Latest Odisha News

BREAKING NEWS

ଲକ୍ ଡାଉନ ସମୟରେ ବେଙ୍ଗାଳୁରୁରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି ଓଡିଆ ଝିଅ ସହିସ୍ତା

ଭୁବନେଶ୍ୱର : ଲକ୍ ଡାଉନ ସମୟରେ କାମ ଦାମ ବନ୍ଦ ରହିଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶ୍ରମିକ ଶ୍ରେଣୀର ଲୋକ । ମୂଲ ମଜୁରୀ ବନ୍ଦ ଥିବାରୁ ରୋଜଗାର ଠପ୍ । ଏହି ସମୟରେ ବେଙ୍ଗାଳୁରୁର ବସ୍ତି ଅଂଚଳର ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଓଡିଆ ଝିଅ ସହିସ୍ତା ସୁଲତାନା ।

ସହିସ୍ତା ବେଙ୍ଗୁଳୁରୁର ଏକ ଆଇଟି କମ୍ପାନିରେ ଇଂଜିନିଅର ଭାବେ କାମ କରନ୍ତି । ତେବେ ଦେଶରେ ଏପରି ପରିସ୍ଥିତିରେ ମରାଠାହାଲି ଅଂଚଳରେ ଥିବା ବସ୍ତିରେ ଯେପରି ଲୋକେ ଖାଦ୍ୟରୁ ବଞ୍ଚିଚ ନ ହୁଅନ୍ତି ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
ଏହି ବସ୍ତିରେ ବିହାର, ଓଡିଶା, ଆନ୍ଧ୍ର ପ୍ରଦେଶର ଲୋକ ଅଛନ୍ତି । ତେବେ ସହିସ୍‌ତା ନିଜର କେତେକ ସାଙ୍ଗଙ୍କ ସାହାଯ୍ୟ ନେଇ ଏହି ଅଂଚଳରେ ମାସକ ପାଇଁ ଗ୍ରୋସରୀ ବାଣ୍ଟୁଛନ୍ତି ।

ସହିସ୍ତା ଓ ତାଙ୍କ ସାଙ୍ଗମାନେ ସମାଜ ପାଇଁ କିଛି କରୁଥିବା ବେଳେ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା ନେଇ ଜାରି ହୋଇଥିବା ଗାଇଡଲାଇନର ପାଳନ କରୁଛନ୍ତି । ବସ୍ତିରେ ଶୁକ୍ରବାରଠାରୁ ସୋମବାର ଯାଏଁ ଜିନିଷ ବାଣ୍ଟା ଯାଉଛି । କିଟ୍‌ଗୁଡିକୁ ଲୋକଙ୍କ ଘର ପାଖେ ପହଞ୍ଚାଯାଉଛି ।

କଟକ ମହମଦିଆ ବଜାରର ଝିଅ ସହିସ୍ତା ଏହି କାମ ପାଇଁ ଦରକାର ହେଉଥିବା ଅର୍ଥ ନିଜ ସାଙ୍ଗସାଥୀଙ୍କଠାରୁ ଯୋଗାଡ କରିଥିବା କହିଛନ୍ତି । ସହିସ୍ତା କହିଛନ୍ତି , ‘କେବଳ ଏହି ବସ୍ତି ବାସିନ୍ଦାଙ୍କୁ ନୁହନ୍ତି ଏହି ଅଂଚଳରେ ରହୁଥିବା କିଛି ତୃତୀୟ ଲିଙ୍ଗଙ୍କୁ ବି ତାଙ୍କ ଗ୍ରୁପ ସାହାଯ୍ୟ କରୁଛି । ’

ସହିସ୍ତା ନିଜର ଇଂଜିନିଅରିଂ ପାଠ୍ୟକ୍ରମ ଶେଷ କରିବା ପରେ ବେଙ୍ଗାଳୁରୁରେ ଏକ ସଫ୍ଟୱେୟର କମ୍ପାନିରେ ଚାକିରୀ କରିଥିଲେ । ଚାକିରୀ ବେଳେ କିଛି ଟଙ୍କା ସଂଚୟ କରିବା ପରେ ସେ ଚାକିରୀ ଛାଡି କଟକ ଆସି ସମାଜସେବା ଆରମ୍ଭ କରିଥିଲେ ।

ଏ ନେଇ ସେ କହନ୍ତି ଯେ, ପିଲାଟି ବେଳରୁ ମୋର ସମାଜସେବା ପ୍ରତି ଆଗ୍ରହ ଥିଲା । ବାପାଙ୍କର ‘ଏନଭୟ’ ନାମରେ ଏକ ଏନଜିଓ ଅଛି । ତାଙ୍କଠାରୁ ମୁଁ ଏ ଦିଗରେ କାମ କରିବା ପାଇଁ ପ୍ରେରଣା ପାଇଛି । କଟକ ଆସିବା ପରେ ଶିଶୁ ଯୌନ ନିର୍ଯାତନା ନେଇ କାମ କରୁଥିଲି । କିନ୍ତୁ ଓଡିଶାରେ ଏ ସମ୍ପର୍କରେ କେହି ଆଲୋଚନା କରନ୍ତି ନାହିଁ । ତେଣୁ ଏ ନେଇ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ’

ବିଭିନ୍ନ ସ୍କୁଲରେ ସେ ଏ ନେଇ କର୍ମଶାଳା ଆୟୋଜନ କରିଥିଲେ । ଏ ଦିଗରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ମାଆ । କିନ୍ତୁ ପାଖରେ ସଂଚିତ ଅର୍ଥ ସରିଗଲା ପରେ ପୁଣି ତାଙ୍କୁ ଚାକିରୀରେ ଯୋଗ ଦେବାକୁ ପଡିଲା । ଏବେ କରିଥିବା ଚାକିରୀରୁ ଯେଉଁ ଅର୍ଥ ସଂଚୟ ହେଉଛି ତାକୁ ସମାଜସେବା ପାଇଁ ଖର୍ଚ୍ଚ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

ସହିସ୍ତା ମହିଳା ଦିବସ ଅବସରରେ ୟଙ୍ଗ ଆଚିଭର୍ସ ଆୱାର୍ଡ ୨୦୨୦ ପାଇଛନ୍ତି ।

Leave A Reply

Your email address will not be published.