କନ୍ଧମାଳ: କନ୍ଧମାଳ ଜିଲ୍ଲାର ଦୂର୍ଗମ ତଥା ନିପଟ ମଫସଲ ଅଞ୍ଚଳରରେ ଏକ ଉଜ୍ଜ୍ୱଳ ତାରକା ସଦୃଶ ଜଣେ ଝିଅ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ସେ ହେଉଛନ୍ତି ଭାରତୀୟ ବାୟୂସେନା (ଆଇଏଏଫ) ର ଫ୍ଲାଇଂ ଅଫିସର୍ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି ।
ପିଲାଟି ବେଳୁ ଭଲ ପାଠ ପଢୁଥିଲେ ମଧ୍ୟ ପରିବାରରେ କେହି ବି କେବେ ଭାବି ନଥିଲେ ଯେ, ଆମ ଝିଅ ବଡ଼ ହେଲେ ଭାରତୀୟ ବାୟୂସେନାରେ ଯୋଗଦେବେ । ସୁଶ୍ରୀ ହେଉଛନ୍ତି ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଂ ଅଫିସର୍ । ହାଇଦ୍ରାବାଦର ଏୟାର୍ ଡିଫେନ୍ସ ଏକାଡ଼େମୀରେ ସେ ତାଙ୍କର ଟ୍ରେନିଂ ସମାପ୍ତ କରିବା ପରେ ଭାରତୀୟ ବାୟୂସେନାର ମେଟେରୋଲୋଜିକାଲ୍ ବ୍ରାଞ୍ଚରେ ଭର୍ତ୍ତି ହୋଇଥିଲେ ।
ସୁଶ୍ରୀ କେନ୍ଦୁପଦର ଗ୍ରାମର ମୀନତି ଓ ଶଙ୍କର ନାରାୟଣ ମହାନ୍ତିଙ୍କ କନିଷ୍ଠ କନ୍ୟା । ସେ ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମ୍ୟାଟ୍ରିକ୍ ପାଶ କରିବା ପରେ ଫୁଲବାଣୀ କଲେଜରୁ +୨ ପାଶ୍ କରିଥିଲେ । ଏହାପରେ ସୁଶ୍ରୀ ଆନ୍ଧ୍ରପ୍ରଦେଶର ଅନନ୍ତପୁରସ୍ଥିତ ଶ୍ରୀ ସତ୍ୟସାଇ ଇନଷ୍ଟିଚ୍ୟୁଟ୍ ଅଫ ହାଇୟର ଲର୍ଣ୍ଣିଂରୁ ଫିଜିକ୍ସରେ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିଲେ ।
ପରେ ସେ ଚେନ୍ନାଇର କଳ୍ପକମଠାରେ ଥିବା ଇନ୍ଦିରା ଗାନ୍ଧୀ ସେଣ୍ଟର୍ ଫର୍ ଆଟମିକ୍ ରିସର୍ଚ୍ଚରୁ ପିଏଚଡ଼ି ହାସଲ କଲେ । ମାତ୍ର, ଅଧାରୁ ଏହି ପିଏଚଡ଼ି ଛାଡ଼ି ପ୍ରତିରକ୍ଷା ବିଭାଗରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ ।
ଝିଅର ସଫଳତାରେ ସନ୍ତୋଷ ପ୍ରକାଶ କରିଛନ୍ତି ବାପା ଶଙ୍କର ନାରାୟଣ ମହାନ୍ତି । “ପାଠପଢା ଲାଗି ସେ ଅନେକ ସଂଘର୍ଷ କରିଛି । ପରିଶ୍ରମ କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛି । ଏପରି ଏକ ଦୂର୍ଗମ ଅଞ୍ଚଳରୁ ସେ ପାଠ ପଢି ଏତେବାଟ ଯାଇପାରିଛି ତାହା ଆଜି ଅନ୍ୟମାନଙ୍କ ଲାଗି ପ୍ରେରଣାଦାୟୀ ।”
କେବଳ ସୁଶ୍ରୀ ଯେ ଏକା ପରିବାରରୁ ଭାରତୀୟ ପ୍ରତିରକ୍ଷା ବିଭାଗରେ ଯୋଗ ଦେଇନାହାନ୍ତି, ବରଂ ଶଙ୍କରଙ୍କ ବାପା ଆର୍ମିର ଜଣେ ଅବସରପ୍ରାପ୍ତ ନାଏକ । ଏପରିକି ସୁଶ୍ରୀଙ୍କ ଜଣେ ଭାଇ ମଧ୍ୟ ଏବେ ଭାରତୀୟ ସେନାରେ ମେଜର ଭାବେ ଦେଶମାତୃକା ଲାଗି କର୍ତ୍ତବ୍ୟରତ ।
Comments are closed.