିଆ ସଂସ୍ଥା ଜନହିତକାରୀ କାର୍ଯ୍ୟରେ ମଧ୍ୟ ଜଡ଼ିତ ଅଛନ୍ତି । ସମାଜ ବିଭିନ୍ନ ସମୟରେ ରିଲିଫ ପ୍ରଦାନ କରିଥାଏ । ସମ୍ବାଦ ରକ୍ତଦାନ, ଶୁଦ୍ଧ ଓଡ଼ିଆ ଲିଖନ ଆଦି କାର୍ଯ୍ୟକ୍ରମରେ ସାମିଲ ରହିଛିା

ଯୁବପିଢି ଉପରେ ଗୁରୁତ୍ୱ:

ପ୍ରାୟ ପ୍ରତ୍ୟେକ ଖବରକାଗଜ ଏବଂ ଟିଭି ଚ୍ୟାନେଲ୍ ଯୁବ ଗୋଷ୍ଠୀଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ସେମାନଙ୍କୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ କରାଯାଉଛି । ଖବର ଲେଖାଯାଉଛି । କଲେଜ ଛାତ୍ରଛାତ୍ରୀ, ଶିଶୁଙ୍କ ପାଇଁ ବିଶେଷ ସ୍ଥାନ ରହୁଛି । ଯାହା ଫଳରେ କି ସେମାନେ ଅଧିକରୁ ଅଧିକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତି ଆକର୍ଷିତ ହୋଇପାରିବେ ।

ସିଟିଜେନ୍ ଜର୍ଣ୍ଣାଲିଜିମ:

ସିଟିଜେନ ଜର୍ଣ୍ଣାଲିଜମ୍ ବା ନାଗରିକ ସାମ୍ବାଦିକତାର ସରଳ ଅର୍ଥ ହେଲା: ଲୋକେ ନିଜ ଖବର ନିଜେ ଲେଖିବା । ୱେବ ପ୍ଲାଟଫର୍ମ ଏଥିପାଇଁ ଅଧିକ ସୁବିଧା ଦେଇଛି । ନୂଆ ଶତାବ୍ଦୀ ଆରମ୍ଭରୁ ଏଇ ପ୍ରକ୍ରିୟା ବଢିଛି । ୱେବସାଇଟ୍ ଗୁଡ଼ିକ ଲୋକଙ୍କୁ ଖବର ଲେଖିବାକୁ ପ୍ରୋତ୍ସାହିତ କରୁଛନ୍ତି । ଟିଭି ଚ୍ୟାନେଲ୍ ରେ ଲୋକଙ୍କ ଭିଡ଼ିଓ କ୍ଲିପିଂ ପ୍ରସାରିତ ହେଉଛି । ଏହାର ଦୁଇଟି କାରଣ ରହିଛି । ପ୍ରଥମେ – ଲୋକଙ୍କ ସହ ଭାବ ବିନିମୟ ବଢିବ । ଦ୍ୱିତୀୟରେ – ଖବର ତିଆରି କରିବା ଖର୍ଚ୍ଚରୁ ବଞ୍ଚିବା । ଭବିଷ୍ୟତ ଗଣମାଧ୍ୟମ କ୍ଷେତ୍ରରେ ଭବିଷ୍ୟତ କଳନା କରିବା କଷ୍ଟା କାରଣ : ଏ କ୍ଷେତ୍ରରେ କାରିଗରୀ ଜ୍ଞାନ ଦ୍ରୁତ ବଦଳୁଛି ଏବଂ ସମାଜ ମଧ୍ୟ ଦ୍ରୁତ ବେଗରେ ବଦଳୁଛି । ତଥାପି ଯେଉଁ ଢଙ୍ଗରେ ଗଣମାଧ୍ୟମର ଧାରା ବଦଳୁଛି, ସେଇ ଅନୁସାରେ କେତୋଟି କଥା ଆକଳନ କରାଯାଇପାରେ ।

