Latest Odisha News

BREAKING NEWS

ଓଡ଼ିଆ ଝିଅ ଲିପିକାଙ୍କ କମାଲ୍; ଆରୋହଣ କଲେ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ

ଭୁବନେଶ୍ୱର: ଓଡ଼ିଆ ଝିଅ ଲିପିକା ସେଠ୍ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସକୁ ସଫଳତାର ସହିତ ଆରୋହଣ କରିଛନ୍ତି । ବରଗଡ଼ ଜିଲ୍ଲା ଅନ୍ତର୍ଗତ ଡ଼ଲବା ଗ୍ରାମର ଏହି କୁନି ପର୍ବତାରୋହଣକାରୀ ଲିପିକା ୫୬୪୨ ମିଟର ବା ୧୮,୫୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଶୃଙ୍ଗ ଆରୋହଣ କରି ଓଡ଼ିଶା ସମେତ ଭାରତକୁ ଗୌରବାନ୍ୱିତ କରିପାରିଛନ୍ତି ।

ପୂର୍ବରୁ ଏହି ଶୃଙ୍ଗକୁ ଯେଉଁ ଓଡ଼ିଆ ପର୍ବତାରୋହଣାକାରୀ ସଫଳତାର ସହିତ ଆରୋହଣ କରିଛନ୍ତି ସେମାନେ ହେଲେ – କଳ୍ପନା ଦାସ, ଗଣେଶ ଜେନା ଏବଂ ନୃସିଂହ ସାହୁ ।

ଲିପିକାଙ୍କ ବାପା ହେଲେ ଲକ୍ଷ୍ମଣ ସେଠ୍ ଏବଂ ମା’ ହେଲେ ଅନୁସୟା ସେଠ୍ । ଲିପିକା ନୃସିଂହ ସାହୁଙ୍କ ତତ୍ୱାବଧାନରେ ସେପ୍ଟେମ୍ବର ୨୮ ତାରିଖରେ ଏହି ପର୍ବତ ଆରୋହଣ କ୍ୟାମ୍ପ ଆରମ୍ଭ କରିଥିଲେ । ଅକ୍ଟୋବର ୮ ତାରିଖ ଦିନ ସଫଳତାର ସହିତ ଏହି ଶୃଙ୍ଗର ଶୃଙ୍ଗର ଶିଖରରେ ପହଞ୍ଚି ପାରିଥିଲେ । ପର୍ବତ ଶିଖରରେ ପହଞ୍ଚିବା ପରେ ଲିପିକା ଭାରତର ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ଲିପିକା ଆସନ୍ତା ଶୁକ୍ରବାର ଦିନ ୧୧ଟା ୧୦ ସମୟରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ପହଞ୍ଚିବେ । \n\nଏହି ସଫଳତା ହାସଲ କରିବା ପରେ ଗଣମାଧ୍ୟମକୁ ସୂଚନାଦେଇ ଲିପିକା ତାଙ୍କର ମାମୁଁ ଦିବାକର ମାଝୀ ଏବଂ ମାଇଁ ଦମୟନ୍ତୀ ମାଝୀଙ୍କୁ ଉତ୍ସାହିତ କରିଥିବା ଲାଗି ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଏବେ ଲିପିକାଙ୍କ ଲକ୍ଷ୍ୟରେ ରହିଛି ଦକ୍ଷିଣ ଆମେରିକାର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଆକୋନକାଗୁଆ । ଯାହାର ଉଚ୍ଚତା ୨୨,୮୪୧ ମିଟର ବା ୬,୯୬୨ ଫୁଟ । ଏହି ମିଶନରେ ଆନୁମାନିକ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଲିପିକା କହିଛନ୍ତି ।

ରାଜ୍ୟ ସରକାରଙ୍କଠାରୁ ଏନେଇ ସହାୟତା ଆଶା କରି ଲିପିକା କହିଛନ୍ତି, “ପର୍ବତାରୋହଣ ପରି ଅତ୍ୟନ୍ତ କଷ୍ଟସାଧ୍ୟ କାର୍ଯ୍ୟ ଲାଗି ବିଭିନ୍ନ ପୋଷାକ ଏବଂ ଉପଯୋଗୀ ଉପକରଣର ଆବଶ୍ୟକତା ପଡ଼ିଥାଏ । ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ, ରାଜ୍ୟରେ ଥିବା ସମସ୍ତ ପଞ୍ଜିକୃତ ପର୍ବତାରୋହଣକାରୀଙ୍କୁ ଏହି ଉପକରଣ ଗୁଡ଼ିକ ଯୋଗାଇଦିଅନ୍ତୁ ”।

ଏହି ମାଉଣ୍ଟ ଏଲବୃସ୍ ପର୍ବତାରୋହଣ ଲାଗି ବରଗଡ଼ର ବିକାଶ ଇନଷ୍ଟିଚ୍ୟୁଟ ପକ୍ଷରୁ ଲିପିକାଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.