Latest Odisha News

BREAKING NEWS

ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ଝାଡଖଣ୍ଡରେ ଦେଖିବାକୁ ମିଳିଛି କଳ୍ପନା ଯାଦୁ। ପୁରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଚର୍ଚ୍ଚା। ତେବେ ଲଗାତର ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ମିଳିବେ ହେମନ୍ତ ସୋରେନ। ହେଲେ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟକୁ ଜିତାଇବାରେ କଳ୍ପନାଙ୍କର ରହିଛି ବଡ ଭୂମିକା। କଳ୍ପନାଙ୍କୁ କେହି କେହି ହେଲିକପ୍ଟର ଦିଦି ମଧ୍ୟ ଦକୁଥିବା ଶୁଣିବାକୁ ମିଳୁଛି । ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ। ଏଥର ଗଣ୍ଡେୟ ଆସନରୁ ଜିତିଛନ୍ତି କଳ୍ପନା। ରାଜନୀତିରେ ପ୍ରବେଶ ପୂର୍ବରୁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ କଳ୍ପନା।

ଅନ୍ୟପକ୍ଷରେ ଝାଡଖଣ୍ଡରେ ବିଜେପି ଖେଳିଥିଲା ହିନ୍ଦୁତ୍ଵର କାର୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଜେଏମଏମ ବିରୋଧରେ ହିନ୍ଦୁତ୍ଵକୁ ନେଇ ପ୍ରଚାର ଫେଲ ମାରିଛି। କେବଳ ହିନ୍ଦୁତ୍ଵ ନୁହେଁ ଲାଞ୍ଚ କାରବାର, ଆଦିବାସୀ ଅଧିକାର, ଅନୁପ୍ରବେଶ ପ୍ରସଙ୍ଗ ଭଳି ନାରେଟିବକୁ ବିଶ୍ଵାସ କରିନାହାନ୍ତି ଝାଡ଼ଖଣ୍ଡବାସୀ।

ଓଡ଼ିଶା ଝିଅ କଳ୍ପନା
ମୟୂରଭଞ୍ଜ ଜିଲ୍ଲା ବାରିପଦା ଝିଅ କଳ୍ପନା ଏବେ ବେଶ ଚର୍ଚ୍ଚାରେ। ସେ ୧୯୭୬ ମସିହାରେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଅମ୍ପା ମୁର୍ମୁ ଜଣେ ଅବସରପ୍ରାପ୍ତ ସେନାଧିକାରୀ ଥିବା ବେଳେ ତାଙ୍କର ମା’ ଥିଲେ ଗୃହିଣୀ। କଳ୍ପନା ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟରେ ନିଜର ସ୍କୁଲ ପଢା ଶେଷ କରିଥିଲେ। ପରେ ସେ ବୁବନେଶ୍ଵରର ଏକ କଲେଜରୁ ବିଟେକ ଡିଗ୍ରୀ ହାସଲ କରିଛନ୍ତି। ବ୍ୟବସାୟରେ ତାଙ୍କର ରୁଚି ଥିବାରୁ, ସେ ମାଷ୍ଟର ଡିଗ୍ରୀ ମଧ୍ୟ ଶେଷ କରିଛନ୍ତି।

ପ୍ଲେ ସ୍କୁଲରୁ ପଲିଟିକ୍ସ
୭ ଫେବ୍ରୁଆରୀ ୨୦୦୬ ରେ ହେମନ୍ତ ସୋରେନଙ୍କୁ ବିବାହ କରିଥିଲେ କଳ୍ପନା। ଝାଡଖଣ୍ଡରେ ସମାଜସେବୀ ଭାବରେ ଜଣାଶୁଣା କଳ୍ପନା ଗୋଟିଏ ପ୍ଲେ ସ୍କୁଲର ନିର୍ଦେଶିକା ମଧ୍ୟ ଥିଲେ। ତାଙ୍କର ଦୁଇ ପୁଅଙ୍କ ନାଁ ନିଖିଳ ଓ ଅଂଶ।

କଳ୍ପନାଙ୍କ ରାଜନୀତି ଏଣ୍ଟ୍ରି
ହିନ୍ଦୀ ଓ ଇଂରାଜୀରେ ଅନର୍ଗଳ ଭାଷଣ ଦେଉଥିବା କଳ୍ପନା ତାଙ୍କ ଦକ୍ଷତା ପାଇଁ ପାର୍ଟି କାର୍ଯ୍ୟକର୍ତ୍ତା ଓ ଜନତାଙ୍କ ପ୍ରିୟ ହୋଇଥିଲେ। ତାଙ୍କ ନିର୍ବାଚନୀ ସଭାରେ ବହୁତ ଭିଡ ଦେଖିବାକୁ ମିଳିଥିଲା। ସେ ୨୦୦ ନିର୍ବାଚନୀ ରାଲି କରିଥିବା ଜାଣିବାକୁ ମିଳିଛି। ଖୁବ କମ ସମୟରେ ଲୋକପ୍ରିୟ ପାଲଟିଥିଲେ କଳ୍ପନା । ଜାନୁଆରୀ ୨୦୨୪ ରେ ଲ୍ୟାଣ୍ଡ ସ୍କାମ୍ ମାମଲାରେ ଗିରଫ ହୋଇ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହାପରେ ଚମ୍ପାଇ ସୋରେନ ହୋଇଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ। ହେମନ୍ତ ୫ ମାସ ଜେଲରେ ରହି ଜାମିନରେ ଆସିବା ପରେ, ଚମ୍ପାଇ ସୋରେନଙ୍କ ସହ ଅନ୍ୟ ନେତାମାନେ ଜେଏମଏମ ଛାଡି ବିଜେପିରେ ମିଶିଥିଲେ। ଏହି ସମୟରେ ରାଜନୀତିରେ ଏଣ୍ଟ୍ରି କରିଥିଲେ କଳ୍ପନା। ଲୋକସଭା ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ କଳ୍ପନା। ଜୁନରେ ଗାଣ୍ଡେୟ ସିଟରୁ ଉପନିର୍ବାଚନ ଲଢି ୨୬ ହଜାର ଭୋଟରେ ଜିତିଥିଲେ। ସେ ବିଧାନସଭା ନିର୍ବାଚନରେ ସବୁଠୁ ଅଧିକ ପ୍ରଚାର କରିଥିବା ବେଳେ ପୁଣି ଗାଣ୍ଡେୟ ରହିଛି କଳ୍ପନାଙ୍କ ପାଇଁ ନିର୍ବାଚନୀ ମଇଦାନ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

 

 

Comments are closed.