ଯେମିତି-
୧. ଗଣମାଧ୍ୟମଗୁଡ଼ିକ ଆହୁରି ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିବେ । ଆଞ୍ଚଳିକୀକରଣ ବଢିବ ।
୨. ଇଣ୍ଟରନେଟ୍ ର ଅଭିବୃଦ୍ଧି ଓଡ଼ିଆ ଗଣମାଧ୍ୟମଗୁଡ଼ିକୁ ବିଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ସହିତ ଅଧିକ ଯୋଡ଼ିବା ଦିଗରେ ସାହାଯ୍ୟ କରିବା ଏ ପ୍ରକ୍ରିୟା ଆରମ୍ଭ ହୋଇଗଲାଣିା ୱେବ-ସାଇଟ୍ ଏବଂ ଇ-ପେପର୍ ଏବେ ସେମାନଙ୍କୁ ନିଜ ଇଲାକା ସହ ଯୋଡ଼ୁଛି । ଗୋଟେ ଭାବ ପ୍ରବଣତାର ଖିଅ ଯୋଡ଼ୁଛି । ପୁଣି ସେମାନଙ୍କ ମଧ୍ୟରୁ ନୂଆ ପୀଢି ଯଦି ଓଡ଼ିଆ ପଢି ନ ଜାଣିଥିବେ, ତେବେ ଶ୍ରାବ୍ୟ କିମ୍ବା ଦୃଶ୍ୟ ମାଧ୍ୟମ ସେମାନଙ୍କୁ ବାନ୍ଧିବ । ଇଣ୍ଟରନେଟ୍ ର ଓଡ଼ିଆ ରେଡ଼ିଓ ତାହାରି ଉଦାହରଣ ।
୩. ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏକାସାଂଗରେ ବହୁ ମାଧ୍ୟମକୁ ଆପଣାଇବେ । ଅର୍ଥାତ୍- ଗୋଟିଏ ସଂସ୍ଥା ଖବରକାଗଜ, ନିଉଜ୍ ଚ୍ୟାନେଲ୍, ରେଡ଼ିଓ, ମୋବାଇଲ୍ ମାଧ୍ୟମରେ ଖବର ପରିବେଷଣ କରିବାକୁ ଚେଷ୍ଟା କରିବା
୪. ଏହା ଫଳରେ ଜଣେ ସାମ୍ବାଦିକର କାମ ବଢିବ । ତାକୁ ପ୍ରତିଟି କ୍ଷେତ୍ରରେ ଉପଯୁକ୍ତ ତାଲିମପ୍ରାପ୍ତ ହେବାକୁ ପଡ଼ିବ । ଗଣମାଧ୍ୟମର ସମଷ୍ଟିକରଣ ବା ଏକାଧିକ ପ୍ରସାରଣ ମାଲିକାନା ହେତୁ ସେ ଗୋଟେ ଘଟଣା ପାଇଁ ଏକାଥରେ ଖବରକାଗଜ, ଟିଭି, ରେଡ଼ିଓ, ଇଣ୍ଟରନେଟ୍ ପାଇଁ ରିପୋର୍ଟିଂ କରିବ । ତେଣୁ ସାମ୍ବାଦିକକୁ ଅଧିକ ଦକ୍ଷ ଏବଂ କାରିଗରୀ ଜ୍ଞାନରେ ନିପୁଣ ହେବାକୁ ପଡ଼ିବା
୫. ଇ-ପେପର୍ ସଂଖ୍ୟା ବଢିବ । ଲୋକେ ହାତରେ ଚାହା କପ୍ ଧରି ଖବରକାଗଜ ପଢିବା ଅପେକ୍ଷା ଇଣ୍ଟରନେଟ୍ ରେ କାଗଜ ପଢିବାକୁ ପସନ୍ଦ କରିବେ ।
୬. ଇଣ୍ଟରନେଟ୍ ରେ ନିଉଜ୍ ପୋର୍ଟାଲ୍ ସଂଖ୍ୟା ବଢିବ ।
୭. ମୋବାଇଲ୍ ମାଧ୍ୟମରେ ଖବର ପାଇବାକୁ ଲୋକେ ପସନ୍ଦ କରିବେ ।
୮. କମ୍ୟୁନିଟି ରେଡ଼ିଓ କେନ୍ଦ୍ର ସଂଖ୍ୟା ବଢିବ । କିନ୍ତୁ ସେମାନଙ୍କୁ ଫଳପ୍ରଦ ବିଜ୍ଞାପନ ମଡେ଼ଲ୍ ସଂପର୍କରେ ଚିନ୍ତା କରିବାକୁ ପଡ଼ିବ । ୯. ଉପଯୁକ୍ତ ତାଲିମପ୍ରାପ୍ତ ସାମ୍ବାଦିକ ପାଇଁ ଏବେକାର ସାମ୍ବାଦିକତା ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଧିକରୁ ଅଧିକ ଭିତ୍ତିଭୂମି ବଢେଇବେ । ମିଡ଼ିଆ ଏବଂ ଶିକ୍ଷା କ୍ଷେତ୍ରରେ ସଂପର୍କ ନିବିଡ଼ ହେବ ।
୧୦. ଗଣମାଧ୍ୟମ ସଂସ୍ଥାଗୁଡ଼ିକ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଆଡ଼କୁ ଢଳିବେ । ଏହା ତାଙ୍କୁ ଲୋକଙ୍କ ନିକଟବର୍ତ୍ତୀ କରିବ।
୧୧. ସିଟିଜେନ୍ ଜର୍ଣ୍ଣାଲିଜମ୍ ର କିଛି ବର୍ଷ ଧରି ଅଭିବୃଦ୍ଧି ହେବା ହେଲେ ଏହା କେବେବି ପାରମ୍ପରିକ ସାମ୍ବାଦିକତାର ବିକଳ୍ପ ହୋଇ ପାରିବ ନାହି ।

କାରଣ- ଲୋକେ ବିଶ୍ୱାସଯୋଗ୍ୟ ଖବର ଖୋଜନ୍ତି । ଏବଂ ବିଭିନ୍ନ ସୁତ୍ରରୁ ମିଳୁଥିବା ତଥ୍ୟ ଭିତରୁ ନିର୍ଯ୍ୟାସଟି ପାଇବା ପାଇଁ ଚାହାନ୍ତି । ଏ ଦୁଇଟି ଯାକ କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ସାମ୍ବାଦିକ ଦରକାର । ପାରମ୍ପରିକ ସାମ୍ବାଦିକତା ଦରକାର । ତେଣୁ ଭବିଷ୍ୟତରେ ତଥ୍ୟ ପାଇବା ସହଜ ହେବା ହେଲେ ତଥ୍ୟରୁ ଅର୍ଥ ଜାଣିବା ପାଇଁ ସାମ୍ବାଦିକତା ଅଧିକ ଆବଶ୍ୟକ ହୋଇ ଉଠିବ ।

(ଲେଖକ ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି)

Comments are closed.