Latest Odisha News

BREAKING NEWS

‘ଏସିଆନ୍ ଗେମ୍ସ’କୁ ଯିବା ପୂର୍ବରୁ ସମ୍ବର୍ଦ୍ଧିତ ହେଲେ ଓଡିଆ ଖେଳାଳି

ଭୁବନେଶ୍ୱର : ଏସିଆନ୍ ଗେମ୍ସ ଲାଗି ମନୋନୀତ ହେଇଥିବା ଓଡିଶାର ୩ଜଣ ଆଥଲେଟ୍ ଓ ଜଣେ ବ୍ୟାଡମିଣ୍ଟନ୍ ଖେଳାଳିଙ୍କୁ ଏକ କ୍ରୀଡା ଉତ୍ସବରେ ରବିବାର ଦିନ ସମ୍ବର୍ଦ୍ଧିତ କରାଯାଇଛି । ଆସନ୍ତା ଅଗଷ୍ଟ ୧୮ ରୁ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଅନୁଷ୍ଠିତ ହେଉଥିବା ୧୮ତମ ଏସିଆନ୍ ଗେମ୍ସରେ ଏହି ୪ଜଣ ଓଡିଆ କ୍ରୀଡା ପ୍ରତିଭା ଅଂଶ ଗ୍ରହଣ କରୁଛନ୍ତି ।

ଏହି କ୍ରୀଡା ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ କିସ୍ ଓ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ୪ଜଣ ଓଡିଆ ପ୍ରତିଭାଧାରୀ ଦୁତୀ ଚାନ୍ଦ, ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମ ଓ ଋତୁପର୍ଣ୍ଣା ପଣ୍ଡାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ୪ଜଣ କ୍ରୀଡାବିତ୍ କିଟ୍ ଓ କିସରେ ଅଧ୍ୟୟନ କରୁଛନ୍ତି । ଅବଶ୍ୟ ଏହି ଉତ୍ସବରେ କେବଳ ଦୁତି ଓ ଋତୁପର୍ଣ୍ଣା ଯୋଗଦେଇଥିଲେ ।

ଦୁତି, ଯିଏକି ରିଓ ଅଲମ୍ପିକରେ ଅଂଶ ଗ୍ରହଣ କରିଥିଲେ, ସେ ଏସିଆନ୍ ଗେମ୍ସରେ ୧୦୦ମିଟର ଓ ୨୦୦ମିଟର ଇଭେଣ୍ଟ୍ ଲାଗି ଯୋଗ୍ୟତା ଅର୍ଜନ କରିପାରିଛନ୍ତି । ଜଉନା ଓ ପୂର୍ଣ୍ଣିମା ଯଥାକ୍ରମେ ୪୦୦ମି. ହର୍ଡଲ୍ସ୍ ଓ ହେପ୍ଟଥଲ୍ନ ପାଇଁ ମନୋନୀତ ହୋଇଛନ୍ତି । ସେହିପରି ଋତୁପର୍ଣ୍ଣା ଭାରତୀୟ ବ୍ୟାଡମିଣ୍ଟନ୍ ଦଳକୁ ପ୍ରତିନିଧିତ୍ୱ କରିବେ । ଦୁତି ଦିନକୁ ୧୦ଘଣ୍ଟା ଲେଖାଏଁ ଅଭ୍ୟାସ କରୁଛନ୍ତି, “ମୋର ଲକ୍ଷ୍ୟ ୧୦୦ମି. ଦୌଡ ପ୍ରତିଯୋଗିତା ଜିତିବା ଓ ଏହି ଇଭେଣ୍ଟରେ ମୁଁ ମେଡାଲ ପାଇବା ଲାଗି ପ୍ରାଣପଣେ ଚେଷ୍ଟା କରିବି”ବୋଲି କହିଛନ୍ତି ଦୁତି ।

ଋତୁପର୍ଣ୍ଣା ମଧ୍ୟ ମେଡାଲ ହାତେଇବା ପାଇଁ କଠୋର ପରିଶ୍ରମ ଜାରି ରଖିଛନ୍ତି, “କେବଳ କଠିନ ପରିଶ୍ରମ, ଶୃଙ୍ଖଳା, ତ୍ୟାଗ ଓ ଧେର୍ଯ୍ୟ ସଫଳତାର ଶୀର୍ଷକୁ ନେଇଥାଏ” ବୋଲି ସେ କହିଛନ୍ତି ।

କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରି ଗର୍ବ ଅନୁଭବ କରିଛନ୍ତି । “ଗତ ୧୦ ବର୍ଷଧରି ଆମ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାରତକୁ କ୍ରୀଡା କ୍ଷେତ୍ରରେ ଗୌରବାନ୍ୱିତ କରିଆସୁଛନ୍ତି । ସେମାନେ ଭାରତ ଓ ଓଡିଶାକୁ ପ୍ରତିନିଧିତ୍ୱ କରି ଅନେକ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡାରେ ଅଂଶଗ୍ରହଣ କରିଛନ୍ତି । ଏପରିକି ଅଲମ୍ପିକ, ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠି କ୍ରୀଡାରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି” ।

ସୂଚନା ଯୋଗ୍ୟ କିସ୍ ଓ କିଟ୍ ବିଶ୍ୱବିଦ୍ୟାଳୟରେ ୫ହଜାର ସକ୍ରିୟ କ୍ରୀଡାବିତ୍ ରହିଛନ୍ତି, ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ଝିଅ । ଏମାନଙ୍କ ମଧ୍ୟରେ ୭୦ଜଣ ଛାତ୍ରଛାତ୍ରୀ ଅନ୍ତର୍ଜାତୀୟ ସ୍ତରର କ୍ରୀଡାବିତ୍ । ଏବଂ ସେମାନେ ଥରେ ବା ଏକାଧିକ ବାର ଅନ୍ତର୍ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତାରେ ୧୪ଟି ଭିନ୍ନ ଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି ।

ସେହିପରି ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ୮ଶହ ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୬ଟି ଇଭେଣ୍ଟରେ ଅଂଶ ଗ୍ରହଣ କରିଛନ୍ତି । ପାଖାପାଖି ୪ହଜାର ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଓ ଜାତୀୟ ସ୍ତରର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି, ବୋଲି କିଟ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.